ଯାଞ୍ଚ ହେଲା ମହାଲକ୍ଷ୍ମୀଙ୍କ ଭଣ୍ଡାର


ପୁରୀ ଅଫିସ, ୧।୧୨: ଶେଷରେ ମହାଲକ୍ଷ୍ମୀ ମନ୍ଦିରର ଭଣ୍ଡାର ଯାଞ୍ଚ ହୋଇଛି। ଶୁକ୍ରବାର ମଧ୍ୟାହ୍ନରେ ଲକ୍ଷ୍ମୀ ମନ୍ଦିରର ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଠିତ ସ୍ବତନ୍ତ୍ର କମିଟି ସଦସ୍ୟ ଯାଞ୍ଚ କରିଛନ୍ତି। ଏହି ଯାଞ୍ଚ ବେଳେ ଭଣ୍ଡାରଘର ଆଲମିରାରେ ଥିବା ଅଳଙ୍କାର, ମା’ଙ୍କ ସେବାପୂଜାରେ ବ୍ୟବହୃତ ସାମଗ୍ରୀ ଓ ମା’ ଲକ୍ଷ୍ମୀ ଠାକୁରାଣୀ ପିନ୍ଧିଥିବା ଗହଣା ସବୁର ପୂର୍ବ ତାଲିକା ସହ ମେଳକ ହୋଇଛି। ମା’ ପିନ୍ଧିଥିବା ଅଳଙ୍କାରକୁ ଛାଡି ଅନ୍ୟ ଗହଣା ଓ ସାମଗ୍ରୀକୁ ଭଣ୍ଡାରଘର ଆଲମିରାରେ ଜଉମୁଦ ସିଲ୍‌ ଦିଆଯାଇ ରଖାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ମୁତାବକ, ମଧ୍ୟାହ୍ନ ପ୍ରାୟ ୧୨ଟାରେ ମହାଲକ୍ଷ୍ମୀଙ୍କ ଭଣ୍ଡାରର ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଥିଲା। ଲକ୍ଷ୍ମୀ ମନ୍ଦିରର ଗମ୍ଭୀରାରେ କମିଟି ସଦସ୍ୟ ଏବଂ ସେବାୟତଙ୍କ ଉପସ୍ଥିତିରେ ଯାଞ୍ଚ କରାଯାଇଥିଲା। ମା’ଙ୍କ ଶ୍ରୀଅଙ୍ଗରେ ଥିବା ଅଳଙ୍କାର, ଭଣ୍ଡାରଘର ଆଲମିରାରେ ଥିବା ଗହଣା, ପୂଜାରେ ବ୍ୟବହୃତ ହେଉଥିବା ରୂପା ଥାଳିଆ, ରୁପା ଗ୍ଲାସ ପ୍ରଭୃତିକୁ ତାଲିକାଭୁକ୍ତ କରାଯାଇଥିଲା। ଏହି ଯାଞ୍ଚ ସମୟରେ ଶ୍ରଦ୍ଧାଳୁମାନଙ୍କୁ ଗମ୍ଭୀରାକୁ ଛଡା ଯାଇ ନ ଥିଲା। ଭକ୍ତମାନେ ଜଗମୋହନରୁ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ଦର୍ଶନ କରିଥିଲେ। ପ୍ରାୟ ସାଢେ ୨ଟାରେ ଯାଞ୍ଚ କାର୍ଯ୍ୟ ଶେଷ ହୋଇଥିଲା। ଏହାପରେ କମିଟି ସଦସ୍ୟ ଏବଂ ସେବାୟତଙ୍କ ଦସ୍ତଖତ ନିଆଯାଇ ଅଳଙ୍କାରଗୁଡ଼ିକୁ ଭଣ୍ଡାରଘର ଆଲମିରାରେ ଜଉମୁଦ ସିଲ୍‌ ଦିଆଯାଇ ରଖାଯାଇଛି। ପରବର୍ତ୍ତୀ ସମୟରେ ମନ୍ଦିର ପ୍ରଶାସନ ଏସବୁକୁ ନିଜ ହେପାଜତରେ ନେଇ ରଖିବ ବୋଲି ଜଣାପଡିଛି। ଯାଞ୍ଚ ସମୟରେ ମା’ଙ୍କ ଆଉ ଏକ ରୁପା କିରୀଟ ମଧ୍ୟ ରହିଥିବା ଜଣାପଡିଛି। ଦେଉଳକରଣ, ତଢଉକରଣ, କମାଣ୍ଡର, ଶ୍ରୀମନ୍ଦିର ପ୍ରଶାସକ ସରୋଜ ରାୟ, ନୀତି ଓଆଇସି ରବୀନ୍ଦ୍ର ଦାସ, ଅର୍ଥ ଅଧିକାରୀ କିଶୋର ପ୍ରଧାନ, ଶ୍ରୀମନ୍ଦିର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀ, ଶ୍ରୀମନ୍ଦିର ବଣିଆ ହରି ମହାପାତ୍ର କମିଟି ସଦସ୍ୟ ଭାବେ ଉପସ୍ଥିତ ଥିଲେ। ସେହିପରି ଲକ୍ଷ୍ମୀ ମନ୍ଦିରର ସେବାୟତ ସାହି ନାୟକ ରାମଚନ୍ଦ୍ର ପଣ୍ଡା, ବିଭୂତି ଭୂଷଣ ଖୁଣ୍ଟିଆ, ପୂର୍ଣ୍ଣଚନ୍ଦ୍ର ପ୍ରତିହାରୀ, ସତ୍ୟନାରାୟଣ ପ୍ରତିହାରୀ, ଋତୁରାଜ ପଣ୍ଡା ପ୍ରମୁଖଙ୍କ ଉପସ୍ଥିତିରେ ଏହି ଯାଞ୍ଚ କରାଯାଇଥିଲା। ଏ ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ କୁମାର ଦାଶ କହିଛନ୍ତି, ମହାଲକ୍ଷ୍ମୀ ଭଣ୍ଡାରର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ପୂର୍ବ ତାଲିକା ସହ ସବୁ ଅଳଙ୍କାର ମେଳକ କରାଯାଇଛି। ଯାଞ୍ଚ ପରେ ଏହାକୁ ଜଉମୁଦ ସିଲ୍‌ ଦିଆଯାଇ ରଖାଯାଇଛି। ଏ ସବୁକୁ ଶ୍ରୀମନ୍ଦିର ପ୍ରଶାସନ ଆଣି ନିଜ ହେପାଜତରେ ରଖିବ। ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପରିସର ପାର୍ଶ୍ୱ ଦେବୀଦେବ ମନ୍ଦିରର ମଧ୍ୟ ଏହିଭଳି ଯାଞ୍ଚ କରାଯିବ। ଲକ୍ଷ୍ମୀ ମନ୍ଦିରର ସେବାୟତ ସାହି ନାୟକ ରାମଚନ୍ଦ୍ର ପଣ୍ଡା କହିଛନ୍ତି, ସେବାୟତ ଏବଂ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଶାନ୍ତିପୂର୍ଣ୍ଣ ଭାବେ ମହାଲକ୍ଷ୍ମୀଙ୍କ ଭଣ୍ଡାରର ଯାଞ୍ଚ କରାଯାଇଛି। ମଝିରେ ମଝିରେ ଦେଉଳକରଣ, କମାଣ୍ଡର, ସୁପରଭାଇଜର ଆସି ମା’ଙ୍କ ଗହଣାଗାଣ୍ଠି, ପାଟ ଓ ଅନ୍ୟାନ୍ୟ ଆସବାବପତ୍ର ଦେଖିଛନ୍ତି। କିନ୍ତୁ ଶୁକ୍ରବାର ଯେଉଁଭଳି ଭାବେ ଯାଞ୍ଚ କରାଯାଇଛି ଏମିତି ଯାଞ୍ଚ ୧୯୯୯ ମସିହା ପରେ ହୋଇ ନ ଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri