ପୁରୀ ଜିଲାର ୭୦ପ୍ରତିଶତ ମାଟି ଅମ୍ଳଯୁକ୍ତ


ପୁରୀ ଅଫିସ, ୫।୧୨: ପୁରୀ ଜିଲାରେ ୧ଲକ୍ଷ ୬୧ହଜାର ହେକ୍ଟର ଚାଷ ଉପଯୋଗୀ ଜମି ରହିଛି। ସେଥିରୁ ଚଳିତ ବର୍ଷ ୧ଲକ୍ଷ ୪୨ହଜାର ହେକ୍ଟର ଜମିରେ ଧାନ ଚାଷ ଏବଂ ବାକି ଜମିରେ ଅଣଧାନ ଚାଷ ହୋଇଛି। ଜିଲାରେ ଥିବା ଚାଷ ଜମିର ୭୦ ପ୍ରତିଶତ ମୃତ୍ତିକା ଅମ୍ଳଯୁକ୍ତ ହୋଇଥିବା ବେଳେ ୨୦ଭାଗ ଖାରି ଏବଂ ୧୦ ଭାଗ ଲବଣାକ୍ତ ରହିଛି। ପେପର କଳ ମଣ୍ଡ, ଚୂନ, ଜୈବିକ ସାର, ନିମ ଓ କରଞ୍ଜ ପିଡିଆ ଆଦି ପକାଯାଇ ଅମ୍ଳଯୁକ୍ତ ମାଟିକୁ ଉର୍ବର କରାଯାଇପାରିବ। ସେହିପରି ଜିପ୍‌ସମ ପକାଯାଇ ମାଟିରେ ଥିବା ଖାରି ଅଂଶକୁ ହ୍ରାସ କରି ଉର୍ବର କରାଯାଇ ପାରିବ। ପୁରୀ ଜିଲାରେ ବର୍ତ୍ତମାନ ସୁଦ୍ଧା ୯୩୫୦ହେକ୍ଟର ଜମିର ଅମ୍ଳମାଟି ଏବଂ ୯୩୫୩ ହେକ୍ଟର ଜମିର ଖାରି ମାଟିକୁ ଉପରୋକ୍ତ ପଦ୍ଧତି ଅବଲମ୍ବନ କରି ଉର୍ବର କରାଯାଇଛି ବୋଲି ବିଶ୍ୱ ମୃତ୍ତିକା ଦିବସର ଜିଲାସ୍ତରୀୟ ଉତ୍ସବରେ କୃଷି ଉପନିର୍ଦ୍ଦେଶକ ଏସ. ଚନ୍ଦ୍ରଶେଖର ରାଓ କହିଛନ୍ତି। କାକଟପୁର ବ୍ଲକ ସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପରିସରରେ ବିଶ୍ୱ ମୃତ୍ତିକା ଦିବସର ଜିଲାସ୍ତରୀୟ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବରେ ଅଧ୍ୟକ୍ଷତା କରି କୃଷି ଉପନିର୍ଦ୍ଦେଶକ ରାଓ କହିଲେ, ୨୦୧୫ରୁ ବର୍ତ୍ତମାନ ସୁଦ୍ଧା ଜିଲାରେ ୧ ଲକ୍ଷ ୧୧ଶହ ଚାଷୀଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ (ସଏଲ ହେଲ୍‌ଥ କାର୍ଡ) ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳେଇ, କାକଟପୁର ବ୍ଲକ ଅଧ୍ୟକ୍ଷା ମନୋରମା ସ୍ବାଇଁ, ଆତ୍ମାର ଅଧ୍ୟକ୍ଷ ପ୍ରଶାନ୍ତ ମହାନ୍ତି, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ନବକିଶୋର ତାଡ, ମୃତ୍ତିକା ରସାୟନବିତ୍‌ ସୁନୀତା ମିଶ୍ର, ସହକାରୀ କୃଷି ଅଧିକାରୀ ସୌଭାଗ୍ୟ ମହାନ୍ତି, ନିମାପଡା ଶସ୍ୟ ସଂରକ୍ଷଣ ଅଧିକାରୀ ନକୁଳ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ଜିଲାର ବିଭିନ୍ନ ଅଞ୍ଚଳରୁ ୧୫୦ଜଣ ଚାଷୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଉତ୍ସବରେ ୧୧ ଜଣ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନିମାପଡା ବ୍ଲକର ଚାଷୀ ଭାଗୀରଥି ବାରିକ, କାକଟପୁରର ଚରଣ କାଣ୍ଡି, ଗୋପର ପ୍ରଫୁଲ୍ଲ କୁମାର ଜେନା, ପିପିଲିର ସନ୍ତୋଷ କୁମାର ଜେନା, ଅସ୍ତରଙ୍ଗର ବାବୁରାମ ବରାଳ, ପୁରୀ ସଦରର ରଶ୍ମିରଞ୍ଜନ ପାଇକରାୟ, ବ୍ରହ୍ମଗିରିର ରଘୁନାଥ ସାହୁ, କୃଷ୍ଣପ୍ରସାଦର ଶତ୍ରୁଘ୍ନ ବିଶ୍ୱାଳ, କଣାସର ରଘୁନାଥ ବିଶ୍ୱାଳ, ସତ୍ୟବାଦୀର ପର୍ଶୁରାମ ବିଶ୍ୱାଳ ଏବଂ ଡେଲାଙ୍ଗ ବ୍ଲକର ଚାଷୀ ହରିହର ବଳବନ୍ତରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶହେ ଜଣ ଚାଷୀଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା। ଶେଷରେ ଯୁଗ୍ମ ମାନ ନିରୀକ୍ଷକ ସୁରେଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri