ବିଏମ୍‌ସିର ନୂଆ ନିୟମ: ଧାରଣା ପାଇଁ ଦିନକୁ ୫୦୦, ବିବାହ ଶୋଭାଯାତ୍ରା କଲେ ୫୦୦୦


ଭୁବନେଶ୍ୱର, ୬।୧୨(ବ୍ୟୁରୋ)- ଲୋୟର ପିଏମ୍‌ଜିରେ ଧାରଣା ହେଉ କି ସହରର କୌଣସି ସ୍ଥାନରେ ବିବାହ ଶୋଭାଯାତ୍ରା, ଏସବୁ ସମୟରେ ପରିମଳ ବ୍ୟବସ୍ଥା ବିଗିଡ଼ିଯାଉଛି। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି। ତେଣୁ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ସହିତ ଅତିରିକ୍ତ ବୋଝରୁ ମୁକୁଳିବାକୁ ବିଏମ୍‌ସି ନୂଆ ନିୟମ ଲାଗୁ କରିଛି। ଏଣିକି ରାଜଧାନୀରେ ଧାରଣା ଦେଲେ କିମ୍ବା ବିବାହ ଶୋଭାଯାତ୍ରା କଲେ ଲୋକଙ୍କୁ ଟଙ୍କା ଗଣିବାକୁ ପଡ଼ିବ। ଲୋୟର ପିଏମ୍‌ଜିରେ ଧାରଣା, ଶୋଭାଯାତ୍ରା କିମ୍ବା ବିକ୍ଷୋଭ ପ୍ରଦର୍ଶନ କରିବାକୁ ଚାହୁଁଥିବା ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କ ପାଇଁ ଦିନକୁ ସର୍ବନିମ୍ନ ଦେୟ ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ବିବାହ ଶୋଭାଯାତ୍ରା ପାଇଁ ୫୦୦୦ ଟଙ୍କା ଦେବାକୁ ହେବ। ଧାରଣାରେ ସାମିଲ ହେବାକୁ ଥିବା ବ୍ୟକ୍ତି ସଂଖ୍ୟା ୧୦୦ରୁ ୫୦୦ ଭିତରେ ରହିଲେ ୧୦୦୦ ଟଙ୍କା ଏବଂ ୫୦୦ରୁ ଅଧିକ ହେଲେ ମୁଣ୍ଡ ପିଛା ଅତିରିକ୍ତ ୫ଟଙ୍କା ଦାଖଲ କରିବାକୁ ହେବ। ବିଏମ୍‌ସିଠାରୁ ଅନୁମତି ନେବାବେଳେ ଏହି ଅର୍ଥ ପଇଠ କରାଯିବ। ପୋଲିସଠାରୁ ଅନୁମତି ଆଣିବା ସମୟରେ ଅର୍ଥ ପଇଠ ସଂକାନ୍ତ ରସିଦ ଦେଖାଇବାକୁ ପଡ଼ିବ। ବୁଧବାର ବିଏମ୍‌ସି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। ବିଧାନସଭା ଅଧିବେଶନ ଆରମ୍ଭ ହେଲେ ଲୋୟର ପିଏମ୍‌ଜିରେ ବହୁ ସଂଗଠନ ପକ୍ଷରୁ ଧାରଣା, ଶୋଭାଯାତ୍ରା ଆୟୋଜନ କରାଯାଉଛି। ଏହି ସମୟରେ ଅଞ୍ଚଳର ପରିମଳ ବ୍ୟବସ୍ଥା ଖରାପ ହେଉଛି। ଅଳିଆ ସଫା କରିବା ପାଇଁ ବିଏମ୍‌ସି ଅଧିକ ସଫେଇ କର୍ମଚାରୀ ନିୟୋଜିତ କରୁଛି। ଏହାଦ୍ୱାରା ବିଏମ୍‌ସିର ଅଧିକ ଖର୍ଚ୍ଚ ହେଉଥିବାରୁ ସେହି ଅର୍ଥ ଆନ୍ଦୋଳନକାରୀଙ୍କଠାରୁ ଅସୁଲ କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି। ସେଥିପାଇଁ ବିଏମ୍‌ସି ଆନ୍ଦୋଳନକାରୀଙ୍କ ଉପରେ ସିଧାସଳଖ ଭାବେ ଏକପ୍ରକାର ରୋକ୍‌ ଲଗାଇବା ପାଇଁ ନେଇଛି ନୂଆ ପଦକ୍ଷେପ। ଧାରଣା ଦେଲେ ବିଏମ୍‌ସି ପାଖରୁ ଅନୁମତି ନିଆଯାଉଛି। ବର୍ତ୍ତମାନ ଅନୁମତି ଆଣିଲା ବେଳେ ଧାରଣାରେ କେତେ ଲୋକ ସାମିଲ ହେବେ ସେନେଇ ଅନୁଷ୍ଠାନ କିମ୍ବା ସଂଗଠନ ପକ୍ଷରୁ ଦର୍ଶାଯିବା ସହିତ ନିୟମ ଅନୁସାରେ ନିର୍ଦ୍ଧାରିତ ଦେୟ ପଇଠ କରାଯିବ। ଏ ନେଇ ବିଏମ୍‌ସି ପକ୍ଷରୁ ପୋଲିସକୁ ଅବଗତ କରାଯିବ। ଫଳରେ ପୋଲିସ ଧାରଣା, ଶୋଭାଯାତ୍ରା ପାଇଁ ଅନୁମତି ଦେବା ବେଳେ ବିଏମ୍‌ସିକୁ ଦେୟ ପଇଠ ରସିଦ ଦେଖି ଅନୁମତି ଦେବ। ସେହିପରି ଧାରଣାରେ ସାମିଲ ହେଉଥିବା ବ୍ୟକ୍ତି ବାହାରେ ପରିସ୍ରା କିମ୍ବା ମଳତ୍ୟାଗ ନ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବେ। ସେହିପରି ବିଏମ୍‌ସି ଅଞ୍ଚଳରେ ବିବାହ, ବ୍ରତ, ଏକାଦଶାହ ପାଇଁ ଭୋଜିଭାତ ଏବଂ ବିବାହ ଶୋଭାଯାତ୍ରା ପାଇଁ ଲୋକଙ୍କୁ ୫୦୦୦ ଟଙ୍କା ଫି ଦେବାକୁ ପଡ଼ିବ। ଭୋଜି ସମୟରେ ପ୍ଲେଟ, ପ୍ଲାଷ୍ଟିକ୍‌ ଗ୍ଲାସ, ପାଣି ପାଉଚ୍‌ ସାଙ୍ଗକୁ ବଳକା ଖାଦ୍ୟ ଫିଙ୍ଗାଯାଉଛି। ସେଗୁଡ଼ିକୁ ସଫେଇ କରିବାକୁ ବିଏମ୍‌ସି ଅଧିକ କର୍ମଚାରୀଙ୍କୁ ନିୟୋଜିତ କରୁଛି। ଏହାସହିତ ସହରର ବିଭିନ୍ନ ସ୍ଥାନରେ ବିବାହ ଶୋଭାଯାତ୍ରା ବେଳେ ଶତାଧିକ ଲୋକ ସାମିଲ ହେଉଛନ୍ତି। ଶୋଭାଯାତ୍ରା ବେଳେ ବାଣ ଫୁଟୁଛି, ପାଣି ପାଉଚ, ବୋତଲ ରାସ୍ତାରେ ପଡ଼ୁଥିବାରୁ ପରିମଳ ବ୍ୟବସ୍ଥା ଖରାପ ହେଉଛି। ଏସବୁ ସଫେଇ କରିବା ଲାଗି ଉକ୍ତ ଅର୍ଥ ବ୍ୟବହାର କରାଯିବ। ଏଥିପାଇଁ ଲୋକମାନେ ନିଜ ଅଞ୍ଚଳର ଜୋନ୍‌ କାର୍ଯ୍ୟାଳୟରୁ ଅନୁମତି ନେବା ବେଳେ ଟଙ୍କା ପଇଠ କରିବେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri