ଓଡ଼ିଶାରେ ଅନ୍ତର୍ଜାତୀୟ ବିମାନ ସେବା: ସୁଯୋଗ ଦେଲା ଏୟାର ଏସିଆ


ଭୁବନେଶ୍ୱର,୨୯।୧୧(ବ୍ୟୁରୋ)- ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ମାଲେସିଆକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାପରେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନରେ ବୃଦ୍ଧି ଘଟିଛି। ଏୟାର ଏସିଆ ପକ୍ଷରୁ ସେବା ଆରମ୍ଭ ହେବା ସମୟରେ ମାସକୁ ମାତ୍ର ୪୦୦ ପର୍ଯ୍ୟଟକ ଆସୁଥିବାବେଳେ ଏହି ସଂଖ୍ୟା ଦୁଇଗୁଣାରୁ ଅଧିକ ହୋଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗର ସୂଚନା ଅନୁଯାୟୀ, କେବଳ ଏୟାର ଏସିଆରେ ମାଲେସିଆରୁ ପ୍ରତି ମାସକୁ ଏବେ ୯୦୦ରୁ ଅଧିକ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସୁଛନ୍ତି। ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି କରିବାକୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦେଶ ବାହାରକୁ ବିମାନ ଉଡାଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ବିମାନ ବନ୍ଦରକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିବାର ପ୍ରାୟ ୨ବର୍ଷ ପରେ ବହୁ ବାଦବିବାଦ ମଧ୍ୟରେ ଅନ୍ତର୍ଜାତୀୟ ସେବା ଆରମ୍ଭ ହୋଇଥିଲା। ଚଳିତବର୍ଷ ପ୍ରଥମାର୍ଦ୍ଧରେ ମାଲେସିଆକୁ ସିଧାସଳଖ ବିମାନ ଉଠିଲା। ଏୟାର ଏସିଆ ପକ୍ଷରୁ ଏହି ସେବା ଯୋଗାଇ ଦିଆଯିବା ପରେ ରାଜ୍ୟକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବା ସହ ସିଙ୍ଗାପୁର, ଶ୍ରୀଲଙ୍କା, ଥାଇଲାଣ୍ଡରୁ ବୌଦ୍ଧ ପର୍ଯ୍ୟଟକ ଓଡିଶା ଆସିବେ ବୋଲି ପର୍ଯ୍ୟଟନ ବିଭାଗ ଆକଳନ କରିଥିଲା। ପୂର୍ବରୁ ବୌଦ୍ଧ ଧର୍ମାବଲମ୍ବୀ ଥିବା ଦେଶରେ ବିଭାଗ ପକ୍ଷରୁ କରାଯାଉଥିବା ରୋଡ୍‌ ଶୋ’ରେ ଉଦୟଗିରି, ଲଳିତଗିରି, ଧଉଳିଗିରି, ରନତ୍ଗିରି, ଲାଙ୍ଗୁଡି ଆଦି ସ୍ଥାନକୁ ପ୍ରଦର୍ଶିତ କରାଯାଉଥିଲା। ହେଲେ ଏହିସବୁ ଦେଶରୁ ଓଡିଶାକୁ ସିଧାସଳଖ ବିମାନ ସେବା ନ ଥିବାରୁ ଦୁଇ/ତିନୋଟି ବିମାନ ପରିବର୍ତ୍ତନ କରି ଓଡିଶା ଆସିବାକୁ ପର୍ଯ୍ୟଟକ ଅମଙ୍ଗ ହେଉଥିଲେ। ବାରାଣାସୀ ସମେତ ଦେଶର ଅନ୍ୟ ବୌଦ୍ଧ ପର୍ଯ୍ୟଟନସ୍ଥଳୀ ବୁଲି ସେମାନେ ଫେରିଯାଉଥିଲେ, ଯାହାକି ରାଜ୍ୟରେ ବିଦେଶୀ ପର୍ଯ୍ୟଟକ କମିବାର ପ୍ରମୁଖ କାରଣ ଥିଲା। ହେଲେ ଏବେ ସ୍ଥିତିରେ କିଛିଟା ସୁଧାର ଆସିଛି। ସିଧାସଳଖ ବିମାନ ସେବା ଆରମ୍ଭ ହେବାପରେ ମାଲେସିଆ, ସିଙ୍ଗାପୁର, ଥାଇଲ୍ୟାଣ୍ଡ ଭଳି ରାଷ୍ଟ୍ରରୁ ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ଆମଗନ ବୃଦ୍ଧିପାଇଛି। ପର୍ଯ୍ୟଟନ ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ଅନ୍ତର୍ଜାତୀୟ ବିମାନ ଚଳାଚଳ କରିବା ଯୋଗୁ ଗତବର୍ଷଠାରୁ ଏବର୍ଷ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି। ଏୟାର ଏସିଆରେ ପ୍ରଥମେ ଯେତିକି ପର୍ଯ୍ୟଟକ ଆସୁଥିଲେ ଏବେ ତାହା ଦୁଇଗୁଣା ହୋଇଛି। କୋଣାର୍କ ମହୋତ୍ସବରେ ମଧ୍ୟ ଚଳିତବର୍ଷ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧିପାଇବ ବୋଲି ଆଶା କରାଯାଉଛି। ମାଲେସିଆରେ ଓଡ଼ିଶା ପର୍ଯ୍ୟଟନର ଆହୁରି ପ୍ରଚାର ପ୍ରସାର କରିବାକୁ ସେଠାକାର କିଛି ଗଣମାଧ୍ୟମକୁ ଫ୍ୟାମ୍‌ ଟ୍ରିପ୍‌ ପାଇଁ ଓଡ଼ିଶା ଡକାଯାଇଛି। କୋଣାର୍କ ମହୋତ୍ସବ ସହ ସେମାନେ ରାଜ୍ୟର ଆଉକେତେକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ବୁଲିବାର କାର୍ଯ୍ୟକ୍ରମ ରହିଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କୋଣାର୍କ ମହୋତ୍ସବ ସମୟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ବିଶ୍ୱ ହକି ଲିଗ୍‌ ଆୟୋଜିତ ହେବାକୁ ଥିବାରୁ ପର୍ଯ୍ୟଟକ ଆଗମନ ବୃଦ୍ଧିରେ ଏହା ମଧ୍ୟ ସହାୟକ ହେବ। ୧୦ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ହକି ମହାକୁମ୍ଭରେ ୮ଟି ଦେଶ ଅଂଶଗ୍ରହଣ କରୁଥିବା ବେଳେ ସମ୍ପୃକ୍ତ ଦେଶରୁ ଆସିବାକୁ ଥିବା ଦେଖଣାହାରୀ କୋଣାର୍କ ମହୋତ୍ସବ ଏବଂ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିଦେଖିବେ ବୋଲି ଆଶା କରାଯାଉଛି। ସେହିଭଳି ଆଗକୁ ବ୍ୟାଙ୍ଗ୍‌କକ୍‌କୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଥିବାବେଳେ ବିଶେଷକରି ବୌଦ୍ଧ ପର୍ଯ୍ୟଟକଙ୍କ ଆଗମନ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri