ବିରୋଧ ପରେ ମତ ବଦଳାଇଲା ବିଏମ୍‌ସି


ଧାରଣା ଦେଲେ ନିଆଯିବନି ଶୁଳ୍କ ଭୁବନେଶ୍ୱର, ୭।୧୨ (ବ୍ୟୁରୋ)- ଲୋୟର ପିଏମ୍‌ଜିରେ କୌଣସି ସଂଗଠନ ବା ବ୍ୟକ୍ତିବିଶେଷ ଧାରଣା ଦେଲେ ଦିନକୁ ସର୍ବନିମ୍ନ ୫୦୦ ଟଙ୍କା ଦେବାକୁ ପଡ଼ିବ। ୧୦୦ରୁ ୫୦୦ ବ୍ୟକ୍ତି ଧାରଣାରେ ସାମିଲ ହେଲେ ୧୦୦୦ ଟଙ୍କା ଏବଂ ୫୦୦ରୁ ଅଧିକ ଲୋକ ହେଲେ ମୁଣ୍ଡ ପିଛା ୫ଟଙ୍କା ଦେବେ। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ତୀବ୍ର ବିରୋଧ କରାଯିବା ପରେ ଗୁରୁବାର ନିଗମ କର୍ତ୍ତୃପକ୍ଷ ମତ ବଦଳାଇଛନ୍ତି। ଲୋୟର ପିଏମ୍‌ଜି ଧାରଣାସ୍ଥଳରେ ଆନ୍ଦୋଳନ, ବିକ୍ଷୋଭ ଓ ଧାରଣାକାରୀଙ୍କ ପାଖରୁ ନିଗମ ଶୁଳ୍କ ନେବ ନାହିଁ ବୋଲି ବିଏମ୍‌ସି କମିଶନର ଡ.କ୍ରିଷନ କୁମାର ଗୁରୁବାର ସ୍ପଷ୍ଟ କରିଛନ୍ତି। ଧାରଣାସ୍ଥଳରୁ ଏବେ କୌଣସି ପ୍ରକାର ଶୁଳ୍କ ଆଦାୟ କରାଯିବ ନାହିଁ। କିନ୍ତୁ ଭବିଷ୍ୟତରେ ସରକାରଙ୍କ ପକ୍ଷରୁ କ’ଣ ନିଷ୍ପତ୍ତି ନିଆଯିବ ତାହା ଏବେଠୁ କହିହେବ ନାହିଁ ବୋଲି କମିଶନର କହିଛନ୍ତି। କମିଶନର କୁମାର ଆହୁରି କହିଲେ, ଧାରଣାସ୍ଥଳରେ ଆନ୍ଦୋଳନକାରୀମାନେ ବହୁ ପ୍ଲାଷ୍ଟିକ୍‌ ଥାଳି, ଗ୍ଲାସ୍‌ ଓ ପଲିଥିନ୍‌ ଜରି ବ୍ୟବହାର କରି ପକାଉଛନ୍ତି। ଫଳରେ ସେଠାକାର ପରିବେଶ ପ୍ରଦୂଷିତ ହେଉଛି। ଆନ୍ଦୋଳନାକାରୀମାନେ ଯେପରି ଏଣିକି ଧାରଣାସ୍ଥଳରେ ଏସବୁ ଜିନିଷ ନ ପକାଇବେ ସେଥିପାଇଁ ବିଏମ୍‌ସି ପକ୍ଷରୁ କମିଶନରେଟ୍‌ ପୋଲିସ୍‌କୁ ଅବଗତ କରାଯାଇଛି। ଆନ୍ଦୋଳନକାରୀମାନେ ଧାରଣା ଦେବାପାଇଁ ପୋଲିସ୍‌ ପାଖରୁ ଅନୁମତି ନେବାବେଳେ ପ୍ଲାଷ୍ଟିକ୍‌ ଜିନିଷ ଯେପରି ସେଠାରେ ନ ପକାଇବେ ସେଥିପାଇଁ ଏକ ଚୁକ୍ତିନାମାରେ ସ୍ବାକ୍ଷର କରିବାକୁ କୁହାଯାଇଛି। ଏ ବିଷୟରେ ପୋଲିସ୍‌କୁ ବିଏମ୍‌ସି ପକ୍ଷରୁ ଅବଗତ କରାଯାଇଛି। ଧାରଣା, ବିକ୍ଷୋଭ ଏବଂ ସାଧାରଣ ସଭା ଭଳି କାର୍ଯ୍ୟ ପରେ ସମ୍ପୃକ୍ତ ଅଞ୍ଚଳର ପରିମଳ ପ୍ରଭାବିତ ହେଉଛି। ଏ ଦିଗରେ କି ପଦକ୍ଷେପ ନିଆଯିବ ସେନେଇ ଗୃହ ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଗତ ଅଗଷ୍ଟ ୫ରେ ଅନୁଷ୍ଠିତ ହୋଇଥିଲା। ବିଭାଗ ପକ୍ଷରୁ ଗତ ମାସ ୧୭ ତାରିଖରେ ପତ୍ର ସଂଖ୍ୟା ୨୨୩୨/ସି ଅନୁସାରେ ବିଏମ୍‌ସି କିଛି ନିୟମ ଆଣି ନିଷ୍ପତ୍ତି ନେବାକୁ କୁହାଯାଇଥିଲା। ଏହାକୁ ନେଇ ବିଏମ୍‌ସି ଷ୍ଟାଣ୍ଡିଂ କମିଟିରେ ଗତ ବୁଧବାର ଆଲୋଚନା ହୋଇଛି। ଆଲୋଚନାର ନିର୍ଯାସକୁ ସରକାରଙ୍କ ପାଖକୁ ପଠାଯିବ। ଏହା ଉପରେ ସରକାର ବିଚାର କରି ଯାହା ନିଷ୍ପତ୍ତି ନେବେ ବୋଲି କମିଶନର କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri