୮ ମଠ ସ୍ଥିତି ଦେଖିଲେ ଦେବୋତ୍ତର କମିଶନର


ପୁରୀ ଅଫିସ, ୨୯।୧୧: ଦେବୋତ୍ତର କମିଶନର ବିରଜା ପ୍ରସାଦ ଦତ୍ତ ବୁଧବାର ପୁରୀ ଗସ୍ତରେ ଆସି ୮ଟି ମଠର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗୋପାଳତୀର୍ଥ ମଠ, ସାନଛତା ମଠ, ନନ୍ଦିନୀ ମଠ, ବଡସନ୍ଥ ମଠ, ଉତ୍ତରପାର୍ଶ୍ୱ ମଠ, ଶଙ୍କରାନନ୍ଦ ମଠ, ଜିଅରସ୍ବାମୀ ଏବଂ ବଡ ଆଖଡ଼ା ମଠକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହିତ ମଠାଧୀଶମାନଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଦଖଲକୁ ନେଇଥିବା ଗୋପାଳତୀର୍ଥ ମଠର ସ୍ଥିତିକୁ ଦେଖି ଦେବୋତ୍ତର କମିଶନର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପୁରୀ କିଛି ମଠର ମଠାଧୀଶ ନ ଥିବାବେଳେ ଦୁର୍ଦ୍ଦିନ ଚାଲୁଥିବା ନେଇ ତାଙ୍କ ଦୃଷ୍ଟିକୁ ଆସିଥିଲା। ତେଣୁ ପୁରୀ ସହରରେ ଥିବା ମଠଗୁଡିକ ସ୍ଥିତି ଅନୁଧ୍ୟାନ ଲାଗି ଆସିଥିଲେ। ଅନୁଧ୍ୟାନ କରିଥିବା ମଠଗୁଡିକ ମଧ୍ୟରେ ଗୋଟିଏ ଦୁଇଟିକୁ ଛାଡିଦେଲେ ଅନ୍ୟ ମଠଗୁଡିକ ଦୁର୍ଦ୍ଦିନରେ ରହିଛି। ମଠଗୁଡିକର ଆୟପନ୍ଥା କିଛି ନାହିଁ। ପୂଜକମାନେ ଦୀର୍ଘ ବର୍ଷ ଧରି ଦରମା ପାଉନାହାନ୍ତି। ଗୋଟିଏ ପରେ ଗୋଟିଏ ମଠକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ହାତକୁ ନେଉଥିବା ସମ୍ପର୍କରେ କେତେଜଣ ମଠାଧୀଶ ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମଠଗୁଡିକ ଦେବୋତ୍ତର ବିଭାଗ ଅଧୀନରେ ରହିଛି। ବାଉଳି ମଠ ଶ୍ରୀମନ୍ଦିର ପ୍ରଶାସନ ହାତକୁ ନେଇଥିଲେ ହେଁ ଦେବୋତ୍ତର ବିଭାଗର ଦୃଷ୍ଟି ଆକର୍ଷଣ କରିନାହିଁ। ତେଣୁ ଶ୍ରୀମନ୍ଦିର ପ୍ରଶାସନ କେଉଁ ପରିସ୍ଥିତିରେ କିଭଳି ସ୍ଥିତିରେ ବାଉଳି ମଠକୁ ହାତକୁ ନେଲା ତାହାକୁ ତର୍ଜମା କରାଯିବ। ଏ ସମ୍ପର୍କରେ ଆଇନ ବିଭାଗ ସହ ମଧ୍ୟ ଆଲୋଚନା କରାଯିବ। ପୁରୀ ଥିବା ମଠ ମହନ୍ତମାନଙ୍କୁ ନେଇ ଏକ ବୈଠକ ଡାକିବା ଲାଗି ମଠାଧୀଶମାନେ ଅନୁରୋଧ କରିଛନ୍ତି। ତେଣୁ ଖୁବଶୀଘ୍ର ପୁରୀର ସମସ୍ତ ମଠାଧୀଶଙ୍କୁ ନେଇ ଏକ ବୈଠକ ଡାକି ସେମାନଙ୍କ ସମସ୍ୟା ଏବଂ ମଠ ସଂସ୍କୃତି କିଭଳି ଉଜ୍ଜୀବିତ ରହିପାରିବ ସେ ସମ୍ପର୍କରେ ଆଲୋଚନା କରାଯିବ ବୋଲି କମିଶନର କହିଛନ୍ତି। କମିଶନରଙ୍କ ଏହି ଗସ୍ତ ବେଳେ ଦେବୋତ୍ତର ନିରୀକ୍ଷକ ଶିବ ନାରାୟଣ ପଣ୍ଡା ଉପସ୍ଥିତ ଥିଲେ। ସୁପ୍ରିମକୋର୍ଟଙ୍କ ରାୟକୁ ଭିତ୍ତିକରି ବାଉଳି ମଠକୁ ଶ୍ରୀମନ୍ଦିର ପ୍ରଶାସନ ହାତକୁ ନେଇଛି। ମଠାଧୀଶ ନ ଥିବା ଆଉ ୪ଟି ମଠ ସଂକ୍ରାନ୍ତରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସରଜମିନ୍‌ ତଦନ୍ତ ଆରମ୍ଭ ହୋଇଛି। ମଠର ଓଇଏ ଫଇସଲା କାହା ସପକ୍ଷରେ ରହିଛି, ମଠର କାଗଜପତ୍ର କାହା ନାମରେ ରହିଛି ଏସବୁର ଯାଞ୍ଚ ଚାଲିଛି। ଉକ୍ତ ୪ଟି ମଠକୁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ହାତକୁ ନେବାର ଯୋଜନା ରହିଛି। ଶ୍ରୀକ୍ଷେତ୍ରରେ ଶତାଧିକ ମଠ ରହିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନର ପଦକ୍ଷେପ ପରେ ମଠାଧୀଶମାନଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri