ନଳା ପାଣିରେ ବୁଡିଲା ଶରଧାବାଲି


ପୁରୀ ଅଫିସ, ୬।୧୨: ପୂଣ୍ୟର ମାଟି ଶ୍ରୀକ୍ଷେତ୍ର। ଏହା ଲୀଳାମୟ ଜଗନ୍ନାଥଙ୍କ ଲୀଳାସ୍ଥଳ। ଏହି ପାବନ ଭୂମିର ପାଣି, ପବନ ସବୁ ପବିତ୍ର ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଏହି ବିଶ୍ୱାସକୁ ସାଥୀରେ ଧରି ପ୍ରତିଦିନ ଦେଶ ବିଦେଶରୁ ହଜାର ହଜାର ସଂଖ୍ୟାରେ ଭକ୍ତ, ପର୍ଯ୍ୟଟକ ଛୁଟି ଆସନ୍ତି ପୁଣ୍ୟ ଧାମକୁ। ସକାଳ ହେଲେ ଭକ୍ତଙ୍କ ଗହଳିରେ ଉଛୁଳିପଡ଼େ ସିଂହଦ୍ୱାରଠାରୁ ଶରଧାବାଲି। ବଡ଼ଦାଣ୍ଡ ଆଉ ଶରଧାବାଲିର ଧୂଳିକୁ ମଥାରେ ବୋଳି ପୂଣ୍ୟ ଅର୍ଜନ କରିଥାନ୍ତି। ହେଲେ ବୁଧବାର ଶରଧାବାଲିରେ ଦେଖିବାକୁ ମିଳିଥିଲା ଭିନ୍ନ ଚିତ୍ର। କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ଶରଧାବାଲିକୁ ଭିଜାଇ ଦେଇଥିଲା ନଳା ପାଣି। ପବିତ୍ର ବାଲି ଉପରେ ଅପବିତ୍ରର ପାଣି ମାଡ଼ିଥିବା ଦେଖି ନାକ ଟେକିଛନ୍ତି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ। ସ୍ଥାନୀୟ ଲୋକେ ବି ଅସନ୍ତୋଷ ଓ କ୍ଷୋଭ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିର ସାଙ୍ଗକୁ ପୁରାତନ ଐତିହ୍ୟସ୍ଥଳୀ ଶ୍ରୀକ୍ଷେତ୍ର ସଂସ୍କୃତି ଓ ପରମ୍ପରାକୁ ରୁଦ୍ଧିମନ୍ତ କରିଛି। ତେଣୁ ପ୍ରତିଦିନ ଆଧ୍ୟାତ୍ମିକତାର ମନୋଭାବ ନେଇ ଦେଶ, ବିଦେଶରୁ ଭକ୍ତ ଓ ପର୍ଯ୍ୟଟକ ଆସିଥାନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରଦ୍ଧାରେ ଶ୍ରଦ୍ଧାଳୁ ବୁଲିଯାନ୍ତି ଗୁଣ୍ଡିଚା ମନ୍ଦିର ଅଭିମୁଖେ। ପୁଣ୍ୟତାର ପ୍ରତୀକ ଶରଧାବାଲିକୁ ଦର୍ଶନ କରିବା ସହ ଏହାକୁ ମୁଣ୍ଡରେ ବୋଳିଥାନ୍ତି। ହେଲେ ଶରଧାବାଲିର ପବିତ୍ରତାକୁ ଅପବିତ୍ର କରିଦେଇଛି ଡ୍ରେନ୍‌ ପାଣି। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରା ସମ୍ମୁଖରେ ଥିବା ଡ୍ରେନ୍‌ ଚୋକ୍‌ ହୋଇଯାଇଥିବାରୁ ମଇଳା ପାଣି ଶରଧାବାଲିରେ ମାଡିଥିଲା। ସ୍ଥିତି ଏମିତି ହୋଇଥିଲା ଯେ, ଏହି ଡ୍ରେନ୍‌ ପାଣିରେ ବାଲି ସମ୍ପୂର୍ଣ୍ଣ ଭିଜି ଯାଇଥିଲା। ଏହାକୁ ନେଇ ସେଠାରେ ଏକ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୁଣ୍ଡିଚା ମନ୍ଦିରକୁ ବୁଲିବାକୁ ଆସିଥିବା ଶ୍ରଦ୍ଧାଳୁ ଏଭଳି ଅବସ୍ଥା ଦେଖି ଅସନ୍ତୋଷ ବ୍ୟକ୍ତ କରିଥିଲେ। ସ୍ଥାନୀୟ ଦୋକାନୀ ଏବଂ ଲୋକେ ମଧ୍ୟ ଶରାଧାବାଲି ଉପରେ ନଳାପାଣିର ଧାର ଛୁଟୁଥିବା ଦେଖି କ୍ଷୋଭ ପ୍ରକାଶ କରି୍‌ଥିଲେ। ଗଞ୍ଜାମ ଦିଗପହଣ୍ଡିରୁ ସପରିବାର ଆସିଥିବା ସନ୍ତୋଷ ସାହୁ କହିଥିଲେ, ଶରଧାବାଲି ପ୍ରତି ଲୋକମାନଙ୍କ ବିଶ୍ୱାସ ରହିଛି। ଶରଧାବାଲିକୁ ମୁଣ୍ଡରେ ମାରିଲେ ମନରେ ପବିତ୍ରତା ଆସିଥାଏ। ହେଲେ ଏହି ଶରଧାବାଲିରେ ଡ୍ରେନ ପାଣି ମାଡିଯିବା ଦେଖି ଦୁଃଖ ଲାଗୁଛି। କେବଳ ଆମେ ନୁହେଁ, ପୁରୀକୁ ଦେଶ ବିଦେଶରୁ ଭକ୍ତ, ପର୍ଯ୍ୟଟକ ଆସୁଛନ୍ତି। ସେମାନେ ଯଦି ଏଭଳି ଦୃଶ୍ୟ ଦେଖିବେ ନିଶ୍ଚିତ ପୁଣ୍ୟର ମାଟି ଶ୍ରୀକ୍ଷେତ୍ର ପ୍ରତି ତାଙ୍କ ମନରେ ଖରାପ ଭାବନା ଆସିବ। ତେଣୁ ଶରଧାବାଲି କିପରି ପବିତ୍ରତାର ସହ ରହିବ ସେ ଦିଗରେ ସମସ୍ତେ ଧ୍ୟାନ ଦେବା ଉଚିତ। ଭୁବନେଶ୍ୱରର ମୋନାଲିସା ବିଶ୍ୱାଳ ମଧ୍ୟ ଏଭଳି ସ୍ଥିତି ଦେଖି କ୍ଷୋଭ ପ୍ରକାଶ କରିଥିଲେ। ଶରଧାବାଲି ପ୍ରତି କେବଳ ଓଡ଼ିଆଙ୍କର ନୁହେଁ ବାହାର ଶ୍ରଦ୍ଧାଳୁଙ୍କର ମଧ୍ୟ ଭାବାବେଗ ଜଡିତ ରହିଛି। ବାହୁଡା ସମୟରେ ତିନିରଥ ଏହି ଶରଧାବାଲିରେ ଠିଆ ହୋଇଥାନ୍ତି। ହେଲେ ଏହା ଉପରେ ଆଜି ମାଡିଛି ଡ୍ରେନ୍‌ ପାଣି। ପୁରୀ ପୌର ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ଦରକାର। କେବଳ ସନ୍ତୋଷ କି ମୋନାଲିସା ନୁହଁନ୍ତି, ବୁଧବାର ବହୁ ଭକ୍ତ ଏହି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ଏ ସମ୍ପର୍କରେ ନଗରପାଳ ଜୟନ୍ତ କୁମାର ଷଡ଼ଙ୍ଗୀ କହିଛନ୍ତି, ସେ ଖବର ପାଇବା ପରେ କର୍ମଚାରୀଙ୍କୁ ପଠାଇଥିଲେ। ନାକଚଣା ଦ୍ୱାରା ସମ୍ମୁଖରେ ତଳେ ଯେଉଁ ପାଇପ ପଡିଛି ସେଠାରେ ଅଧିକାଂଶ ସମୟ ଡ୍ରେନ୍‌ ଚୋକ୍‌ ହେଉଛି। ଯେତେବେଳେ ସମସ୍ୟା ହେଉଛି ଏହାର ସମାଧାନ କରାଯାଉଛି। ସୂଚନାଯୋଗ୍ୟ, ରଥଯାତ୍ରା ସମୟରେ ପୁରୀର ପରିମଳ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଡ୍ରେନ୍‌ ସଫା ଓ ମରାମତି ଠିକ୍‌ ଭାବେ ହେଉ ନାହିଁ। ଫଳରେ ଅନେକ ସମୟରେ ଅପ୍ରୀତିକର ପରିସ୍ଥିତି ଉପୁଜୁଛି। ସ୍ଥିତି ଏମିତି ହୋଇଛି ଯେ, ଅସରାଏ ବର୍ଷାବି ବଡ଼ଦାଣ୍ଡକୁ ବୁଡ଼ାଇ ଦେଉଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri