ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ: ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚତ୍ଲା ଅଭିଯୋଗ


ଭୁବନେଶ୍ୱର,୪।୧୨(ବ୍ୟୁରୋ)- ରାଜ୍ୟ ଫିଲ୍ମ ପୁରସ୍କାର ଚୟନକୁ ନେଇ ବରିଷ୍ଠ ଅଭିନେତ୍ରୀ ମହାଶ୍ୱେତା ରାୟ ପ୍ରଶ୍ନ ଉଠାଇବା ପରେ ବିବାଦ ବଢିବାରେ ଲାଗିଛି। ଜଣକ ପରେ ଜଣେ ଓଡ଼ିଆ କଳାକାର ଏନେଇ ମୁହଁ ଖୋଲୁଛନ୍ତି। ଏପରିକି ପୁରସ୍କାର ଚୟନରେ ସ୍ବଚ୍ଛତା ରହୁ ନ ଥିବା ଅଭିଯୋଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ପହଞ୍ଚତ୍ଛି। ଚଳଚ୍ଚିତ୍ର ନିର୍ଦ୍ଦେଶକ ସନ୍ତୋଷ ପଣ୍ଡା ଟୁଇଟର ଏବଂ ଫେସ୍‌ବୁକ୍‌ ମାଧ୍ୟମରେ ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଶିଶୁ ଅଧିକାର ଉପରେ ପ୍ରସ୍ତୁତ ଚଳଚ୍ଚିତ୍ର ‘ସାବାସ୍‌ ବିଜୁ’କୁ ଚଳଚ୍ଚିତ୍ର ପୁରସ୍କାରରେ ଅଣଦେଖା କରାଯାଇଥିବା ସେ ଅଭିଯୋଗ ଉଠାଇଛନ୍ତି। ନିର୍ଦ୍ଦେଶକ ପଣ୍ଡା ଉଲ୍ଲେଖ କରିଛନ୍ତି ଯେ, ୨୦୧୬ରେ ରାଜସ୍ଥାନରେ ଅନୁଷ୍ଠିତ ଜାତୀୟ ଶିଶୁ ଚଳଚ୍ଚିତ୍ର ଉତ୍ସବ ଏବଂ ୨୦୧୭ରେ ହାଇଦ୍ରାବାଦରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବରେ ‘ସାବାସ୍‌ ବିଜୁ’ ସ୍କ୍ରିନିଂ ହେବାସହ ପ୍ରଶଂସା ସାଉଣ୍ଟିଥିଲା। ଏହି ମହୋତ୍ସବରେ ୧୦୯ଟି ଦେଶର ଶିଶୁ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିବା ବେଳେ ଏକମାତ୍ର ସିନେମାଭାବେ ‘ସାବାସ୍‌ ବିଜୁ’ ସେଠାରେ ଦୁଇଥର ପ୍ରଦର୍ଶିତ ହୋଇଥିଲା। ଏଭଳି ଏକ ସିନେମାକୁ ଚୟନ ପ୍ରକ୍ରିୟାରେ ଅର୍ନ୍ତଭୁକ୍ତ ବି କରାଯାଇନାହିଁ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, ଏହା ଏକମାତ୍ର ଶିଶୁ ଚଳଚ୍ଚିତ୍ର ଭାବେ ରାଜ୍ୟ ଫିଲ୍ମ ଆଓ୍ବାର୍ଡ ପାଇଁ ଆବେଦନ କରିଥିଲେ ମଧ୍ୟ ଏହାକୁ ବିଚାରକୁ ନିଆଯାଇନାହିଁ। ଏପରିକି ଏଥର ଚୟନ ପ୍ରକ୍ରିୟା ଠିକ୍‌ ହୋଇ ନ ଥିବା ନେଇ ବରିଷ୍ଠ ଅଭିନେତ୍ରୀ, ଅଭିନେତା ଓ ସଂଗଠନ ସ୍ବର ଉଠାଉଛନ୍ତି। ତେଣୁ ହସ୍ତକ୍ଷେପ କରି ନ୍ୟାୟ ପ୍ରଦାନ କରିବାକୁ ନିର୍ଦ୍ଦେଶକ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ସେହିଭଳି ବରିଷ୍ଠ ଅଭିନେତ୍ରୀ ମହାଶ୍ୱେତା ସୋମବାର ପୁଣିଥରେ ମୁହଁ ଖୋଲିଛନ୍ତି। ‘ନିଜେ ନିଜର ବିଚାରକ ହେବା ଉଚିତ୍‌ ନୁହେଁ’ ବୋଲି ଜୁରୀ ସଦସ୍ୟ ଏବଂ ସଂସ୍କୃତି ବିଭାଗ ଅଧିକାରୀ ଦେଇଥିବା ମତକୁ ସେ କାଉଣ୍ଟର କରିଛନ୍ତି। ଏ ସମ୍ପର୍କରେ ସେ ‘ଧରିତ୍ରୀ’କୁ କହିଛନ୍ତି ଯେ ପ୍ରତ୍ୟେକ କଳାକାର ସର୍ବପ୍ରଥମେ ନିଜେ ନିଜର ବିଚାରକ ଓ କ୍ରିଟିକ୍‌। ଜୁରୀ ସଦସ୍ୟମାନଙ୍କୁ ମୁଁ ଗୋଟିଏ ପ୍ରଶ୍ନ କରିବାକୁ ଚାହୁଁଛି, ‘ଚିନି’ ଚଳଚ୍ଚିତ୍ରକୁ ସେମାନେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଁ ମନୋନୀତ କଲେ। ହେଲେ ଏହି ଫିଲ୍ମରେ କ’ଣ ଦେଖିଲେ ଯେ ଏହାକୁ ଶ୍ରେଷ୍ଠ ବୋଲି ଭାବିଲେ? ନା କାହାଣୀକୁ, ନା ଚିତ୍ରନାଟ୍ୟକୁ, ନା ନିର୍ଦ୍ଦେଶକଙ୍କୁ, ନା ଏଡିଟିଂକୁ, ନା ସଙ୍ଗୀତକୁ, ନା କଳାକାରଙ୍କୁ, ଯଦି କାହାରିକୁ ଶ୍ରେଷ୍ଠ ବୋଲି ଭାବିଲେନି ତା’ହେଲେ ଫିଲ୍ମ କେମିତି ଶ୍ରେଷ୍ଠ ବୋଲି ଭାବିଲେ। ଫିଲ୍ମରେ ଯଦି କିଛି ଶ୍ରେଷ୍ଠ ନ ଥିଲା ଫିଲ୍ମ କେମିତି ଶ୍ରେଷ୍ଠ ହେଲା। ଜୟଦେବ ପୁରସ୍କାର ପାଇଗଲି ବୋଲି ମୁଁ କ’ଣ ଅଭିନୟରୁ ଅବସର ନେଇ ଘରେ ବସିବି ନା ବୃଦ୍ଧାଶ୍ରମକୁ ଯିବି। ଅନ୍ୟାୟ ଦେଖି ମୁହଁ ନଖୋଲିବାକୁ ସେମାନେ ମୋତେ ବାଧ୍ୟ କରୁଛନ୍ତି। ଏପର୍ଯ୍ୟନ୍ତ ଚୁପ୍‌ ରହିବାରୁ ଇଣ୍ଡଷ୍ଟ୍ରୀର ବହୁତ କ୍ଷତି ହୋଇଗଲାଣି। ଭବିଷ୍ୟତରେ ଇଣ୍ଡଷ୍ଟ୍ରୀର ସମସ୍ୟା ନେଇ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବୁ ବୋଲି ସେ କହିଛନ୍ତି। ଆଉ କେତେଜଣ ଅଭିନେତ୍ରୀ ଓ ଅଭିନେତା ସମାଲୋଚନା କରି କହିଛନ୍ତି ଯେ, ପୁରସ୍କାର ଚୟନବେଳେ ଗତ କିଛିବର୍ଷ ହେଲା ପାତରଅନ୍ତର କରାଯାଉଛି। କେତେଜଣ ଜୁରୀ ସଦସ୍ୟ ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକଙ୍କ ସହ ଭିତିରିଆ ସମ୍ପର୍କରେ ରହୁଛନ୍ତି। କିଭଳି ପୁରସ୍କାର ମିଳିବ ସେନେଇ କମିଟି ବୈଠକରେ ବଡପାଟିରେ ହୋହାଲ୍ଲା କରୁଛନ୍ତି। ଏପରିକି ପୁରସ୍କାର ମିଳିବା ଆଗରୁ ବାହାରେ ପ୍ରକାଶ କରୁଛନ୍ତି ଓ ପୁରସ୍କାର ପାଇବା ପରେ ସେମାନଙ୍କ ଘରକୁ ଯାଇ ମିଠା ଖାଉଛନ୍ତି। ଏଭଳି ପ୍ରକ୍ରିୟା ବନ୍ଦ କରା ନ ଗଲେ ଓଡ଼ିଶା ଚଳଚ୍ଚିତ୍ରର ଭବିଷ୍ୟତ ଅନ୍ଧକାର ଭିତରକୁ ଚାଲିଯିବ ବୋଲି ସେମାନେ କହୁଛନ୍ତି। ମୁହଁ ଖୋଲିଲେ ଉତ୍ତମ ମହାନ୍ତି: ମହାଶ୍ୱେତାଙ୍କ ପରେ ଆଉଜଣେ ଜୟଦେବ ପୁରସ୍କାର ବିଜେତା ଅଭିନେତା ଉତ୍ତମ ମହାନ୍ତି ପୁରସ୍କାର ଚୟନକୁ ନେଇ ମୁହଁ ଖୋଲିଛନ୍ତି। ଧରିତ୍ରୀକୁ ଏହି ବରିଷ୍ଠ ଅଭିନେତା କହିଛନ୍ତି, ଅଜାଗା ଘା ଦେଖି ହୁଏନି କି ଦେଖାଇ ହୁଏନି। ଯେହେତୁ ସରକାର ପୁରସ୍କାର ଚୟନ କରୁଛନ୍ତି, ତେଣୁ କିଛି କହିହେଉନି। କାହାଉପରେ ମନ୍ତବ୍ୟ ରଖିବା ମଧ୍ୟ ଉଚିତ ହେବନି। ମହାଶ୍ୱେତାଙ୍କ ପ୍ରତି ଅନ୍ୟାୟ ହୋଇଛି। ଯେଉଁ ଫିଲ୍ମ ପାଇଁ ସେ ଶ୍ରେଷ୍ଠ ସହ ଅଭିନେତ୍ରୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି, ଉକ୍ତ ଫିଲ୍ମ ପ୍ରିମିୟର ଶୋ’ ପରେ ହଲ୍‌ରୁ ଉଠିଯାଇଛି। ହେଲେ ସେଭଳି ସ୍ଥଳେ ‘ଚିନି’ ଶ୍ରେଷ୍ଠ ଚଳଚ୍ଚିତ୍ର ହୋଇଥିଲେ ବି ସେଥିରେ ତାଙ୍କର ଅଭିନୟକୁ ବିଚାରକୁ ନିଆଯାଇନି। କେବଳ ସେହି ଫିଲ୍ମ ନୁହେଁ, ଅନ୍ୟ ଯେଉଁ ଫିଲ୍ମ ଚଳିତବର୍ଷ ରାଜ୍ୟ ପୁରସ୍କାର ପାଇଛନ୍ତି ସବୁ ଫିଲ୍ମ ଗୋଟିଏ କିମ୍ବା ଦୁଇଦିନ ପରେ ହଲ୍‌ରୁ ଉଠିଯାଇଛି। ଜୁରୀ ସଦସ୍ୟମାନଙ୍କ ଏଭଳି ଅନିୟମିତତା ଓ ପାତରଅନ୍ତର ଯୋଗୁ ଅନେକ ନିର୍ଦ୍ଦେଶକ ଓ ପ୍ରଯୋଜକ ଭଲ ଫିଲ୍ମକୁ ରାଜ୍ୟ ପୁରସ୍କାର ପାଇଁ ପଠାଉ ନାହାନ୍ତି। ଏହାଠାରୁ ଦୁର୍ଭାଗ୍ୟଜନକ ଆଉ କିଛିନୁହେଁ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri