ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ କୌସ୍ତୁଭ


ପୁରୀ ଅଫିସ, ୫।୧୨: ଅଦ୍ୟମ ଇଚ୍ଛାଶକ୍ତି ଏବଂ ଏକାଗ୍ରତା ସଫଳତା ଆଣିଦିଏ। ଏହାକୁ ପ୍ରମାଣିତ କରିଛନ୍ତି ପୁରୀ କେନ୍ଦ୍ରୀୟ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର କୌସ୍ତୁଭ ମିଶ୍ର। ୧୧ବର୍ଷୀୟ ଏହି ଛାତ୍ର ଏବେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଛନ୍ତି। ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଛାତ୍ର ଜୀବନରୁ ପରିବେଶ ସୁରକ୍ଷା ପ୍ରତି ମନବଳାଇଥିବା କୌସ୍ତୁଭ ୨୦୧୭ ଏପ୍ରିଲରେ ମିଶନ ଓଡ଼ିଶା ପକ୍ଷରୁ ପୁରୀ ବେଳାଭୂମିରୁ ବାଲିହରିଚଣ୍ଡୀ ପର୍ଯ୍ୟନ୍ତ ଆୟୋଜିତ କୋଷ୍ଟାଲ ଟ୍ରାକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହି ସଫଳତା ହାସଲ କରିଛନ୍ତି। ୨୪ କିମି ବ୍ୟାପ୍ତ ଏହି କୋଷ୍ଟାଲ ଟ୍ରାକିଂରେ ଜଣେ ମାତ୍ର ଛାତ୍ର ଭାବେ ଅଂଶଗ୍ରହଣ କରି କୌସ୍ତୁଭ ବେଳାଭୂମି ସୁରକ୍ଷା, ସ୍ବଚ୍ଛତା, ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରେରଣ କରିଥିଲେ। କୋଷ୍ଟାଲ ଟ୍ରାକରେ ରହୁଥିବା ମତ୍ସ୍ୟଜୀବୀଙ୍କ ସହିତ ଭାବ ବିନିମୟ କରିବା ସହ ସେମାନଙ୍କ ଜୀବନଶୈଳୀ ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ। ବେଳାଭୂମିରେ ଚାଲିବା ସମୟରେ ରାସ୍ତାରେ ପଡିଥିବା ପ୍ଲାଷ୍ଟିକ ଜରି, ଅଳିଆ ଆବର୍ଜନା ଉଠାଇ ଡଷ୍ଟବିନ୍‌ରେ ପକାଇବା ସହ ଏନେଇ ବେଳାଭୂମିରେ ବୁଲାବୁଲି କରୁଥିବା ପର୍ଯ୍ୟଟକମାନଙ୍କୁ ବେଳାଭୂମିର ସ୍ବଚ୍ଛତା ପ୍ରତି ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିଲେ। ଏପରିକି ବେଳାଭୂମିରେ ମରି ପଡିଥିବା କଇଁଛ ମାନଙ୍କୁ ନିଜ ହାତରେ ଗାତଖୋଳି ପୋତିଥିଲେ। କୌସ୍ତୁଭଙ୍କ ଏଭଳି ପ୍ରଶଂସନୀୟ କାର୍ଯ୍ୟ ଲାଗି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ ସଂସ୍ଥା ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛି। ତାଙ୍କର ଏହି ଦୁଃସାହସିକ କାର୍ଯ୍ୟ ଲାଗି ଆଗକୁ ଅହମ୍ମଦାବାଦର ୱାର୍ଲଡ ରେକର୍ଡ ଇଣ୍ଡିଆ ତାଙ୍କୁ ସମ୍ମାନିତ କରିବା ଲାଗି ସ୍ଥିର ହୋଇଥିବା ଜଣାପଡିଛି। କୌସ୍ତୁଭଙ୍କ ଏହି ସଫଳତା ଲାଗି କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷୟିତ୍ରୀ, ଶିକ୍ଷକ, କର୍ତ୍ତୃପକ୍ଷ, ମିଶନ୍‌ ଓଡ଼ିଶା ଟିମ୍‌ ସଦସ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri