୨ରେ ଛତିଶା ନିଯୋଗ ବୈଠକ: ଚୂଡ଼ାନ୍ତ ହେବ ପହିଲି ଭୋଗ ନୀତି


ପୁରୀ ଅଫିସ, ୨୯।୧୧: ଆସନ୍ତା ଡିସେମ୍ବର ୧୬ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ପହିଲି ଭୋଗ। ଏହା ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ଚାଲିବ। ପହିଲି ଭୋଗ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ନିମନ୍ତେ ଆସନ୍ତା ୨ତାରିଖରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିବ ଛତିଶା ନିଯୋଗ ବୈଠକ। ବୈଠକରେ ପୌଷମାସ ନୀତି ନିର୍ଘଣ୍ଟ ସଂକ୍ରାନ୍ତରେ ଆଲୋଚନା କରାଯାଇ ଚୂଡାନ୍ତ କରାଯିବ। ତେବେ ଶ୍ରୀମନ୍ଦିରର ଆଉ କେତେକ ପ୍ରସଙ୍ଗ ରହିଥିବାରୁ ବୈଠକ ସରଗରମ ହେବ ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମଡିଆରେ ବାରମ୍ବାର ଭାଇରାଲ ହେବାକୁ ନେଇ ବିବାଦରେ ରହିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ଭିତରେ ସେବାୟତମାନେ କ୍ୟାମେରା ଥିବା ମୋବାଇଲ ବ୍ୟବହାର କରିପାରିବେ ନାହିଁ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି। କ୍ୟାମେରା ନ ଥିବା ମୋବାଇଲ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବାର ଯୋଜନା ରହିଛି। କିନ୍ତୁ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନଥିବା ବେଳେ ଦୁଇଥର ଶ୍ରୀମନ୍ଦିର ଫଟୋ ଭାଇରାଲ ହୋଇସାରିଲାଣି। ତଦନ୍ତ କମିଶନ ଏବଂ ହାଇକୋର୍ଟ ମଧ୍ୟ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତେଣୁ ହେବାକୁ ଥିବା ଛତିଶା ନିଯୋଗ ବୈଠକରେ ମୋବାଇଲ ଫୋନ ଉପରେ ଆଲୋଚନା କରାଯାଇ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ଅନ୍ୟପକ୍ଷରେ ଶ୍ରୀମନ୍ଦିରର ନାଟମଣ୍ଡପ ଗୁରୁଡ଼ ସ୍ତମ୍ଭ ସମ୍ମୁଖ ବିମ୍‌ରେ ଫାଟ ରହିଛି। ଏହାକୁ ଏକ ମାସ ମଧ୍ୟରେ ମରାମତି କରିବା ଲାଗି ଏଏସ୍‌ଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି। ସେହିପରି ଜଗମୋହନ-ନାଟମଣ୍ଡପର ସଂଯୋଗ ସ୍ଥଳ ଦୁର୍ବଳ ସ୍ଥିତିରେ ରହିଥିବାରୁ ଏହାର ମରାମତି ୬ମାସ ମଧ୍ୟରେ ସାରିବା ଲାଗି ସତ୍ୟପାଠ ଦାଖଲ କରିଛି। ହେଲେ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସାରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ଏଏସ୍‌ଆଇକୁ କହିଛି। ନାଟମଣ୍ଡପର ଏହି କାର୍ଯ୍ୟ ପାଇଁ ଭାରାବନ୍ଧା ଗଲେ ଭକ୍ତଙ୍କ ଦର୍ଶନରେ ସମସ୍ୟା ଉପୁଜିବ। ତେଣୁ ଏହି ମରାମତି ସମ୍ପର୍କରେ ଛତିଶା ନିଯୋଗ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri