ଆରମ୍ଭ ହେଲା କୋଣାର୍କ ମହୋତ୍ସବ:ଓଡ଼ିଶୀ ନୃତ୍ୟରେ ତାରକାସୁର ବଧ


କୋଣାର୍କ,୧।୧୨ (ଡି.ଏନ.ଏ.)- ଦୀର୍ଘ ବର୍ଷକର ପ୍ରତୀକ୍ଷା ପରେ ମୁକ୍ତାକାଶ ରଙ୍ଗମଞ୍ଚରେ ପୁଣିଥରେ ପଡିଲା ନୃତ୍ୟଶିଳ୍ପୀଙ୍କ ପାଦ। ଶୁଭିଲା ଘୁଙ୍ଗୁରର ରୁଣୁଝୁଣୁ ଶବ୍ଦ। ନୀରବି ଯାଇଥିବା ଅର୍କକ୍ଷେତ୍ର ସଙ୍ଗୀତ ଓ ନୃତ୍ୟର କୋଳାହଳରେ ପ୍ରକମ୍ପିତ ହୋଇଉଠିଲା। ଶାସ୍ତ୍ରୀୟତାର ଭାବରେ ଭିଜିଲେ ଲୋକେ। ଶିଳ୍ପୀଙ୍କ କଥାକୁହା ଆଖି ରସମୟ ନୃତ୍ୟ ସମସ୍ତଙ୍କୁ କରିଥିଲା ଆନମନା। ଏଭଳି ଅବସର ଆଣିଦେଇଥିଲା କୋଣାର୍କ ମହୋତ୍ସବର ଉଦ୍‌ଘାଟନୀ ସନ୍ଧ୍ୟା। ଶୁକ୍ରବାରଠାରୁ କୋଣାର୍କ ସୂର୍ଯ୍ୟମନ୍ଦିର ନିକଟ ମୁକ୍ତାକାଶ ରଙ୍ଗମଞ୍ଚରେ ଆରମ୍ଭ ହୋଇଥିବା ବହୁ ପ୍ରତୀକ୍ଷିତ କୋଣାର୍କ ମହୋତ୍ସବକୁ ଉପଭୋଗ କରିଥିଲେ ବହୁ ସଂଖ୍ୟାରେ ଦର୍ଶକ। ଭାରତନାଟ୍ୟମ୍‌ ଓ ଓଡ଼ିଶୀ ନୃତ୍ୟର ପସରା ସାଙ୍ଗକୁ ସନ୍ଧ୍ୟାର ହାଲ୍‌କା ଶୀତ ଉତ୍ସବରେ ମାଦକତା ଭରିଥିଲା। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ମହୋତ୍ସବକୁ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିବା ପରେ ଆରମ୍ଭ ହୋଇଥିଲା ଶାସ୍ତ୍ରୀୟ ନୃତ୍ୟର କାର୍ଯ୍ୟକ୍ରମ। ପ୍ରଥମ ପ୍ରସ୍ତୁତି ନେଇ ମଞ୍ଚକୁ ଆସିଥିଲେ ଭୁବନେଶ୍ୱର ନୂପୁର ଡ୍ୟାନ୍ସ ଏକାଡେମୀର କଳାକାରମାନେ। ଓଡିଶୀ ନୃତ୍ୟରେ ପୁରାଣ ବର୍ଣ୍ଣିତ ମାର୍ମିକ କଥାବସ୍ତୁ ଉପରେ ପର୍ଯ୍ୟବସିତ ନୃତ୍ୟାଭିନୟ ମନ୍ମଥ ପ୍ରସଙ୍ଗ ପରିବେଷଣ କରିଥିଲେ। ତାରକାସୁର ନିଧନ ପାଇଁ ଯେତେବେଳେ ଦେବୀଗଣ ବ୍ରହ୍ମାଙ୍କ ନିକଟରେ ପ୍ରାର୍ଥନା କରିଥିଲେ ସେତେବେଳେ ବ୍ରହ୍ମା ଏହାର ସମାଧାନ ପାଇଁ ଦେବରାଜ ଇନ୍ଦ୍ରଙ୍କୁ ଅନୁରୋଧ କରିଥିଲେ। ଇନ୍ଦ୍ରଙ୍କ ନିର୍ଦ୍ଦେଶରେ ରତି ଓ କନ୍ଦର୍ପ ପଞ୍ଚରସରେ ଶିବଙ୍କ ଧ୍ୟାନଭଗ୍ନ କରିଥିଲେ। ଏହାପରେ ପାର୍ବତୀଙ୍କ ସହ ବିବାହ, କୁମାର କାର୍ତ୍ତିକେୟଙ୍କ ଜନ୍ମ ଓ ତତ୍‌ପରେ ତାରକାସୁର ବଧକୁ ଶିଳ୍ପୀମାନେ ନୃତ୍ୟ ମାଧ୍ୟମରେ ବେଶ୍‌ ଚିତ୍ତାକର୍ଷକ ଶୈଳୀରେ ଉପସ୍ଥାପନ କରିଥିଲେ। ଏହା ଉପସ୍ଥିତ ଦର୍ଶକଙ୍କ ସହ ପର୍ଯ୍ୟଟକଙ୍କୁ ମୁଗ୍ଧ କରିଥିଲା। ସନ୍ଧ୍ୟାର ଦ୍ୱିତୀୟ ପ୍ରସ୍ତୁତିରେ ମାଲେସିଆର ଦି ଟେମ୍ପୁଲ ଅଫ ଫାଇନ ଆର୍ଟସର ଶିଳ୍ପୀଙ୍କ ଦ୍ୱାରା ଭାରତନାଟ୍ୟମ ପରିବେଷିତ ହୋଇଥିଲା। ‘ଭାବୟାମୀ ରଘୁରାମମ୍‌’ରେ ଶିଳ୍ପୀମାନେ ମର୍ଯ୍ୟାଦାପୁରୁଷ ରାମଚନ୍ଦ୍ରଙ୍କ ଜୀବନ ଚରିତ ତଥା ରାମାୟଣର ବିଭିନ୍ନ ପ୍ରସଙ୍ଗକୁ ମଞ୍ଚସ୍ଥ କରିଥିଲେ। ଯାହାକି ମୁକ୍ତାକାଶ ରଙ୍ଗମଞ୍ଚରେ ଆଧ୍ୟାତ୍ମିକ ଆବେଗ ଭରି ଦେଇଥିଲା। ଉଦ୍‌ଘାଟନୀ ସମାରୋହରେ ଅନ୍ୟଅତିଥି ଭାବେ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ, କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାଶବର୍ମା, ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାୟକ, ଜିଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ପର୍ଯ୍ୟଟନ ବିଭାଗ ସଚିବ ମୋନା ଶର୍ମା, ପୁରୀ ଜିଲାପାଳ ଅରବିନ୍ଦ ଅଗ୍ରଓ୍ବାଲ, ଏସ୍‌ପି ଡା. ସାର୍ଥକ ଷଡଙ୍ଗୀ ଓ କୋଣାର୍କ ଏନ୍‌ଏସି ଅଧ୍ୟକ୍ଷା ଭାନୁମତୀ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଡା. ସାଧନା ଶ୍ରୀବାସ୍ତବ ଓ ଡା. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ଉଦ୍‌ଘାଟିତ କୋଣାର୍କ ମହୋତ୍ସବ ଆରମ୍ଭ ହେବା ପୂର୍ବରୁ ଚନ୍ଦ୍ରଭାଗା ବେଳାଭୂମିରେ ଶୁକ୍ରବାର ଉଦ୍‌ଘାଟିତ ହୋଇଛି ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ। ଉଦ୍‌ଘାଟନୀ ଦିବସରେ ବାଲୁକା କଳା ମାଧ୍ୟମରେ ସମୁଦ୍ର ସୁରକ୍ଷାର ବାର୍ତ୍ତା ପ୍ରତିଫଳିତ ହୋଇଥିଲା। ଏଥିରେ ଦେଶ ବିଦେଶର ୭୦ ଜଣ ବାଲୁକା ଶିଳ୍ପୀ ଅଂଶଗ୍ରହଣ କରିଛନ୍ତି। ଏହାକୁ ଦେଖିବା ପାଇଁ ବହୁସଂଖ୍ୟାରେ ଜନସମାଗମ ହୋଇଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri