ଅସ୍ଥାୟୀ ରତ୍ନସିଂହାସନକୁ ଉଇ ଖାଇଲେଣି


ପୁରୀ ଅଫିସ, ୧୦।୧୧: ଶ୍ରୀମନ୍ଦିର ଆକ୍ରମଣ ଯୋଗୁ ବହୁବାର ଦାରୁଦିଅଁଙ୍କୁ ରତ୍ନସିଂହାସନରୁ ଓହ୍ଲାଇବାକୁ ପଡିଛି। କେତେବେଳେ ଦାରୁବିଗ୍ରହଙ୍କୁ ରାତିଅଧିଆ ଖୋର୍ଦ୍ଧା ଜିଲା ନଇରିକୁ ନିଆଯାଇଛି ତ ପୁଣି କେତେବେଳେ ମହାପ୍ରଭୁ ପାହାଡ଼ ଉପରେ, ଚିଲିକା ମଧ୍ୟରେ ଲୀଳା କରିଛନ୍ତି। ଏହି ସମୟରେ ଦୀର୍ଘଦିନ ଧରି ଖାଲିପଡିଛି ରତ୍ନସିଂହାସନ ବୋଲି ଗବେଷକମାନେ ମତ ଦିଅନ୍ତି। କିନ୍ତୁ ଏମିତି ବି ହୋଇଛି ଶ୍ରୀମନ୍ଦିର ଗର୍ଭଗୃହର ଦୁରବସ୍ଥା ପାଇଁ ଦୀର୍ଘସମୟ ଖାଲିପଡିଛି ରତ୍ନସିଂହାସନ। ୧୯୯୨ରେ ବଡ଼ଦେଉଳରୁ ପଥର ଖସିବା ପରେ ୭ ମାସ ୩ ଦିନ ରତ୍ନସିଂହାସନ ଛାଡି ଏକ ଅସ୍ଥାୟୀ ସିଂହାସନରେ ବିଜେ କରିଥିଲେ ମହାପ୍ରଭୁ। ଜଗମୋହନରେ ଏହି ଅସ୍ଥାୟୀ ରତ୍ନସିଂହାସନ ଉପରେ ବସି ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଏକଦା ମହାପ୍ରଭୁଙ୍କ ବିଜେସ୍ଥଳ ପାଲଟିଥିବା ଏହି ଅସ୍ଥାୟୀ ରତ୍ନସିଂହାସନ ଏବେ ଅବହେଳିତ ହୋଇପଡିଛି। ନୀଳାଦ୍ରି ବିହାର ମ୍ୟୁଜିୟମ୍‌ ପରିସରରେ ଏହାକୁ ଉଇ ଖାଇଗଲେଣି। ୧୯୯୨ ଅଗଷ୍ଟ ୧୩ ତାରିଖ। ଗର୍ଭଗୃହର ଲହଡ଼ିମୁଦା ଛାତରୁ ପ୍ରାୟ ୪୦ ଫୁଟ ଉଚ୍ଚରୁ ୪ ଟନ ଓଜନର ୨ଟି ପଥର ରତ୍ନସିଂହାସନ ସମ୍ମୁଖରେ ପଡ଼ିଥିଲା। ସେତେବେଳେ ସୁଆରବଡୁ, ପତ୍ରୀବଡୁ ପ୍ରମୁଖ ଗର୍ଭଗୃହରେ ଥିଲେ ମଧ୍ୟ କାହାର କିଛି କ୍ଷତି ହୋଇ ନ ଥିଲା। ଗର୍ଭଗୃହ ମରାମତି ନିମନ୍ତେ ୧୯୯୨ ଅକ୍ଟୋବର ୧୦ରେ ମହାପ୍ରଭୁଙ୍କ ସ୍ଥାନାନ୍ତର ଲାଗି ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଥିଲା। ମୁକ୍ତିମଣ୍ଡପ ପଣ୍ଡିତ ସଭା ପରାମର୍ଶ ଅନୁଯାୟୀ, ୧୭ ଫୁଟ ୬ ଇଞ୍ଚ ଲମ୍ବ, ୨ ଫୁଟ ଉଚ୍ଚତା ଏବଂ ୭ ଫୁଟ ଓସାରର ଅସ୍ଥାୟୀ ରତ୍ନସିଂହାସନ ନିର୍ମାଣ ଲାଗି ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ତିନିରଥ ନିର୍ମାଣବେଳେ ଯେଉଁ ନୀତି ନିୟମ ଅବଲମ୍ବନ କରାଯାଏ ସେହିଭଳି ନୀତିନିୟମ ଅନୁସାରେ ସେହିବର୍ଷ ନଭେମ୍ବର ୧୨ରେ କାମ ଆରମ୍ଭ ହୋଇଥିଲା। ଏଥିପାଇଁ ବାଣପୁର ଜଙ୍ଗଲରୁ ୧୩୦୦ ଘନଫୁଟ ଶାଳକାଠ ଅଣାଯାଇଥିଲା। ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ଅଣାଯାଇ ନିର୍ମାଣ କାମ ଶୁଭାରମ୍ଭ ହୋଇଥିଲା। ରଥ ଶାଢିବନ୍ଧା ମହାରଣା ୩ ଜଣ ହବିଷାନ୍ନ ଖାଇ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ନିର୍ମାଣ କରିଥିଲେ। ସେମାନଙ୍କୁ ସାହାଯ୍ୟ କରିବା ଲାଗି ୭ ଜଣ ଭୋଇ ସେବକ ମଧ୍ୟ ସାମିଲ ହୋଇଥିଲେ। ଗଜପତି ମହାରାଜା ପୂର୍ତ୍ତ ବିଭାଗ ଡାକବଙ୍ଗଳାକୁ ଯାଇ ବ୍ୟବହୃତ ହେଉଥିବା କାଠ ଓ ସିଂହାସନର ଗଠନ ପ୍ରଣାଳୀକୁ ଅନୁଧ୍ୟାନ କରିଥିଲେ। ପୁରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମଧ୍ୟ ଏହି ଅସ୍ଥାୟୀ ରତ୍ନସିଂହାସନ ନିର୍ମାଣକୁ ସମର୍ଥନ କରିଥିଲେ। ନଭେମ୍ବର ୧୯ରେ ଏହାର ନିର୍ମାଣ ସରିବା ପରେ ସେଠାରୁ ଶ୍ରୀମନ୍ଦିରକୁ ଅଣାଯାଇଥିଲା। ଶ୍ରୀମନ୍ଦିରରେ ଏହାକୁ ସେଟ୍‌ କରାଯାଇ ନଭେମ୍ବର ୨୯ରେ ଠାକୁରଙ୍କୁ ରତ୍ନସିଂହାସନରୁ ଓହ୍ଲାଇ ଜଗମୋହନରେ ଥିବା ଏହି ଅସ୍ଥାୟୀ ରତ୍ନସିଂହାସନରେ ବିଜେ କରାଯାଇଥିଲା। ଏହି ସ୍ଥାନାନ୍ତର ଦିନ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଠାକୁରଙ୍କୁ ସ୍ଥାନାନ୍ତର ସମୟରେ ପାଗପଟି କଟାଯାଇଥାଏ। କିନ୍ତୁ ସେଦିନ ପାଗପଟି ମହାପ୍ରଭୁଙ୍କ ଶରୀରରୁ ଆପେ ଆପେ ଖସିଯାଇଥିଲା। ୭ ମାସ ୩ ଦିନ ଏହି ଅସ୍ଥାୟୀ ରତ୍ନସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେଇ ୧୯୯୩ ଜୁଲାଇ ୨ରେ ରତ୍ନସିଂହାସନକୁ ବିଜେ କରିଥିଲେ ଚତୁର୍ଦ୍ଧାବିଗ୍ରହ। ମହାପ୍ରଭୁଙ୍କ ସ୍ପର୍ଶ ଯେଉଁଠି ରହିଛି ତାହା ପବିତ୍ର ଓ ମହାନ। ଏହି ବିଶ୍ୱାସରେ ପ୍ରତିଟି ହିନ୍ଦୁ ବଡ଼ଦାଣ୍ଡର ଧୂଳିକୁ ସର୍ବାଙ୍ଗେ ବୋଳିଥାନ୍ତି। କିନ୍ତୁ ଯେଉଁ ଅସ୍ଥାୟୀ ରତ୍ନସିଂହାସନ ଉପରେ ସ୍ବୟଂ ଜଗନ୍ନାଥ ବିଜେ କରିଥିଲେ ତାହା ଆଜି ଅବହେଳିତ। ଶ୍ରଦ୍ଧାଳୁଙ୍କ ଦର୍ଶନ ଉଦ୍ଦେଶ୍ୟରେ ନୀଳାଦ୍ରି ବିହାର ମ୍ୟୁଜିୟମ ପରିସରରେ ସ୍ବତନ୍ତ୍ର ଭାବେ କାଚ ଫ୍ରେମ ଘର ତିଆରି ହୋଇ ଏହାକୁ ସାଇତି ରଖାଯାଇଛି। କିନ୍ତୁ ଏହାର ସଂରକ୍ଷଣ ପ୍ରତି ସତେ ଯେମିତି ଆଖି ବୁଜିଦେଇଛି ପ୍ରଶାସନ। ଫଳସ୍ବରୂପ ଏହା ଉପରେ ଧୂଳି ବସିଥିବାବେଳେ କେତେକ ଅଂଶକୁ ଉଇ ଖାଇଗଲେଣି। ଏ ସମ୍ପର୍କରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ୧୯୯୨ରେ ଏହି ଅସ୍ଥାୟୀ ସିଂହାସନ ନିର୍ମାଣ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଗଜପତି ମହାରାଜା ଓ ମୁକ୍ତିମଣ୍ଡପ ପଣ୍ଡିତ ସଭାର ପରାମର୍ଶକ୍ରମେ ଏକାଧିକଥର ଆଲୋଚନା ହୋଇଥିଲା। ଶେଷରେ ଶାସ୍ତ୍ରୀୟ ବିଧିବିଧାନ ଅନୁଯାୟୀ ତିଆରି କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ବୈଷ୍ଣବ ସଂହିତା ଗ୍ରନ୍ଥର ବର୍ଣ୍ଣନା ଅନୁଯାୟୀ ବିଗ୍ରହଙ୍କ ମାପ ପ୍ରକାରେ ଏକ ଦିବ୍ୟ କାଷ୍ଠର ସିଂହାସନ ନିର୍ମାଣ କରାଯାଇଥିଲା। ତାହା ହେଉଛି ଆମ ଐତିହ୍ୟର ଅମୂଲ୍ୟ ସମ୍ପଦ। ମହାପ୍ରଭୁ ସେଥିରେ ବସିଥିବାରୁ ସେ ସିଂହାସନ ବ୍ରହ୍ମମୟ ହୋଇଯାଇଛି। ସେ ବସିଥିବା ଚକା ଯେଭଳି ପୂଜିତ ହେଉଛନ୍ତି ସେଭଳି ଅସ୍ଥାୟୀ ରତ୍ନସିଂହାସନ ମଧ୍ୟ ପୂଜା ପାଇବା କଥା। ଏହାକୁ ପରିତ୍ୟକ୍ତ ଅବସ୍ଥାରେ ରଖିବା ମଙ୍ଗଳଦାୟକ ନୁହେଁ। ତୁରନ୍ତ ଏହାର ପୁନଃ ସଂସ୍କାର କରି ଗୁଣ୍ଡିଚା ଘର ପରିସରରେ ଭକ୍ତଙ୍କ ଦର୍ଶନ ନିମନ୍ତେ ସୁରକ୍ଷିତ ରଖିବା ବିଧେୟ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri