ସରକାରୀ ଦଖଲରେ ହୋଟେଲ ସାଇଚନ୍ଦନ


ପୁରୀ ଅଫିସ, ୩୦।୧୧: ପୁରୀ ବେଳାଭୂମି ମାର୍ଗ ରେଣୁକା ଗଳିରେ ଥିବା ହୋଟେଲ ସାଇଚନ୍ଦନକୁ ଗୁରୁବାର ଜିଲା ପ୍ରଶାସନ ସିଲ୍‌ କରିବା ସହିତ ନିଜ ଦଖଲକୁ ନେଇଛି। ଜମି ଲିଜ୍‌ ନବୀକରଣ ନ କରିବା, ସର୍ତ୍ତରେ ଖିଲାପ ଏବଂ ବେନିୟମ ଭାବେ ଜମିର ମାଲିକାନା ବାରମ୍ବାର ପରିବର୍ତ୍ତନ ଯୋଗୁ ଚକବନ୍ଦୀ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଏହି ପଦକ୍ଷେପ ନିଆଯାଇଛି। ପୁରୀ ବେଳାଭୂମି ମାର୍ଗର ରେଣୁକା ଗଳିରେ ରହିଛି ହୋଟେଲ ସାଇଚନ୍ଦନ। ପୁରୀ ତହସିଲ ନୋଳିଆସାହି ମୌଜାର ୟୁନିଟ୍‌ ୧୨, ଖାତା ନଂ.୫୭, ପ୍ଲଟ ନଂ.୧୩୩ରେ ୦.୦୭୮ଏକର ଏବଂ ଖାତା ନଂ. ୬୬, ପ୍ଲଟ ନଂ. ୧୩୪ରେ ୦.୦୦୫ ଏକର ବାଲୁଖଣ୍ଡ ଖାସ୍‌ମାହାଲ ଜମି ଉପରେ ଉକ୍ତ ହୋଟେଲ ରହିଛି। ପୁରୀ ଖାସ୍‌ମାହାଲ କର୍ତ୍ତୃପକ୍ଷ ତଥା ଜିଲାପାଳଙ୍କଠାରୁ ବନମାଳୀ ଦାସ ବାସଗୃହ ନିର୍ମାଣ ଲାଗି ୩୦ବର୍ଷିଆ ଲିଜ୍‌ ସୂତ୍ରରେ ଏହି ଜମି ନେଇଥିଲେ। ୨୨ା୧ା୧୯୪୬ରେ ବନମାଳୀ ଉକ୍ତ ଜମିକୁ ତାଙ୍କ ସ୍ତ୍ରୀ ସରୋଜିନୀଙ୍କୁ ଦତ୍ତପତ୍ର ମାଧ୍ୟମରେ ପ୍ରଦାନ କରିଥିଲେ। ସରୋଜିନୀ ଉକ୍ତ ଜମି ଲିଜ୍‌କୁ ୩୦ବର୍ଷ ପାଇଁ ନିଜ ନାମରେ ନବୀକରଣ କରିଥିଲେ। ୧୯୮୨ରେ ଅମିୟ ବାନାର୍ଜୀଙ୍କ ନାମକୁ ଏହି ଜମିର ମାଲିକାନା ଯାଇଥିଲା। ତାଙ୍କ ନାମରେ ବି ୩୦ବର୍ଷ ପାଇଁ ଲିଜ୍‌ ନବୀକରଣ ହୋଇଥିଲା। ତାଙ୍କୁ ମଧ୍ୟ ବାସଗୃହ ନିର୍ମାଣ ଉଦ୍ଦେଶ୍ୟରେ ଏହି ଜମି ଲିଜ୍‌ ସୂତ୍ରରେ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଅର୍ଥାତ ଫେବୃୟାରୀ ୨୩ ୨୦୦୭ରେ ଅମିୟ ବାନାର୍ଜୀଙ୍କ ସମ୍ପର୍କୀୟ ଏହି ଜମିକୁ ସମ୍ବିତ୍‌ ରିସୋର୍ଟର ସୁବାସ ଚନ୍ଦ୍ର ନାୟକଙ୍କୁ ବିକ୍ରି କରିଥିଲେ। ୨୦୧୦ ଜୁଲାଇ ୨୬ରେ ସମ୍ବିତ୍‌ ରିସୋର୍ଟ କର୍ତ୍ତୃପକ୍ଷ ଉକ୍ତ ଜମିକୁ ସାଇଚନ୍ଦନ ରିସୋର୍ଟସ ପ୍ରାଇଭେଟ ଲିଃ ଡାଇରେକ୍ଟର ଚନ୍ଦନ ବେହେରାଙ୍କୁ ବିକ୍ରି କରିଥିଲେ। ଉକ୍ତ ଜମି ଉପରେ ବର୍ତ୍ତମାନ ରହିଛି ସାଇଚନ୍ଦନ ହୋଟେଲ। ଚନ୍ଦନ ବେହେରା ନିଜ ନାମରେ ଜମିକୁ ରେକର୍ଡ କରିବା ଲାଗି ଚକବନ୍ଦୀ କମିଶନର କୋର୍ଟରେ ଏକ ରିଭିଜନ କେସ୍‌ ରୁଜୁ କରିଥିଲେ। କମିଶନରଙ୍କ କୋର୍ଟରେ ଏହି କେସ୍‌ର ବିଚାର ବେଳେ ପୁରୀ ତହସିଲଦାରଙ୍କୁ ଚକବନ୍ଦୀ କମିଶନର ଏକ ରିପୋର୍ଟ ମାଗିଥିଲେ। ତହସିଲଦାର ସରଜମିନ ତଦନ୍ତ କରି ରିପୋର୍ଟ ଦେଇଥିଲେ। ଏହି ଜମିର ଲିଜ୍‌ ଅବଧି ୨୦୧୨-୧୩ ପର୍ଯ୍ୟନ୍ତ ଥିଲା। ଲିଜ୍‌ ଅବଧି ପରେ ଆଉ ନବୀକରଣ ହୋଇନାହିଁ। ଖାସ୍‌ମାହାଲ କର୍ତ୍ତୃପକ୍ଷ ତଥା ଜିଲାପାଳଙ୍କ ଅନୁମତି ନିଆ ନ ଯାଇ ଜମିର ମାଲିକାନା ବାରମ୍ବାର ପରିବର୍ତ୍ତନ ହୋଇଛି, ଯାହା କି ସମ୍ପୂର୍ଣ୍ଣ ବେଆଇନ। ଅନ୍ୟପକ୍ଷରେ ବାସଗୃହ ପାଇଁ ଏହି ଜମି ଦିଆଯାଇଥିବା ବେଳେ ଏହାର ଦୁରୁପଯୋଗ କରାଯାଇ ବ୍ୟବସାୟିକ ଉଦ୍ଦେଶ୍ୟରେ ହୋଟେଲ ନିର୍ମାଣ କରାଯାଇଛି। ଚକବନ୍ଦୀ କମିଶନର ସି.ଟି.ଏମ୍‌. ସୁଗୁଣା ଏହି କେସ୍‌ର ବିଚାର କରି ଉକ୍ତ ଜମି ଏବଂ ଏହା ଉପରେ ଅବସ୍ଥିତ ହୋଟେଲକୁ ନିଜ ଦଖଲକୁ ନେବା ପାଇଁ ପୁରୀ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବାହ୍ନରେ ପୁରୀ ତହସିଲଦାର ପ୍ରବୀର ଖିଲାରଙ୍କ ନେତୃତ୍ୱରେ ଏକ ଟିମ୍‌ ହୋଟେଲରେ ପହଞ୍ଚତ୍ଥିଲା। ହୋଟେଲରେ ସମୁଦାୟ ୩୪ଟି କକ୍ଷ ମଧ୍ୟରୁ ୧୦ଟି ରୁମ୍‌ରେ ପର୍ଯ୍ୟଟକ ଥିଲେ। ସେମାନଙ୍କୁ ସ୍ଥାନାନ୍ତରିତ କରାଯିବା ପରେ ସିଲ୍‌ କରାଯାଇଥିଲା। ଉକ୍ତ ଜମି ଓ ହୋଟେଲର ବର୍ତ୍ତମାନର ବଜାର ଦର ୩ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ସାଇଚନ୍ଦନ ରିସୋର୍ଟ ପ୍ରାଇଭେଟ ଲିଃର ନିର୍ଦ୍ଦେଶକ ହେଉଛନ୍ତି ଚନ୍ଦନ କୁମାର ବେହେରା। ପୂର୍ବ ଶତ୍ରୁତା ଓ ସମ୍ପତ୍ତିକୁ କେନ୍ଦ୍ରକରି ଗତ ଜାନୁୟାରୀ ୮ରେ ପୁରୀ ସମୁଦ୍ରକୂଳ ଥାନାଠାରୁ ଶହେ ମିଟର ଦୂର ଖୁସି ରେଷ୍ଟୁରାଣ୍ଟ ପରିସରରେ କେତେଜଣ ଦୁର୍ବୃତ୍ତ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ଘଟଣାରେ ପୁରୀ ପୋଲିସ ୬ ଜଣଙ୍କୁ ଗିରଫ କରିସାରିଛି। ହତ୍ୟାକାଣ୍ଡ ପଛରେ ଚନ୍ଦନଙ୍କ ସ୍ତ୍ରୀ ମୁଖ୍ୟ ଷଡ଼ଯନ୍ତ୍ରକାରୀ ରହିଥିଲେ। ସାଇଚନ୍ଦନ ହୋଟେଲ ଏବଂ ଖୁସି ରେଷ୍ଟୁରାଣ୍ଟର ମାଲିକ ଥିଲେ ଚନ୍ଦନ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri