ଅବହେଳିତ ଐତିହ୍ୟ :ହଜିଯିବ ଶ୍ରୀକ୍ଷେତ୍ରର ସ୍ବତନ୍ତ୍ରତା


ଐତିହ୍ୟ ହେଉଛି ଗୋଟିଏ ଜାତିର ପରିଚୟ। ଆମର ଶାସ୍ତ୍ର, ପୁରାଣ, କାହାଣୀ, କିମ୍ବଦନ୍ତୀ, ଲୋକଗପ, ଲୋକକଥା ଓ ଲୋକଗୀତ ହେଉଛି ଐତିହ୍ୟର ବିଭବ। ଐତିହ୍ୟକୁ ଇତିହାସର ଉପାଦାନ ବୋଲି ଗ୍ରହଣ କରାଯାଏ। ସେହି ପରମ୍ପରା ଭାରତରେ ମଧ୍ୟ ପ୍ରାଚୀନ କାଳରୁ ରହି ଆସିଛି। କିନ୍ତୁ ଇଂରେଜ ଶାସନ କାଳରେ ଓଡ଼ିଶା ବାହାରର ସମସ୍ତ ଐତିହାସିକ ଆମ ଐତିହ୍ୟକୁ ଗୁରୁତ୍ୱ ତ ଦେଲେନାହିଁ, ପ୍ରକୃତ ଇତିହାସକୁ ମଧ୍ୟ ଟାହିଟାପରା କରି ଜନଶ୍ରୁତି ବା ଲୋକକଥା ବୋଲି ଲେଖିଦେଇଗଲେ। ପ୍ରକୃତ ଇତିହାସ ଓ ଇତିହାସର ଐତିହ୍ୟ ପ୍ରତି ସମାଜରେ ଆଦର କମିଗଲା। ଫଳସ୍ବରୂପ ଐତିହ୍ୟର ସ୍ମାରକୀ ଏବଂ ଐତିହ୍ୟ ସ୍ଥଳଗୁଡ଼ିକ ଅବହେଳିତ ହୋଇପଡିବାରୁ ବିକୃତ ମାନସିକତା ଆମ ସଂସ୍କୃତିକୁ ଧସେଇ ପଶିଲା। ପୁରୀ ଅଫିସ,୩।୧୨: ଐତିହ୍ୟ ସହର ପୁରୀ। ମହାପ୍ରଭୁଙ୍କୁ ନେଇ ପ୍ରାଚୀନ କାଳରୁ ଶ୍ରୀକ୍ଷେତ୍ର ଏକ ଧାମ ଭାବେ ପରିଚିତ। ତେଣୁ ଭାରତର ସାଧୁ, ସନ୍ଥ, ଦାର୍ଶନିକ ଏହି ଧାମକୁ ଆସି ନିଜ ମତବାଦକୁ ଶ୍ରୀଜଗନ୍ନାଥଙ୍କ ଉପାସନା ଧାରା ସହିତ ସମୀକରଣ କରାଇଥିଲେ। ଏହି ଉପାସନା ଧାରାରେ ନିଜକୁ ସାମିଲ କରାଇ ନେଇଥିଲେ। ସେମାନଙ୍କ ମଧ୍ୟରୁ ଅନେକ ସାଧୁସନ୍ଥ ନୀଳାଚଳ କ୍ଷେତ୍ରରେ ମଠ, ଆଶ୍ରମ ଓ ଆସ୍ଥାନ ପ୍ରତିଷ୍ଠା କରି ଫେରିଯାଇଥିବା ବେଳେ ଆଉ କେତେଜଣ ଜୀବନର ଶେଷ ପର୍ଯ୍ୟନ୍ତ ପରମ ପଦ ଲାଭ ପାଇଁ ଏଠାରେ ରହିଯାଇଥିଲେ। ସେମାନେ ପ୍ରତିଷ୍ଠା କରିଥିବା ମଠ, ଆଶ୍ରମ, ଆସ୍ଥାନ ଆମ ଐତିହ୍ୟର ଗୋଟିଏ ଗୋଟିଏ ମହାନ୍‌ ସ୍ମାରକୀ ପାଲଟିଯାଇଛି। ଏହାବାଦ୍‌ ପୁରୀର ଘାଟ, ବାଟ, ମନ୍ଦିର, ଶ୍ମଶାନ, ପ୍ରସିଦ୍ଧ ଓ ତୀର୍ଥ ପୁଷ୍କରିଣୀ, ଜାଗା ଆଖଡା, କୋଟ, ଗୁରୁଜଗୁଡ଼ିକର ମଧ୍ୟ ଐତିହ୍ୟ ରହିଛି। ଆମ ପ୍ରାଚୀନ ଐତିହ୍ୟ ସହ ଏସବୁର ନିବିଡ଼ ସମ୍ପର୍କ ରହିଥିବା ଇତିହାସ ବିରଳ ନୁହେଁ। ତଥାପି ଏଗୁଡ଼ିକର ସଂରକ୍ଷଣ ଓ ବିକାଶ ପ୍ରତି ଯେତିକି ଯତ୍ନଶୀଳ ହେବା କଥା ସେଥିରେ ଅବହେଳା କରାଯାଉଛି।ପୁରୀ ସହରରେ ପ୍ରାୟ ୫୦୦ ଐତିହ୍ୟସ୍ଥଳୀ ରହିଛି। ଏହି ଐତିହ୍ୟସ୍ଥଳୀଗୁଡ଼ିକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ଐତିହ୍ୟ ମାର୍ଗ ଏବଂ ଐତିହ୍ୟ ପଥର ପରିକଳ୍ପନା କରାଯାଇଛି। ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତ, ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀ ଯାନବାହନରେ ଐତିହ୍ୟ ମାର୍ଗ ବୁଲିପାରିବେ। ଏହି ମାର୍ଗରେ ପଡୁଥିବା ଐତିହ୍ୟସ୍ଥଳୀଗୁଡ଼ିକୁ ଦେଖିବା ସହିତ ଏ ବିଷୟରେ ସବିଶେଷ ତଥ୍ୟ ମଧ୍ୟ ପାଇପାରିବେ। ଏଥିସହ ଶ୍ରୀମନ୍ଦିର ଓ ଏହା ସଂଲଗ୍ନ ଐତିହ୍ୟସ୍ଥଳୀକୁ ନେଇ ଐତିହ୍ୟ ପଥ କରାଯିବ। ଏଥିରେ ଶ୍ରଦ୍ଧାଳୁ, ତୀର୍ଥଯାତ୍ରୀ ପାଦରେ ଚାଲି ଚାଲି ପରିକ୍ରମା କରିବେ। ଏଭଳି ଏକ ଅଭିନବ ହେରିଟେଜ୍‌ କରିଡର ଯୋଜନା କରିଛି ଜିଲା ପ୍ରଶାସନ। ପ୍ରଥମେ ୫୪ଟି ଐତିହ୍ୟସ୍ଥଳୀର ବିକାଶ ହେବା ପରେ ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୫୪ଟିର ତାଲିକା କରାଯାଇ ବିକାଶ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ପ୍ରାଥମିକ ପର୍ଯ୍ୟାୟରେ ୪୦ଟି ଐତିହ୍ୟସ୍ଥଳର ବିକାଶ ଲକ୍ଷ୍ୟରେ ଏହାର ଆର୍ଥତ୍କ ଅଟକଳ କରିଛି ପ୍ରଶାସନ। କିନ୍ତୁ ଏଯାଏ କାମ ଆରମ୍ଭ ହୋଇନାହିଁ।ଏହି ୪୦ଟିକୁ ବାଦ୍‌ ଦେଲେ ଆହୁରି ଅନେକ ଐତିହ୍ୟସ୍ଥଳୀ ରହିଛି । ଏଥିମଧ୍ୟରୁ ଅଧିକାଂଶ ଅର୍ଦ୍ଧଭଗ୍ନ, ସମ୍ପୂର୍ଣ୍ଣ ଭଗ୍ନ ଅବସ୍ଥାରେ ଅଛି। କେତେକ ଐତିହ୍ୟସ୍ଥଳୀ ବ୍ୟକ୍ତିଗତ ମାଲିକାନା ସ୍ବତ୍ତ୍ବକୁ ଚାଲିଯାଇଛି। ସେଗୁଡ଼ିକ ମୁଖ୍ୟଧାରାକୁ ଆଣିବା ଲାଗି କାହାର ଆନ୍ତରିକତା ଥିବା ଭଳି ଜଣାପଡୁନାହିଁ। ଏମିତି ଅବହେଳିତ ହୋଇପଡିଥିବା ଐତିହ୍ୟସ୍ଥଳୀ ମଧ୍ୟରେ ସ୍ବର୍ଗଦ୍ୱାରରେ ରହିଥିବା ଶେଷ ଶାୟୀ ବିଷ୍ଣୁଙ୍କ ଉପାସନାସ୍ଥଳ, କଟକୀ ପେଣ୍ଠଠାରେ ଉପାସିତ ମା’ ମଶାଣି ଚଣ୍ଡୀ ପୀଠ ଅନ୍ୟତମ। ମଶାଣି ଚଣ୍ଡୀ ପ୍ରଥମେ ଏକ ଘାଟରେ ଥିଲେ। ମୂଷା ନଈର ଏହି ଘାଟ କଟକୀ ପେଣ୍ଠ ଭାବେ ପ୍ରତିଷ୍ଠା ଲାଭ କରିଥିଲା। କଟକ ଆଡୁ ଜଳପଥରେ ଆସୁଥିବା ତୀର୍ଥଯାତ୍ରୀମାନେ ଏହି ପେଣ୍ଠରେ ଓହ୍ଲାଉଥିଲେ। ସେମାନଙ୍କୁ ଯାତ୍ରୀକର ଦେବାକୁ ପଡୁ ନ ଥିଲା। ଜନଶ୍ରୁତିରୁ ଜଣାଯାଏ ଏହାର ଐତିହ୍ୟ ମଧ୍ୟ ମାର୍କଣ୍ଡ ମହର୍ଷିଙ୍କ ସହିତ ଜଡ଼ିତ ଥିଲା।ସେହିପରି ମୋଗଲମାନଙ୍କ ଆକ୍ରମଣ ସମୟରୁ ଅଠରନଳା ଘାଟ ନିକଟରେ ରହିଥିବା ମକରଧ୍ୱଜ ମହାବୀରଙ୍କ ମନ୍ଦିର ଏବଂ ବାଟଗଁ। ଘାଟ ନିକଟରେ ପୂଜିତ ହେଉଥିବା ବାଟମଙ୍ଗଳାଙ୍କଠାରୁ ଅଠରନଳା ପୋଲ ମଧ୍ୟରେ ରହିଥିବା ୨୧ଟି ମନ୍ଦିର ଆଜି ଅବହେଳିତ। ଏହି ଅବହେଳିତ ଐତିହ୍ୟର ଫର୍ଦ୍ଦ ବେଶ୍‌ ଲମ୍ବା। ତନ୍ମଧ୍ୟରୁ ଚୂଡ଼ଙ୍ଗ ପୋଖରୀ ମଧ୍ୟ ଅନ୍ୟତମ। ଗଜପତି ଚୋଡ଼ଗଙ୍ଗ ଦେବଙ୍କ ଦ୍ୱାରା ଖୋଦିତ ଏହି ପୋଖରୀ ବର୍ତ୍ତମାନ ସମ୍ପୂର୍ଣ୍ଣ ବିଲୁପ୍ତ ଅବସ୍ଥାରେ ପହଞ୍ଚତ୍ଛି। ଏହି ପୋଖରୀ ନିତେଇ ଧୋବଣୀ ଓ ପିତେଇ ସଉରୁଣୀ କାହାଣୀର ମୂକସାକ୍ଷୀ। ହେଲେ ଆଜି ଏହିସବୁ ଐତିହ୍ୟସ୍ଥଳ ଧ୍ୱଂସ ମୁଖରେ ପହଞ୍ଚତ୍ଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri