ଶିକ୍ଷୟିତ୍ରୀଙ୍କୁ ଯୌନ ନିର୍ଯାତନା, କମ୍ପ୍ୟୁଟର ଶିକ୍ଷକ ଗିରଫ


ନିମାପଡ଼ା, ୧୦।୧୧ (ଡି.ଏନ୍‌.ଏ.) - ଗୁରୁ ନମସ୍ୟ। ମାତ୍ର ଛାତ୍ରୀଛାତ୍ରଙ୍କୁ ଭଲ ମଣିଷ ହେବାକୁ ଶିକ୍ଷା ଦେଉଥିବା କେତେଜଣ ଶିକ୍ଷକଙ୍କ ପାଇଁ ଆଜି ପୂରା ଗୁରୁକୁଳ ବଦନାମ ହୋଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ନିମାପଡ଼ା ବ୍ଲକ୍‌ ସଲଙ୍ଗ ଗ୍ରାମ ପଞ୍ଚାୟତସ୍ଥିତ ଏକ ହାଇସ୍କୁଲ୍‌ରେ ଘଟିଛି। ସ୍କୁଲ୍‌ର କମନ୍‌ରୁମ୍‌ରେ ସହକାରୀ ଶିକ୍ଷୟିତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ନିମାପଡ଼ା ଥାନାରେ ଶୁକ୍ରବାର ଗୁରୁତର ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ପ୍ରଧାନଶିକ୍ଷକଙ୍କ ସମେତ ୩ଜଣଙ୍କ ନାମରେ ମାମଲା ରୁଜୁ କରିଥିବାବେଳେ ଜଣେ ଶିକ୍ଷକଙ୍କୁ ଗିରଫ କରାଯାଇଛି। ସେ ହେଲେ କମ୍ପ୍ୟୁଟର ଶିକ୍ଷକ ଯାଦବାନନ୍ଦ ସାହୁ। ଅଭିଯୋଗ ଅନୁସାରେ, ଅଭିଯୁକ୍ତ ଯାଦବାନନ୍ଦ ଉକ୍ତ ଶିକ୍ଷୟିତ୍ରୀଙ୍କୁ ଏକ ତରଫା ପ୍ରେମ କରୁଥିଲେ। ଶିକ୍ଷୟିତ୍ରୀ ଜଣକ ଆଦିବାସୀ ଓ ବିବାହିତ ହୋଇଥିବା ଜାଣି ମଧ୍ୟ ତାଙ୍କୁ ବିବାହ ପାଇଁ ବର୍ଷେ ହେଲା ବାରମ୍ବାର ସେ ନିବେଦନ କରୁଥିଲେ। ଏଥିରେ ଶିକ୍ଷୟିତ୍ରୀ ଅରାଜି ହେବାରୁ ଯାଦବାନନ୍ଦ ନାନା ସମୟରେ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ହତ୍ୟା ଧମକ ଦେଇ ଆସୁଥିଲେ। ଗୁରୁବାର ଶିକ୍ଷୟିତ୍ରୀ ଜଣକ ସ୍କୁଲ୍‌ କମନ୍‌ରୁମ୍‌ରେ ଥିବାବେଳେ ଯାଦବାନନ୍ଦ ତାଙ୍କୁ ଅସଦାଚରଣ କରିବା ସହ ଯୌନ ନିର୍ଯାତନା ଦେଇଥିଲେ। ଏଥିପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଭାକର ନନ୍ଦ ଓ ଖେଳ ଶିକ୍ଷକ ଅଶୋକ କୁମାର ମହାନ୍ତି ଯାଦବାନନ୍ଦଙ୍କୁ ପ୍ରୋତ୍ସାହିତ କରିଥିବା ପୀଡିତା ଶିକ୍ଷୟିତ୍ରୀ ଏତଲାରେ ଉଲ୍ଲେଖ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ୩ଜଣଙ୍କ ନାମରେ ଆଇପିସି ଦଫା ୩୫୪(ଏ), ୩୫୪ (ବି), ୨୯୪, ୫୦୬, ୧୦୯, ୩୪, ୩ ଏସ୍‌ସି ଆକ୍ଟରେ ମାମଲା ନଂ.୨୮୫/୧୭ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ନିମାପଡ଼ା ଥାନାଧିକାରୀ ନିରଞ୍ଜନ ପାଢ଼ୀ କୁହନ୍ତି, ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଯାଦବାନନ୍ଦଙ୍କୁ ଗିରଫ କରାଯାଇଛି। ଘଟଣାର ତଦନ୍ତ ସରିବା ପରେ ଅନ୍ୟ ଅଭିଯୁକ୍ତଙ୍କ ଉପରେ ଯାହା ପଦକ୍ଷେପ ନିଆଯିବ। ଅନ୍ୟପକ୍ଷରେ ଏହି ଘଟଣାରେ ପୀଡିତା ଶିକ୍ଷୟିତ୍ରୀ ଜଣକ ଅତ୍ୟନ୍ତ ଭୟଭୀତ ହୋଇପଡିଛନ୍ତି। ପ୍ରଧାନଶିକ୍ଷକ ପ୍ରଭାକର ଘଟଣାରେ ତାଙ୍କର ସମ୍ପୃକ୍ତି ନ ଥିବା କହିଛନ୍ତି। ଏହି ଘଟଣାକୁ ନେଇ ନିମାପଡ଼ା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ଅଭିଭାବକମାନେ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri