ବାଉଳି ମଠ: ଜମି କିଣିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହନ୍ତ


ପୁରୀ ଅଫିସ, ୫।୧୨: ଉଦାସୀନ ସମ୍ପ୍ରଦାୟର ବାଉଳି ମଠକୁ ଶ୍ରୀମନ୍ଦିର ପ୍ରଶାସନ ଦଖଲକୁ ନେବା ପ୍ରସଙ୍ଗ ଏବେ ଭିନ୍ନମୋଡ ନେଇଛି। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଜମି ନୀତି ଅନୁଯାୟୀ ମହନ୍ତଙ୍କ ନାମରେ ବିକ୍ରି ପତ୍ର (ସେଲ ଡିଡ୍‌) କରିବା ଲାଗି ନିର୍ଦ୍ଦେଶ ଦେବାକୁ ନିବେଦନ କରି ମଠ ମହନ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାମଲାର ଶୁଣାଣି କରି ହାଇକୋର୍ଟ ଏକ ମଧ୍ୟବର୍ତ୍ତିକାଳୀନ ରାୟ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍ଥିତାବସ୍ଥା ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୧୮ତାରିଖରେ ଏହି ମାମଲା ପରବର୍ତ୍ତୀ ଶୁଣାଣି ରହିଛି। ଅନ୍ୟପକ୍ଷରେ ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ସ୍ବାଇଁ ମଙ୍ଗଳବାର ମଠର ଲଜିଂରେ ଥିବା ଜିନିଷର ତାଲିକା ପ୍ରସ୍ତୁତ କରିବା ଲାଗି ଯାଇଥିଲେ। ତେବେ ମହନ୍ତ କୋର୍ଟ ନିର୍ଦ୍ଦେଶ ଦେଖାଇବା ପରେ ଅଧିକାରୀ ଆଉ ଯାଞ୍ଚ ନ କରି ଖାଲିହାତରେ ଫେରିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ବାଉଳି ମଠକୁ ଗତ ନଭେମ୍ବର ୨୨ରେ ଶ୍ରୀମନ୍ଦିର ପ୍ରଶାସନ ଦଖଲକୁ ନେଇଥିଲା। ଏହାପରେ ଏହି ମାମଲା ହାଇକୋର୍ଟରେ ପହଞ୍ଚତ୍ଛି। ଏହି ମାମଲାରେ ମଠ ପକ୍ଷରୁ ରାଜ୍ୟ ସରକାରଙ୍କ ରାଜସ୍ବ ସଚିବ, ଶ୍ରୀମନ୍ଦିର ମନ୍ଦିର ମୁଖ୍ୟ ପ୍ରଶାସକ, ଜିଲାପାଳ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି, ରାଜ୍ୟ ଦେବୋତ୍ତର କମିଶନର ଏବଂ ଶ୍ରୀମନ୍ଦିର ପ୍ରଶାସକଙ୍କୁ ପକ୍ଷଭୁକ୍ତ କରାଯାଇଛି। ପ୍ରକାଶଥାଉ କି, ଶ୍ରୀମନ୍ଦିର ପ୍ରଶାସନର ଜମି ବିକ୍ରି ଲାଗି ୟୁନିଫର୍ମ ପଲିସି-୨୦୧୩ ରହିଛି। ଏହି ନୀତି ଅନୁଯାୟୀ ୩୦ବର୍ଷରୁ ଅଧିକ ସମୟ ଶ୍ରୀଜଗନ୍ନାଥଙ୍କ ଜମିରେ ରହିଥିବା ବ୍ୟକ୍ତିଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପରିଚାଳନା କମିଟିର ଅନୁମୋଦନ କ୍ରମେ ଜମି ବିକ୍ରି କରୁଛି। ଏହି ନୀତି ଅନୁଯାୟୀ ବାଉଳିମଠ ଜମି କିଣିବାକୁ ମହନ୍ତ ଆବେଦନ କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri