ଚିନ୍ମୟ ହନୁମତ ମହୋତ୍ସବର ତୃତୀୟ ସନ୍ଧ୍ୟା: ବ୍ରହ୍ମଜ୍ଞାନ ପ୍ରଦାନ କରେ ପରାବିଦ୍ୟା


କଟକ ଅଫିସ, ୫।୧୨- ବିଦ୍ୟା ଦୁଇ ପ୍ରକାର। ପରା ବିଦ୍ୟା ଓ ଅପରାବିଦ୍ୟା। ଅପରାବିଦ୍ୟା ହେଉଛି ସଂସାର ସମ୍ବନ୍ଧୀୟ। ଆଉ ବ୍ରହ୍ମଜ୍ଞାନ ପ୍ରଦାନ କରେ ପରାବିଦ୍ୟା। ହନୁମାନ ବିଦ୍ୱାନ ହୋଇଥିଲେ ମଧ୍ୟ ତାଙ୍କର ବିଦ୍ୟାଜନିତ ଅହଙ୍କାର ନ ଥିଲା। ସେ ସର୍ବଦା ବିନମ୍ର ଥିଲେ। ଭଗବାନଙ୍କ କାର୍ଯ୍ୟ କରିବାରେ ଆତୁରତା ହିଁ ଗୁଣି ବ୍ୟକ୍ତିର ପରିଚାୟକ। ଯେଉଁଠାରେ ରଘୁନାଥଙ୍କ କଥା କୀର୍ତ୍ତନ ହୁଏ, ସେଠାରେ ମାରୁତ ନନ୍ଦନ ଶ୍ରୀହନୁମାନ ଅଶ୍ରୁପୂର୍ଣ୍ଣ ଚକ୍ଷୁରେ ଭକ୍ତି ଗଦ୍‌ଗଦ୍‌ ହୋଇ ଶୁଣନ୍ତି। ସେ ରାମକଥାର ଅନୁପମ ରସଗ୍ରାହୀ। ପ୍ରଭୁ ଶ୍ରୀରାମଙ୍କ କଥାମୃତ ଶୁଣିଲେ ବିଜ୍ଞଜନଙ୍କୁ ବିଶ୍ରାମ ମିଳେ। ଯେତେବେଳେ ଆମ ଜୀବନରେ ଜ୍ଞାନ, ଭକ୍ତି ଓ ବୈରାଗ୍ୟର ଉଦୟ ହୁଏ, ସେତେବେଳେ ଜୀବନ କୃତାର୍ଥ ହୋଇଥାଏ। ଚିନ୍ମୟ ମିଶନ ପକ୍ଷରୁ ବାଲିଯାତ୍ରା ପଡ଼ିଆରେ ଚାଲିଥିବା ଚିନ୍ମୟ ହନୁମତ ମହୋତ୍ସବର ମଙ୍ଗଳବାର ତୃତୀୟ ସନ୍ଧ୍ୟାରେ ସ୍ବାମୀ ତେଜୋମୟାନନ୍ଦ ସରସ୍ବତୀ ଶ୍ରଦ୍ଧାଳୁମାନଙ୍କୁ ପ୍ରବଚନରେ ଏହା କହିଥିଲେ। ସେ କହିଲେ, ଯୋଗ ଓ ପ୍ରାଣାୟାମ ଅଭ୍ୟାସ କରୁଥିବା ବ୍ୟକ୍ତି ସ୍ବସିଦ୍ଧି ବଳରେ ନିଜ ଶରୀରକୁ ବିରାଟ ଓ କ୍ଷୁଦ୍ର କରିପାରନ୍ତି। ହନୁମାନଙ୍କ ଅଷ୍ଟସିଦ୍ଧି ଥିଲା। ଅଗ୍ନି ଅନେକ ପ୍ରକାରର ଯଥା, ସୀତାଙ୍କ ଶୋକାଗ୍ନି, କ୍ରୋଧାଗ୍ନି ତଥା ହନୁମାନଙ୍କ ବୈରାଗ୍ୟ ଅଗ୍ନି, ଯାହା ଦ୍ୱାରା ସେ ଲଙ୍କାକୁ ଜାଳିଥିଲେ। ଭକ୍ତ ନିମିତ୍ତ ବିଷ ମଧ୍ୟ ଅମୃତ ହୋଇଥାଏ। ଲକ୍ଷ୍ମଣଙ୍କ ଶକ୍ତି ଭେଦ ଫଳରେ ସେ ଅଚେତ ହୋଇଥିଲେ। ଇନ୍ଦ୍ରଜିତ ତାଙ୍କୁ ଉଠାଇ ନେବାରେ ଅସଫଳ ହୋଇଥିଲେ। କିନ୍ତୁ ହନୁମାନ ତାଙ୍କୁ ଅନାୟାସରେ ଉଠାଇ ନେଇଥିଲେ। ସେହିପରି ଶ୍ରୀହନୁମାନ ସଞ୍ଜୀବନୀ ନିମିତ୍ତ ସମଗ୍ର ପର୍ବତ ଉଠାଇ ଆଣିଥିଲେ। ଶ୍ରୀରାମଚନ୍ଦ୍ର ଅତ୍ୟନ୍ତ ପ୍ରୀତ ହୋଇ ହନୁମାନଙ୍କୁ କହିଥିଲେ, ତୁମେ ମୋର ଭରତ ଭାଇ ସଦୃଶ ବୋଲି ସ୍ବାମୀଜୀ ତାଙ୍କ ପ୍ରବଚନ ମାଧ୍ୟମରେ ଶ୍ରଦ୍ଧାଳୁଙ୍କୁ କହିଥିଲେ। ପୂର୍ବାହ୍ନ ୬.୩୦ରୁ ୭ଟା ଯାଏ ଶ୍ରୀହନୁମାନ ୧୦୮ ନାମ ଉଚ୍ଚାରଣ କରାଯାଇଥିଲା । ସକାଳ ୭ଟାରୁ ୮ଟା ଯାଏ ଚିନ୍ମୟ ମିଶନ ମୁଖ୍ୟ ସ୍ବାମୀ ସଦାନନ୍ଦ ସରସ୍ବତୀ ଶ୍ରୀମଦ୍‌ ଭଗବତ୍‌ ଗୀତାର ଦ୍ୱାଦଶ ଅଧ୍ୟାୟ ଉପରେ ପ୍ରବଚନ ଦେଇ କହିଥିଲେ, ସମସ୍ତଙ୍କ ଭିତରେ ଈଶ୍ୱରଙ୍କୁ ଜାଣିବା ହେଉଛି ଭକ୍ତିଯୋଗର ରହସ୍ୟ। ଅପରାହ୍ନ ୨ଟାରୁ ୩.୩୦ ଯାଏ ଲକ୍ଷ୍ୟ ପ୍ରାପ୍ତିର ଉପାୟ ପ୍ରସଙ୍ଗରେ ସ୍ବାମୀ ନିଗମାନନ୍ଦ ସରସ୍ବତୀ କହିଥିଲେ। ମହୋତ୍ସବ ଅଭ୍ୟର୍ଥନ ସମିତି ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହଦେବ ମହାରାଣୀଙ୍କ ସହ ଉପସ୍ଥିତ ଥିଲେ। ଉପାଧ୍ୟକ୍ଷ ଡ. କିଶନଲାଲ ଅଗ୍ରୱାଲ ମଧ୍ୟ ମଞ୍ଚାସୀନ ଥିଲେ। ଅଭ୍ୟର୍ଥନା ସମିତି ସହସମ୍ପାଦକ ସଂଗ୍ରାମ କେଶରୀ କରଣଙ୍କ ସମେତ ସୁଧାଂଶୁ ଶେଖର ସାମଲ, କାଶୀନାଥ ରଥ, ଶୈଳେନ୍ଦ୍ର କୁମାର ଦାଶ, ଲିଙ୍ଗରାଜ ପତି, ସୁନୀଲ ମିତ୍ର ପ୍ରମୁଖ ସହଯୋଗ କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri