ଶ୍ରୀମନ୍ଦିର ପ୍ରଶାସନ ନିୟନ୍ତ୍ରଣରେ ରହିବ ମହାଲକ୍ଷ୍ମୀ ମନ୍ଦିର


ପୁରୀ ଅଫିସ, ୨୮।୧୧: ଶ୍ରୀମନ୍ଦିର ପରିସରସ୍ଥ ମହାଲକ୍ଷ୍ମୀ ମନ୍ଦିର ସ୍ବୟଂଶାସିତ ମନ୍ଦିର ଭଳି ପରିଚାଳିତ ହୋଇ ଆସୁଥିଲା। ଏଣିକି ଶ୍ରୀମନ୍ଦିର ପ୍ରଶାସନର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ମହାଲକ୍ଷ୍ମୀ ମନ୍ଦିର ପରିଚାଳିତ ହେବ। ମନ୍ଦିର ପରିଚାଳନା ଲାଗି ଏକ ବ୍ୟବସ୍ଥାବଳୀ ରହିବ। ଏହାକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ କରିବ। ସେହି ଅନୁଯାୟୀ ସମସ୍ତେ କାର୍ଯ୍ୟ କରିବେ। ମହାଲକ୍ଷ୍ମୀ ମନ୍ଦିରର ସେବାୟତମାନେ ଦକ୍ଷିଣା ବାଦ ଅନ୍ୟ କିଛି ଦାନ ଭକ୍ତଙ୍କ ଠାରୁ ଗ୍ରହଣ କରିପାରିବେ ନାହିଁ। ସମସ୍ତ ଦାନ ଏଣିକି ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିବ। ପ୍ରତି ୩ ମାସରେ ଥରେ ନୀତି ପ୍ରଶାସକ ମହାଲକ୍ଷ୍ମୀ ମନ୍ଦିର ପରିଚାଳନାର ସମୀକ୍ଷା କରିବେ। ସେବାୟତଙ୍କ ପାଇଁ କୋଡ ଅଫ କଣ୍ଡକ୍ଟ ଲାଗୁ ହେବ। ସେହି ଅନୁଯାୟୀ ସେବାୟତମାନେ କାର୍ଯ୍ୟ କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ଗଣମାଧ୍ୟମକୁ କହିଛନ୍ତି। ମହାଲକ୍ଷ୍ମୀଙ୍କ ସୁବର୍ଣ୍ଣ କିରୀଟ ଦୁର୍ବଳ ହେବା ସହିତ ଭାଙ୍ଗି ଯାଇଥିଲା। ଏନେଇ ପ୍ରଥମେ କେବଳ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଏହାପରେ ଏହାକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଥିଲା। ଏପରି କି ମହାଲକ୍ଷ୍ମୀ ମନ୍ଦିର ଶ୍ରୀମନ୍ଦିର ପ୍ରଶାସନ ନିୟନ୍ତ୍ରଣରେ ନ ଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ। ମହାଲକ୍ଷ୍ମୀ ମନ୍ଦିରର ପରିଚାଳନା ଲାଗି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଙ୍ଗଳବାର ଏକ ବୈଠକ ଡାକିଥିଲେ। ବୈଠକରେ ମହାଲକ୍ଷ୍ମୀ ମନ୍ଦିରର ସେବାୟତ ଏବଂ ନୀତି ପ୍ରଶାସକ ପ୍ରମୁଖ ଯୋଗଦେଇଥିଲେ। ମହାଲକ୍ଷ୍ମୀ ମନ୍ଦିରର ପରିଚାଳନା ସମ୍ପର୍କରେ ସେବାୟତଙ୍କ ସହ ବିସ୍ତୃତ ଆଲୋଚନା କରାଯାଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ମହାଲକ୍ଷ୍ମୀଙ୍କ କିରୀଟ ସମ୍ପର୍କରେ ଆଲୋଚନା କରାଯିବ। ଖୁବଶୀଘ୍ର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ସ୍ବର୍ଣ୍ଣ କିରୀଟ ନିର୍ମାଣ କରାଯିବ। ମହାଲକ୍ଷ୍ମୀଙ୍କ ଭାଙ୍ଗିଯାଇଥିବା ଝୁମ୍ପି ମଧ୍ୟ ମରାମତି ହେବ। ଏଣିକି ମା’ଙ୍କ ପାଟ ଏବଂ ଅଳଙ୍କାର ଆଦି ଯାହା କିଛି ଲାଗି ହେବ ଶ୍ରୀମନ୍ଦିର ପ୍ରଶାସନର ସେଣ୍ଟ୍ରାଲ ଷ୍ଟୋରରୁ ଇସ୍ୟୁ କରାଯିବ। ମା’ଙ୍କୁ ପ୍ରତ୍ୟହ ଲାଗି ହେଉଥିବା ଅଳଙ୍କାର ଲାଗି ଏକ ନିୟମାବଳୀ ରହିବ। ଯୁଗ୍ମ ଭାବେ କିଭଳି ଉକ୍ତ ଅଳଙ୍କାରକୁ ଗ୍ରହଣ ଓ ତଦାରଖ କରିବେ ସେଥିଲାଗି ଏକ ନିୟମାବଳୀ ପ୍ରସ୍ତୁତ ହେବ। ମା’ଙ୍କୁ ଲାଗି ହୋଇଥିବା କୌଣସି ଅଳଙ୍କାରରେ କ୍ଷୟ କିମ୍ବା ଭାଙ୍ଗି ଯାଇଥିବା ଜଣାପଡିଲେ ସେବାୟତମାନେ ସଙ୍ଗେ ସଙ୍ଗେ ଲିଖିତ ଭାବେ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସରଜମିନ ତଦନ୍ତ କରାଯାଇ ଉକ୍ତ ଅଳଙ୍କାର ସଂକ୍ରାନ୍ତରେ ପଦକ୍ଷେପ ନିଆଯିବ। ଲକ୍ଷ୍ମୀ ମନ୍ଦିରରେ ସେବାୟତମାନେ ଏକ ବିକଳ୍ପ ଭଣ୍ଡାର ତଥା ଷ୍ଟୋର କରିଛନ୍ତି। ସେହି ଭଣ୍ଡାର ଆଉ ରହିବ ନାହିଁ। ଆସନ୍ତା ୩୦ତାରିଖରେ ଉକ୍ତ ଭଣ୍ଡାରର ସରଜମିନ ତଦନ୍ତ କରାଯିବ। ଉକ୍ତ ଜିନିଷ ଶ୍ରୀମନ୍ଦିର ପ୍ରଶାସନ ରେକର୍ଡକୁ ନିଆଯିବ। ଏଥିଲାଗି ଏକ ଟିମ୍‌ ଗଠନ କରାଯାଇଛି। ମହାଲକ୍ଷ୍ମୀ ମନ୍ଦିର ପରିଚାଳନା ପାଇଁ ଯେଉଁ ନିୟମାବଳୀ ଲାଗୁ ହେବ, ସେହିଭଳି ଏକ ନିୟମାବାଳୀ ପାର୍ଶ୍ୱଦେବଦେବୀ ମନ୍ଦିର ପାଇଁ ମଧ୍ୟ ପ୍ରସ୍ତୁତ କରାଯିବ ବୋଲି ଜେନା କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri