ପ୍ରଫୁଲ୍ଲ ହତ୍ୟା ମାମଲାରେ ପୋଲିସ ଦାୟିତ୍ୱହୀନ


କଟକ ଅଫିସ, ୨।୧୨- ବଡ଼ମ୍ବା ଥାନା ଅନ୍ତର୍ଗତ ଇଚ୍ଛାପୁର ଗ୍ରାମର ପ୍ରଫୁଲ୍ଲ ନାଏକ ହତ୍ୟା ଘଟଣାକୁ ଇତିମଧ୍ୟରେ ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ପୂରଣ ହେଲାଣି। ହେଲେ ପୋଲିସର ଦାୟିତ୍ୱହୀନ କାର୍ଯ୍ୟ, ଅବହେଳା ଓ ପକ୍ଷପାତିତା ଯୋଗୁ ପ୍ରଫୁଲ୍ଲଙ୍କ ପରିବାରବର୍ଗ ଦୁର୍ଦ୍ଦଶା ଭୋଗୁଛନ୍ତି। କାରଣ ପ୍ରଭାବଶାଳୀଙ୍କ ଚାପରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରୁନାହିଁ। ଏପରି କି ସେମାନେ ଥାନା ଆଗରେ ଖୋଲାରେ ବୁଲୁଛନ୍ତି। କିନ୍ତୁ ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ ୧୦ଜଣଙ୍କୁ ଫେରାର ଦର୍ଶାଇ ଚାର୍ଜଶିଟ୍‌ ଦାଖଲ କରି ହାତବାନ୍ଧି ବସିଛି। ପୋଲିସର ନିଷ୍କ୍ରିୟତା ସଂକ୍ରାନ୍ତରେ ପ୍ରଫୁଲ୍ଲଙ୍କ ପରିବାର ଲୋକେ ଶୁକ୍ରବାର ଏଚ୍‌ଆର୍‌ପିସି ଏଡିଜିଙ୍କୁ ଭେଟିଜଣାଇଛନ୍ତି। ପ୍ରଫୁଲ୍ଲ ଜଣେ ଅନୁସୂଚିତ ଜାତିର ହୋଇଥିଲେ ମଧ୍ୟ ପୋଲିସ ମାମଲାରେ ଅନୂସୂଚିତ ଜାତି ଓ ଜନଜାତି ନିର୍ଯାତନା ନିରୋଧ ଆଇନ ଅନୁଯାୟୀ ତଦନ୍ତ କରିନାହିଁ। ଏଣୁ ଉପଯୁକ୍ତ ନ୍ୟାୟ ପାଇଁ ପରିବାର ଲୋକେ ଏଡିଜିଙ୍କୁ ନିବେଦନ କରିଛନ୍ତି। ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ନିରୋଧ ଆଇନ ଅନୁଯାୟୀ ଜଣେ ଡିଏସ୍‌ପି ର଼୍ୟାଙ୍କର ଅଧିକାରୀ ଏହି ମାମଲାରେ ତଦନ୍ତ କରିବା କଥା। କିନ୍ତୁ ଜାଣିଶୁଣି ପୋଲିସ ଉକ୍ତ ଆକ୍ଟକୁ ଲାଗୁ ନ କରି ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛି। ଅନ୍ୟପକ୍ଷରେ ପ୍ରଫୁଲ୍ଲ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ଏବେ ପରିବାରରେ ତାଙ୍କର ୩ ଝିଅ ଓ ୨ପୁଅ ଅଛନ୍ତି। ହତ୍ୟା ପରଠାରୁ ପରିବାରବର୍ଗ ଦିନେ ଖାଇଲେ ଦିନେ ଉପବାସ। ଉକ୍ତ ଆକ୍ଟ ଅନୁଯାୟୀ ମଧ୍ୟ ପ୍ରଫୁଲ୍ଲଙ୍କ ପରିବାରକୁ ସରକାରୀ କ୍ଷତିପୂରଣ ମିଳି ପାରିଥାନ୍ତା। ସେଥିରୁ ମଧ୍ୟ ସେମାନେ ବଞ୍ଚିତ ହୋଇଛନ୍ତି। ହତ୍ୟାକାରୀମାନେ ପ୍ରଭାବଶାଳୀଙ୍କ ବାହୁଛାୟା ତଳେ ରହିଛନ୍ତି। ଏଣୁ ପୋଲିସ ସେମାନଙ୍କୁ ସୁରକ୍ଷା ଦେବାକୁ ଯାଇ ଏକ ଗରିବ, ଅସହାୟ ପରିବାରକୁ ଦୁର୍ଦ୍ଦଶା ମୁହଁକୁ ଠେଲି ଦେଇଛି।ସୂଚନାଥାଉକି, ପ୍ରଫୁଲ୍ଲଙ୍କୁ ୨୦୧୬ ଅକ୍ଟୋବର ୫ରେ ହତ୍ୟା କରାଯାଇଥିଲା। ପ୍ରଫୁଲ୍ଲ ଛେଳି ଗୋଠ ନେଇ ଘରକୁ ଫେରୁଥିବା ବେଳେ ଗାଁ ଚଣ୍ଡୀମନ୍ଦିର ସାମ୍ନା ରାସ୍ତାରେ ୧୩ଜଣ ଅଭିଯୁକ୍ତ ଖଣ୍ଡା ଓ କଟୁରିରେ ଗୋଡେଇ ଗୋଡେଇ ହାଣି ଥିଲେ। ପ୍ରଫୁଲ୍ଲଙ୍କ ୨ଟି ଯାକ ଗୋଡକୁ କାଟି ରାସ୍ତାରେ ଫିଙ୍ଗି ଦିଆଯାଇଥିଲା। ପୂର୍ବଶତ୍ରୁତା ଓ ରାଜନୈତିକ ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଥିଲା। ବଡମ୍ବା ଥାନାରେ ଏ ସଂକ୍ରାନ୍ତରେ ଆଇପିସି ଦଫା ୩୪୧, ୩୨୬, ୩୯୪, ୩୦୨ ଓ ୩୪ ଅନୁଯାୟୀ ମାମଲା (ନଂ. ୧୩୪/୨୦୧୬) ରୁଜୁ କରିଥିବାବେଳେ ଜାଣିଶୁଣି ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ନିରୋଧ ଆକ୍ଟ ଲାଗୁ କରିନାହିଁ। ଏଚ୍‌ଆର୍‌ପିସିର ଏଡିଜି ମହେନ୍ଦ୍ର ପ୍ରତାପ କୁହନ୍ତି, ପ୍ରଫୁଲ୍ଲଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ କଟକ ଗ୍ରାମାଞ୍ଚଳ ଏସ୍‌ପିଙ୍କୁ ଏକ ରିପୋର୍ଟ ଦେବା ପାଇଁ କୁହାଯାଇଛି। ଗ୍ରାମାଞ୍ଚଳ ଏସ୍‌ପି ମାଧବଚନ୍ଦ୍ର ସାହୁ ଅଭିଯୁକ୍ତମାନେ ଥାନା ଆଗରେ ବୁଲିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କ କହିବା ଅନୁଯାୟୀ ଏତଲାକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରିଛି। ଫେରାର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ପାଇଁ ସମସ୍ତ ଉଦ୍ୟମ ଜାରି ରହିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri