ପୁରୀ ଷ୍ଟେଶନରେ ଆରମ୍ଭ ହେଲା ପ୍ରିପେଡ୍‌ ସେବା


ପୁରୀ ଅଫିସ, ୭।୧୨: ପୁରୀ ରେଳ ଷ୍ଟେଶନରେ ଗୁରୁବାରଠାରୁ ଆରମ୍ଭ ହୋଇଛି ପ୍ରିପେଡ୍‌ ଅଟୋ ଓ ଟ୍ୟାକ୍ସି ସେବା। ପୁରୀ ଆସୁଥିବା ଶ୍ରଦ୍ଧାଳୁ, ଭକ୍ତ ଏବଂ ପର୍ଯ୍ୟଟକ ନିର୍ଦ୍ଧାରିତ ମୂଲ୍ୟ ଦେଇ ଗନ୍ତବ୍ୟ ସ୍ଥାନକୁ ଯାତ୍ରା କରିପାରିବେ। ଯାତ୍ରୀଙ୍କ ସୁବିଧା ଲାଗି ଏହା ୨୪ ଘଣ୍ଟିଆ ସେବା ପ୍ରଦାନ କରିବ। ଭୁବନେଶ୍ୱରସ୍ଥିତ ଏକ ଘରୋଇ ସଂସ୍ଥା ଏହାର ଦାୟିତ୍ୱରେ ରହିଛି। ପୁରୀ ଷ୍ଟେଶନରେ ଦୁଇଟି ଅଟୋ ଚାଳକ ସଂଘର ଅଟୋ ଓ ଟ୍ୟାକ୍ସି ଏଠାରୁ ଯାତ୍ରୀ ଉଠାଇବେ। ଏ ନେଇ ୫୩୫ ଜଣ ଅଟୋ ଓ ଟ୍ୟାକ୍ସି ଚାଳକଙ୍କୁ ଅନୁମତି ପ୍ରଦାନ କରାଯାଇଛି। ପ୍ରଥମ ଦିବସରେ ୧୩୯ଟି ଅଟୋ ପଞ୍ଜୀକରଣ ହୋଇଛି ବୋଲି ଗୁରୁବାର ରେଲୱ ଷ୍ଟେଶନ ପାର୍କିଂ ସ୍ଥାନରେ ଆୟୋଜିତ ପ୍ରିପେଡ୍‌ ସେବାର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ଏସ୍‌ପି ଡା. ସାର୍ଥକ ଷଡ଼ଙ୍ଗୀ କହିଛନ୍ତି। ପ୍ରିପେଡ୍‌ ସେବାକୁ ଉଦ୍‌ଘାଟନ କରି ରାଜସ୍ବ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଲେ, ପୂର୍ବରୁ ଯାତ୍ରୀ ଏବଂ ଭକ୍ତମାନେ ଯାତାୟାତ ବେଳେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ସେବା ଦ୍ୱାରା ଯାତ୍ରୀମାନେ ସୁବିଧା ପାଇପାରିବେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ପର୍ଯ୍ୟଟନ ଅଧିକାରୀ ବିଜୟ କୁମାର ଜେନା, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଡ. ଉଦ୍ଧବ ଚନ୍ଦ୍ର ମାଝି, ଡେପୁଟି କମାଣ୍ଡାଣ୍ଟ ଲିଙ୍ଗରାଜ ମିଶ୍ର, ସିଟି ଡିଏସ୍‌ପି ପ୍ରଶାନ୍ତ ପଟ୍ଟନାୟକ, ଟ୍ରାଫିକ ଥାନା ଅଧିକାରୀ ବାମଦେବ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ପର୍ଯ୍ୟଟନ ଅଧିକାରୀ ଜେନା କହିଲେ, ଏଠାରେ ୪ଟି କାଉଣ୍ଟର ରହିବ। ପ୍ରଥମ ପର୍ଯ୍ୟାୟରେ ଦୁଇଟି କାଉଣ୍ଟର ବ୍ୟବସ୍ଥା କରାଯାଇଛି। ଷ୍ଟେଶନରୁ ୪୦ଟି ରୁଟ୍‌ରେ ଏହି ସେବା ପ୍ରଦାନ କରାଯିବ। ବେଲୁର ମଠରୁ ଆସିଥିବା ବ୍ରହ୍ମଚାରୀ ଆତ୍ମେଶ ଦାଶ ସିଟି ରୋଡ୍‌ସ୍ଥିତ ରାମକୃଷ୍ଣ ମଠକୁ ଯିବା ଲାଗି ପ୍ରଥମ ଟିକେଟ କାଟିଥିଲେ। ସେ କହିଲେ, ପୂର୍ବରୁ ଷ୍ଟେଶନରୁ ମଠକୁ ଯିବା ଲାଗି ୮୦ ଟଙ୍କା ଦେବାକୁ ପଡୁଥିଲା। ବର୍ତ୍ତମାନ ଦର ୫୦ଟଙ୍କା ରହିଛି। ପ୍ରଥମ ଅଟୋ ଚାଳକ ଭାବେ କେ. ମାଲୁସ ରେଡ୍ଡୀଙ୍କ ଅଟୋକୁ ମନ୍ତ୍ରୀ ଉଦ୍‌ଘାଟନ କରି ଶୁଭେଚ୍ଛା ଜ୍ଞାପନ କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri