ମଠାଧୀଶ-ଦେବୋତ୍ତର କମିଶନ ଆଲୋଚନା


ପୁରୀ ଅଫିସ, ୬।୧୨: ଶ୍ରୀମନ୍ଦିର ପ୍ରଶାସନ ବାଉଳିମଠ ଦଖଲକୁ ନେବା ପରେ ମଠମହନ୍ତଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଭୟର ବାତାବରଣ। ମଠାଧୀଶଙ୍କ ଅନୁରୋଧ କ୍ରମେ ଦେବୋତ୍ତର କମିଶନର ଭୁବନେଶ୍ୱରରେ ଡାକିଥିଲେ ବୈଠକ। କମିଶନରଙ୍କ କାର୍ଯ୍ୟାଳୟରେ ବୁଧବାର ପୁରୀର ବିଭିନ୍ନ ମଠ ମହନ୍ତ ଓ ସନ୍ଥ ଯୋଗ ଦେଇଥିଲେ। ଶ୍ରୀମନ୍ଦିର ପ୍ରଶାସନ ଦଖଲ କରୁଥିବା ମଠର ଭବିଷ୍ୟତକୁ ନେଇ ବୈଠକ ସରଗରମ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଦଖଲ ପରବର୍ତ୍ତୀ ପଦକ୍ଷେପ ନେଇ ମଠାଧୀଶମାନେ ପ୍ରଶ୍ନ ଉଠାଇଥିଲେ। ବୈଠକରେ ମଠ ଓ ଶ୍ରୀମନ୍ଦିର ସମ୍ପର୍କିତ ବହୁ ପ୍ରସଙ୍ଗ ଆଲୋଚନା ହୋଇଥିଲେ ହେଁ କୌଣସିର ନିଷ୍କର୍ଷ ବାହାରି ପାରିନାହିଁ। ପୁଣି ଆସନ୍ତା ୧୫ତାରିଖକୁ ଏହା ଝୁଲି ରହିଛି। ଶ୍ରୀକ୍ଷେତ୍ରରେ ଏହି ଦିନ ବୈଠକ ବସି ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ଲାଗି ସ୍ଥିର ହୋଇଛି। ଦେବୋତ୍ତର କମିଶନର ବିରଜା ପ୍ରସାଦ ଦତ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମଠ ଦଖଲ ଉପରେ ଆଲୋଚନା ହୋଇଥିଲା। ବୈଠକରେ ପ୍ରଥମେ ମଠ-ମନ୍ଦିର ବିବାଦରେ ସୁପ୍ରିମକୋର୍ଟ ଦେଇଥିବା ରାୟ, ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଏବଂ ଓଡ଼ିଶା ହିନ୍ଦୁ ରିଲିଜିୟସ୍‌ ଏଣ୍ଡାଓମେଣ୍ଟ ଆକ୍ଟର ତର୍ଜମା କରାଯାଇଥିଲା। ଶ୍ରୀମନ୍ଦିର ପ୍ରଶାସନ ମଠକୁ ଦଖଲକୁ ନେବା ପରେ ମଠ ମହନ୍ତଙ୍କ ଦେହାନ୍ତ ହେଲେ କେଉଁ ଆଇନ ବଳରେ ମଠ ମହନ୍ତ ନିଯୁକ୍ତ କରାଯିବ? କିଏ ମଠ ମହନ୍ତ ନିଯୁକ୍ତ କରିବେ? ଯଦି ମଠର ମହନ୍ତ ନ ରହିବେ ତେବେ ମଠ ସଂସ୍କୃତି କିଭଳି ଉଜ୍ଜୀବିତ ରହିବ ବୋଲି ମଠ ମହନ୍ତମାନେ ପ୍ରଶ୍ନ କରିଥିଲେ। ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଏବଂ ଓଡ଼ିଶା ହିନ୍ଦୁ ରିଲିଜିୟସ୍‌ ଏଣ୍ଡାଓମେଣ୍ଟ ଆକ୍ଟ କାହାର ସୀମା କେତେ ତାହା ବି ତର୍ଜମା ହେବା ଉଚିତ ବୋଲି ମଠାଧୀଶମାନେ ମତ ରଖିଥିଲେ। ଶଙ୍କରାଚାର୍ଯ୍ୟ ମଠର ଅନ୍ୟତମ ଶାଖା ମଠ ଗୋପାଳତୀର୍ଥ ମଠ। ଏହି ମଠକୁ ଶ୍ରୀମନ୍ଦିର ପ୍ରଶାସନ ଦଖଲକୁ ନେବା ପରେ ତାହାର ସୁରକ୍ଷା ବଦଳରେ ମଠକୁ ମାଟିରେ ମିଶାଇ ଦେଇଥିବା କେତେଜଣ ମଠାଧୀଶ ଅଭିଯୋଗ କରିଥିଲେ। ମଠ ଜମିରେ ସେବାୟତଙ୍କ ପାଇଁ ବାସଗୃହ ନିର୍ମାଣ ଯୋଜନା ରହିଥିବା ସେମାନେ କହିଥିଲେ। ଶ୍ରୀମନ୍ଦିର ଅନ୍ୟାନ୍ୟ ମଠକୁ ଦଖଲକୁ ନେବା ପରେ ଯଦି ଏଭଳି ସ୍ଥିତି ହୁଏ ତେବେ ମଠ ସଂସ୍କୃତି ଉଜୁଡିଯିବ ବୋଲି ମଠାଧୀଶ ମାନେ ଅଭିଯୋଗ କରିଥିଲେ। ବୈଠକରେ ବିଭିନ୍ନ ମଠର ସମସ୍ୟା ଉପରେ ବି ଆଲୋଚନା ହୋଇଥିଲା। ମହନ୍ତ ମାନେ ଦେବୋତ୍ତର କମିଶନରଙ୍କ ଠାରୁ ଅନୁମତି ନେଇ ମଠର ଚେଲାଙ୍କୁ ଉତ୍ତରାଧିକାରୀଭାବେ ନିଯୁକ୍ତ କରିଥାନ୍ତି। ଏନେଇ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ପଞ୍ଜୀକୃତ କରାଯାଇଥାଏ। ଶ୍ରୀମନ୍ଦିର ପ୍ରଶାସନର ଏକ ଚିଠି ପରେ ସବ୍‌ରେଜିଷ୍ଟ୍ରାର ଆଉ ପଞ୍ଜୀକରଣ କରୁନଥିବା କେତେଜଣ ମଠାଧୀଶ ମଧ୍ୟ ଅଭିଯୋଗ କରିଥିଲେ। ମଠର ସମସ୍ୟା ଏବଂ ସେମାନଙ୍କ ଅଭିଯୋଗ ଗୁଡିକ ଲିଖିତ ଭାବେ ଦାଖଲ କରିବାକୁ ମଠାଧୀଶ ମାନଙ୍କୁ ଦେବୋତ୍ତର କମିଶନର ପରାମର୍ଶ ଦେଇଛନ୍ତି। ବୈଠକରେ ରାଜ୍ୟ ଦେବୋତ୍ତର କମିଶନର କାର୍ଯ୍ୟାଳୟର ଆଇନ ଅଧିକାରୀ ସଞ୍ଜୀବ ମଲ୍ଲ, ବଡ଼ଓଡ଼ିଆ ମଠ ମହନ୍ତ ଅଧିକାରୀ ବଂଶୀଧର ଦାସ, ଉତ୍ତରପାର୍ଶ୍ୱ ମଠ ମହନ୍ତ ନାରାୟଣ ରାମନୁଜ ଦାସ, ନେବଳ ଦାସ ମଠର ସନ୍ଥ ଡ. ରାମଚରଣ ଦାସ, ବଡ଼ଆଖଡ଼ା ମଠ ମହନ୍ତ ଗଙ୍ଗା ଦାସ, ସାନଛତା ମଠର ରାମ ମନୋହର ଦାସ, ବଡଛତାର ବଳଦେବ ଦାସ, ରାଧବଲ୍ଲଭର ମହନ୍ତ ରାମକୃଷ୍ଣ ଦାସ, ହାତୀଆଖଡ଼ା ମଠର ମହନ୍ତ ଶୁଖରାମ ଦାସ, ବାଉଳି ମଠର ମହନ୍ତ ସତ୍ୟ ନାରାୟଣ ଦାସ, ଗୋପାଳ ତୀର୍ଥ ମଠର ବଳଭଦ୍ର ଦାସ ପ୍ରମୁଖ ବିଭିନ୍ନ ମଠର ପ୍ରାୟ ୩୦ଜଣ ସନ୍ଥ ମଠାଧୀଶ ଯୋଗ ଦେଇଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri