ସ୍ବର୍ଗଦ୍ୱାର ଜମି ଦୁର୍ନୀତି: ଅପିଲ କେସ୍‌ ରୁଜୁ କଲା ଗୋବର୍ଦ୍ଧନ ମଠ


ପୁରୀ ଅଫିସ, ୨୮।୧୧: ସ୍ବର୍ଗଦ୍ୱାର ଜମି ଦୁର୍ନୀତି ଏବେ ନୂଆମୋଡ଼ ନେଇଛି। ଗୋବର୍ଦ୍ଧନ ମଠ ମାର୍ଫତଦାରରେ ଥିବା ଜମି ମଧ୍ୟରୁ ୧୧ଏକର ୧୪୩ ଡେସିମିଲ ଜମି ଇତି ମଧ୍ୟରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ନାମରେ ରେକର୍ଡ ହୋଇଛି। ପୁରୀ ତହସିଲଦାର ତଥା ଓଇଏ କଲେକ୍ଟର ଏକ ଓଇଏ କେସ୍‌ର ଫଇସଲା କରି ଏହି ପଦକ୍ଷେପ ନେଇଛନ୍ତି। ଉକ୍ତ ଫଇସଲାକୁ ଚ୍ୟାଲେଞ୍ଜ କରି ଗୋବର୍ଦ୍ଧନ ମଠ ପକ୍ଷରୁ ଅତିରିକ୍ତ ଜିଲାପାଳ କୋର୍ଟରେ ଏକ ଅପିଲ କେସ (ନଂ. ୨/୨୦୧୭) ରୁଜୁ କରାଯାଇଛି। ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ, ତହସିଲଦାର ତଥା ଓଇଏ କଲେକ୍ଟର ଓଇଏ କେସ୍‌ ପରିଚାଳନା କରିବା କ୍ଷମତା ବାହାରେ ବୋଲି ଗୋବର୍ଦ୍ଧନ ମଠ ପକ୍ଷରୁ ଆବେଦନରେ ଦର୍ଶାଯାଇଛି। ତେଣୁ ତହସିଲଦାର ତଥା ଓଇଏ କଲେକ୍ଟର ଯେଉଁ ଓଇଏ କେସ ଫଇସଲା କରୁଛନ୍ତି ତାହା ଉପରେ ସ୍ଥଗିତାଦେଶ ଦେବାକୁ ଗୋବର୍ଦ୍ଧନ ମଠ ପକ୍ଷରୁ ନିବେଦନ କରାଯାଇଛି। ଅତିରିକ୍ତ ଜିଲାପାଳଙ୍କ କୋର୍ଟରେ ଏହି ଅପିଲ କେସ୍‌ ଗ୍ରହଣୀୟ ହୋଇଛି। ଏହାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୪କୁ ଧାର୍ଯ୍ୟ କରାଯାଇଥିବା ଗୋବର୍ଦ୍ଧନ ମଠ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ସୁଧାଂଶୁ ଶେଖର ମହାନ୍ତି ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୧୮୯୯ ମସିହା ସାବକ ରେକର୍ଡ ଅନୁଯାୟୀ ବାଲିସାହି ମୌଜର ଖାତା ନଂ. ୩୩ରେ ୫୬ଟି ପ୍ଲଟରେ ସମୁଦାୟ ୩୦ଏକର ୧୧୦ଡେସିମିଲ ଥିଲା। ଜମିର ସ୍ବତ୍ତ୍ବ ଶ୍ରୀଜଗନ୍ନାଥ ମହାପ୍ରଭୁ ମାର୍ଫତ ଶଙ୍କର ମଧୁସୂଦନ ତୀର୍ଥସ୍ବାମୀ ଏବଂ ଗୁରୁ ଦାମୋଦର ତୀର୍ଥସ୍ବାମୀ ରହିଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧୯୯୦ ନଭେମ୍ବର ୫ରେ ପୁରୀ ତହସିଲଦାର ତଥା ଓଇଏ କଲେକ୍ଟରଙ୍କ ନିକଟରେ ଏକ ଓଇଏ କେସ( ନଂ. ୩୪/୧୯୯୦) ରୁଜୁ କରାଯାଇଥିଲା। ଏହାକୁ ତତ୍‌କାଳୀନ ଓଇଏ କଲେକ୍ଟର ଖାରଜ କରି ଦେଇଥିଲେ। ଏହାପରେ ଶ୍ରୀମନ୍ଦିର ପ୍ରଶାସନ ପୁରୀ ଅତିରିକ୍ତ ଜିଲାପାଳଙ୍କ କୋର୍ଟରେ ୨୦୦୬ ମସିହାରେ ଏକ ଓଇଏ ଅପିଲ କେସ ଦାଏର କରିଥିଲା। ମୂଳ ଓଇଏ କେସ୍‌ର ଏକ ମାସ ମଧ୍ୟରେ ପୁନର୍ବିଚାର ଲାଗି ତହସିଲଦାର ତଥା ଓଇଏ କଲ୍ଟେକରଙ୍କୁ ୧୧ା୬ା୨୦୧୫ରେ ଅତିରିକ୍ତ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି କେସ ତହସିଲଦାରଙ୍କ କୋର୍ଟରେ ପଡି ରହିଥିଲା। ସ୍ବର୍ଗଦ୍ୱାର ଜମି ଦୁର୍ନୀତିର ଖୋଳତାଡ ହେବା ପରେ ଏହି ଫାଇଲ ଖୋଲିଥିଲା। ଏହି ଓଇଏ କେସ୍‌ର ଫଇସଲା ଲାଗି ପୁରୀ ତହସିଲଦାର ଶ୍ରୀମନ୍ଦିର ପ୍ରଶାସନ, ଗୋବର୍ଦ୍ଧନ ମଠକୁ ନୋଟିସ ଜାରି କରିଥିଲେ। ଗତ ଏପ୍ରିଲ ୧୧ରେ ଏହି ଓଇଏ କେସ୍‌ର ଶୁଣାଣି ଆରମ୍ଭ ହୋଇଥିଲା। ଏପ୍ରିଲ ୨୬ରେ ଏହି କେସ୍‌ର ଶୁଣାଣି ଶେଷ ହୋଇଥିଲା। ମେ ୮ତାରିଖରେ ରାୟ ପ୍ରକାଶ ପାଇଥିଲା। ତହସିଲଦାର ଉକ୍ତ ଓଇଏ କେସକୁ ଦୁଇଟି ଭାଗରେ ବିଭକ୍ତ କରି ବିଚାର କରିଛନ୍ତି। ପ୍ରଥମ ପର୍ଯ୍ୟାୟ ବେବନ୍ଦୋବସ୍ତ ଭାବେ ୧୩ ଏକର ୫୯୧ ଡେସିମିଲର ଫଇସଲା କରିଥିଲେ। ଏଥିରୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ନାମରେ ୧୧ ଏକର ୧୪୩ ଡେସିମିଲ ଜମି ରେକର୍ଡ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ଇତି ମଧ୍ୟରେ ଉକ୍ତ ଜମିର ପଟ୍ଟା ପାଇସାରିଛି। ଏଥିରେ ଗୋବର୍ଦ୍ଧନ ମଠ, ମଠର ଗୋଶାଳା, ଗୋଟିଏ ଜାଗା ଘର, ଗୋଟିଏ ସ୍କୁଲ ଏବଂ ପ୍ରାୟ ୩୫ଟି ହୋଟେଲ ରହିଛି। ଅନ୍ୟପକ୍ଷରେ ସ୍ବର୍ଗଦ୍ୱାର ଜମିର ୧୦ଏକର ୯୯୦ଡେସିମିଲ ସ୍ଥିତିବାନ ଜମିର ଫଇସଲା ପୁରୀ ତହସିଲଦାର ତଥା ଓଇଏ କଲେକ୍ଟରଙ୍କ କୋର୍ଟରେ ବିଚାରାଧୀନ ରହିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri