ଛାତ୍ରୀଙ୍କୁ ପୂର୍ଣ୍ଣ ସ୍ବାଧୀନତା ମିଳିବା ଉଚିତ


ଭୁବନେଶ୍ୱର, ୩।୧୨(ବ୍ୟୁରୋ)- ଛାତ୍ରୀମାନଙ୍କୁ ଅଣଦେଖା ନ କରି ପ୍ରତ୍ୟେକ କ୍ଷେତ୍ରରେ ପୂର୍ଣ୍ଣ ସ୍ବାଧୀନତା ଦିଆଯିବା ଉଚିତ। ଫଳରେ ସେମାନେ କୌଣସି ସମସ୍ୟାରେ ପଡିଲେ ତାହାର ସମାଧାନ ନିଜେ କରିପାରିବେ। ନିଜ ଭବିଷ୍ୟତ ନିଜେ ଗଢ଼ିବା ସହିତ ଆବଶ୍ୟକସ୍ଥଳେ ସେମାନଙ୍କ ଅଧିକାର ସାବ୍ୟସ୍ତ କରିପାରିବେ ବୋଲି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ପ୍ରିୟମ୍ବଦା ହେଜମାଦୀ କହିଛନ୍ତି। ରବିବାର ରମାଦେବୀଙ୍କ ୧୧୮ତମ ଜନ୍ମତିଥିରେ ରମାଦେବୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ହେଜମାଦୀ କହିଥିଲେ, କଳା ଓ ସାହିତ୍ୟ ଶିକ୍ଷାର ଗୋଟିଏ ଅଙ୍ଗ। ମା’ବାପାଙ୍କ ପାଖରୁ ମୁଁ ସ୍ବାଧୀନତା ପାଇଥିବାରୁ ଓଡ଼ିଶୀ ନୃତ୍ୟ ଶିଖିଥିଲି। ଓଡ଼ିଶୀ ନୃତ୍ୟ ଯୋଗୁ ଓଡ଼ିଶା ଆଜି ପୃଥିବୀର କୋଣ ଅନୁକୋଣରେ ପରିଚିତ ହୋଇପାରିଛି। ସେ ଆହୁରି କହିଥିଲେ ଯେ, ବର୍ତ୍ତମାନ ସମୟରେ ଗାଣିତିକ ଶିକ୍ଷାର ମାନ ବୃଦ୍ଧି ପାଇଛି। କିନ୍ତୁ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଦେଶ ଏବଂ ରାଜ୍ୟ ଯେତିକି ଆଗେଇବା କଥା ଆଗେଇପାରି ନାହାନ୍ତି। ସମ୍ମାନିତ ଅତିଥିଭାବେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି କହିଲେ, ରମାଦେବୀ ବିଶ୍ୱବିଦ୍ୟାଳୟ, ଶୈଳବାଳା ମହାବିଦ୍ୟାଳୟ, ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଓ ରେଭେନଶା ହାଇସ୍କୁଲ ଓଡ଼ିଶାର ଗୋଟିଏ ଗୋଟିଏ ତୀର୍ଥସ୍ଥାନ। ଏମାନେ ଇତିହାସ ରଚିଛନ୍ତି। ଏଠାକୁ ସମସ୍ତେ ଥରେ ଆସି ବୁଲିଯିବାର ଆବଶ୍ୟକତା ରହିଛି। ବିଶ୍ୱବିଦ୍ୟାଳୟରେ ଜୀବ ବିଜ୍ଞାନ, ଫ୍ୟାଶ୍‌ନ ଡିଜାଇନିଂ ଓ ଡିଜାଇନିଂ ଶିକ୍ଷା ଦିଆଗଲେ ଛାତ୍ରୀମାନେ ଏଥିରେ କ୍ୟାରିୟର ଗଢି ଆତ୍ମନିର୍ଭରଶୀଳ ହୋଇ ପାରିବେ ବୋଲି ସେ କହିଥିଲେ। କୁଳପତି ପ୍ରଫେସର ପଦ୍ମଜା ମିଶ୍ର କହିଲେ, ରମାଦେବୀ ଓଡ଼ିଶାର ଝିଅ ଥିଲେ। ତାଙ୍କ ନାମରେ ନାମିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀମାନଙ୍କୁ ସବୁବେଳେ ସ୍ବାଧୀନତା, ସୁଯୋଗ ଓ ଉନ୍ନତମାନର ଉଚ୍ଚଶିକ୍ଷା ଯୋଗାଇ ଦେଇଆସୁଛି। ଛାତ୍ରୀମାନଙ୍କୁ ସଶକ୍ତୀକରଣ କରିବାରେ ବିଶ୍ୱବିଦ୍ୟାଳୟ ମାର୍ଗ ଦେଖାଉଛି। ବିଶ୍ୱବିଦ୍ୟାଳୟର ଅଡିଟୋରିୟମ୍‌ ସଭାକକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୁଳସଚିବ ଡ. ଜୟନ୍ତ ନାରାୟଣ ଷଡଙ୍ଗୀ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଶ୍ୱବିଦ୍ୟାଳୟକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୭୫ କୋଟି ଟଙ୍କା ମଞ୍ଜୁର ହୋଇଛି। ଉକ୍ତ ଟଙ୍କାରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯିବ ବୋଲି ଷଡ଼ଙ୍ଗୀ ସୂଚନା ଦେଇଥିଲେ। ପୂର୍ବାହ୍ନରେ ଅତିଥିମାନେ ବିଶ୍ୱବିଦ୍ୟାଳୟ ପରିସରସ୍ଥ ରମାଦେବୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ଶକୁନ୍ତଳା ପଣ୍ଡା ମେମୋରିଆଲ ରିଡିଂ ରୁମ୍‌କୁ ଉଦ୍‌ଘାଟନ କରିଥିଲେ। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ୫୦ ଶଯ୍ୟା ବିଶିଷ୍ଟ ଦିବ୍ୟାଙ୍ଗ ଛାତ୍ରୀନିବାସକୁ ଉଦ୍‌ଘାଟନ କରିଥିଲେ। ସଭାରେ ପିଜି କାଉନ୍‌ସିଲ ଅଧ୍ୟକ୍ଷ ଡ. ସୀତାଂଶୁ ଦାସ ସ୍ବାଗତ ଭାଷଣ ଦେଇଥିଲେ। ଶେଷର ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri