୬ରେ ମଠ ମହନ୍ତଙ୍କ ବୈଠକ


ପୁରୀ ଅଫିସ, ୪।୧୨: ପୁରୀ ସହରର ମଠ ମହନ୍ତମାନଙ୍କୁ ନେଇ ରାଜ୍ୟ ଦେବୋତ୍ତର କମିଶନର ଆସନ୍ତା ୬ ତାରିଖରେ ଏକ ବୈଠକ ଡାକିଛନ୍ତି। ଏହି ବୈଠକ ଭୁବନେଶ୍ୱରସ୍ଥିତ କମିଶନରଙ୍କ କାର୍ଯ୍ୟାଳୟରେ ବସିବ। ବୈଠକରେ ୮୮ଟି ମଠର ମହନ୍ତ ଯୋଗେଦେବେ। ମଠ ମହନ୍ତମାନଙ୍କୁ ଦେବୋତ୍ତର କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି କରାଯାଇଛି। ତେବେ ଶ୍ରୀମନ୍ଦିର ପ୍ରଶାସନର ମଠ ଦଖଲ ବୈଠକରେ ମୁଖ୍ୟ ପ୍ରସଙ୍ଗ ହେବ ବୋଲି କୁହାଯାଉଛି। ବାଲିସାହିରେ ଥିବା ବାଉଳି ମଠକୁ ଶ୍ରୀମନ୍ଦିର ପ୍ରଶାସନ ହାତକୁ ନେଇଛି। ମଠାଧୀଶ ନ ଥିବା ଆଉ ୪ଟି ମଠ ହାତକୁ ନେବାଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସରଜମିନ ତଦନ୍ତ ଚାଲିଛି। ସୁପ୍ରିମକୋର୍ଟଙ୍କ ରାୟ ଭିତ୍ତିରେ ମଠଗୁଡିକୁ ଶ୍ରୀମନ୍ଦିର ପ୍ରଶାସନ ଦଖଲକୁ ନେଉଛି। ଏହାପୂର୍ବରୁ ୨୦୧୩ ମସିହାରେ ଶ୍ରୀମନ୍ଦିର ପ୍ରଶାସନ ଗୋପାଳ ତୀର୍ଥ ମଠକୁ ହାତକୁ ନେଇଥିଲା। ଶ୍ରୀକ୍ଷେତ୍ରରେ ଶତାଧିକ ମଠ ରହିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନର ପଦକ୍ଷେପ ପରେ ମଠାଧୀଶମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଦେବୋତ୍ତର କମିଶନର ବିରଜା ପ୍ରସାଦ ଦତ୍ତ ଗତ ୨୯ତାରିଖରେ ପୁରୀ ଗସ୍ତରେ ଆସିଥିଲେ। ପୁରୀରେ ଥିବା ୮ଟି ମଠର ସ୍ଥିତି ଅନୁଧ୍ୟାନ କରିଥିଲେ। ମଠ ଅନୁଧ୍ୟାନ ବେଳେ କେତେଜଣ ମଠ ମହନ୍ତ ଏ ସମ୍ପର୍କରେ ଦେବୋତ୍ତର କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରି କି ମଠ ମହନ୍ତମାନଙ୍କୁ ନେଇ ଏକ ବୈଠକ ଡାକିବାକୁ ଅନୁରୋଧ କରିଥିଲେ। ବୈଠକରେ ମଠ ଏବଂ ଶ୍ରୀମନ୍ଦିରକୁ ଭିତ୍ତିକରି ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ଆଲୋଚନା ହେବ। ଏପରି କି ଶ୍ରୀମନ୍ଦିର ପ୍ରଶାସନ କେଉଁ ଭିତ୍ତିରେ ମଠ ଦଖଲକୁ ନେଉଛି ଏବଂ ଏଥିନେଇ ମହନ୍ତମାନଙ୍କ ମତ କ’ଣ ରହିଛି, ତାହା ଉପରେ ବୈଠକରେ ଆଲୋଚନା ହେବ। ସହରରେ ଥିବା ମଠଗୁଡିକର ସ୍ଥିତି ଏବଂ ସମସ୍ୟା ସମ୍ପର୍କରେ ଆଲୋଚନା ହେବ। ଏହାସହିତ ମହନ୍ତ ନ ଥିବା ଜବରଦଖଲରେ ରହିଥିବା ମଠଗୁଡିକ ଉପରେ କି ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଗୋପାଳ ତୀର୍ଥ ମଠକୁ ଶ୍ରୀମନ୍ଦିର ପ୍ରଶାସନ ହାତକୁ ନେବା ପରେ ମଠର କୋଠାକୁ ଭାଙ୍ଗି ଦିଆଯାଇଛି। ସେଠାରେ କେବଳ ଭୁବନେଶ୍ୱରୀ ମନ୍ଦିର ରହିଛି। ଉକ୍ତ ଜମିରେ ସେବାୟତ ପାଇଁ ବାସଗୃହ କରାଯିବାର ଯୋଜନା ରହିଛି। ଉକ୍ତ ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିସାରିଛନ୍ତି। ଶିଳାନ୍ୟାସକୁ ଇତିମଧ୍ୟରେ ଦୁଇବର୍ଷ ବିତିଯାଇଥିଲେ ହେଁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ଗୋପାଳ ତୀର୍ଥ ମଠ ଗୋବର୍ଦ୍ଧନ ପୀଠର ଏକ ଶାଖା ମଠ ବୋଲି କୁହାଯାଉଛି। ତେଣୁ ଏହି ପ୍ରକଳ୍ପ ଅଟକି ରହିଥିବା କୁହାଯାଉଛି। ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ହାତକୁ ନେବାକୁ ଯୋଜନା ରଖିଛି। ଏ ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବୈଠକରେ ବାରମ୍ବାର ଆଲୋଚନା ହୋଇଛି। ମଠ ସଂସ୍କୃତି ଶ୍ରୀମନ୍ଦିର ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ ହୋଇଥିବା ବେଳେ ଦୁଇ ଅନୁଷ୍ଠାନ ମଧ୍ୟରେ ବର୍ଷ ବର୍ଷ ଧରି ବିବାଦ ଲାଗି ରହିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri