ବିଡିଏର ଅହମ୍ମଦାବାଦ ଢାଞ୍ଚା: ୪୫ ଟାଉନ ପ୍ଲାନିଂ ସ୍କିମ୍‌ ଆରମ୍ଭ


ଭୁବନେଶ୍ୱର,୧୦।୧୧(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱର ଓ ଆଖପାଖରେ ଅବ୍ୟବସ୍ଥିତ ଭାବେ ମନଇଚ୍ଛା ବାସଗୃହ ଗଢ଼ିଉଠୁଛି। ରାସ୍ତା, ଡ୍ରେନ ନ ଥାଇ ମଧ୍ୟ ବାସଗୃହ ନିର୍ମାଣ ହେଉଛି। ଦୀର୍ଘବର୍ଷ ଧରି ସେହି ଅଞ୍ଚଳରେ ସହରୀ ସୁବିଧା ପହଞ୍ଚି ପାରୁନାହିଁ। ରାସ୍ତା ନିର୍ମାଣ, ଆଲୋକୀକରଣ, ସ୍ବେରେଜ, ଡ୍ରେନେଜ, ସଫାଇ ଆଦିରୁ ସେହି ଅଞ୍ଚଳ ବଞ୍ଚିତ ହେଉଛି। ଜମି ବ୍ୟବସାୟୀମାନେ ନିଜ ଇଚ୍ଛାରେ ଯୋଜନା କରି ପ୍ଲଟ୍‌ ବିକ୍ରି କରୁଛନ୍ତି। ରାସ୍ତା ଘରୋଇ ଜମିରେ ହୋଇଥିବାରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) କିମ୍ବା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏଥିରେ ହସ୍ତକ୍ଷେପ କରିପାରୁନାହାନ୍ତି। ଫଳରେ ସେହି ରାସ୍ତାଗୁଡିକର ବିକାଶ ହୋଇପାରୁ ନାହିଁ। ଏଣିକି ଆଉ ଏଭଳି ଅବସ୍ଥା ରହିବ ନାହିଁ। ଗୁଜରାଟର ଅହମ୍ମଦାବାଦ ସହର ଢାଞ୍ଚାରେ ଟାଉନ ପ୍ଲାନିଂ ସ୍କିମ୍‌(ଟିପିଏସ୍‌) ଆରମ୍ଭ କରିଛି ବିଡିଏ। ସହରର ବିଭିନ୍ନ ଅଞ୍ଚଳକୁ ନେଇ ୪୫ଟି ଟାଉନ ପ୍ଲାନିଂ ସ୍କିମ୍‌ ପ୍ରସ୍ତୁତ କରାଯାଇଛି। ୩ ହଜାରରୁ ଊର୍ଦ୍ଧ୍ୱ ଜମିମାଲିକଙ୍କ ୭୦୬୩.୭୫୦ ଏକର ଅଞ୍ଚଳରେ ଏହିସବୁ ଟିପିଏସ୍‌ଗୁଡିକ ଗଢ଼ିଉଠିବ। ବିଡିଏକୁ ଏହି କାର୍ଯ୍ୟରେ ସହଯୋଗ କରିବାକୁ ଅହମ୍ମଦାବାଦର ଏକ କନସଲଟାଣ୍ଟକୁ ନିଯୁକ୍ତି କରାଯାଇଛି। ଟିପିଏସ୍‌ଗୁଡିକର ରୂପରେଖ କିପରି ହେବ ଉକ୍ତ ସଂସ୍ଥା ସ୍କେଚ୍‌ ପ୍ରସ୍ତୁତ କରୁଛି। ପ୍ରଥମ ପର୍ଯ୍ୟାୟରେ ଟିପିଏସ୍‌-୧ର ରାସ୍ତା ଚିହ୍ନଟ କାର୍ଯ୍ୟ ଡିସେମ୍ବର ପହିଲାରୁ ଆରମ୍ଭ କରିବାକୁ ବିଡିଏ ନିଷ୍ପତ୍ତି ନେଇଛି। ଶାହାଜପୁର, ନରାଗୋଦା, ସିଜୁପୁଟ, ପାଇକରାପୁର ଗ୍ରାମର ୭୪୬.୭ ଏକର ଜମିରେ ଏହି ସ୍କିମ୍‌ ଆରମ୍ଭ ହେବ। ଉକ୍ତ ଗ୍ରାମଗୁଡ଼ିକର ୪୪୪ ଜଣ ଜମିମାଲିକଙ୍କୁ ନେଇ ଶୁକ୍ରବାର ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇଥିଲା। ବୈଠକରେ ଖୋର୍ଦ୍ଧା ସବ୍‌କଲେକ୍ଟର, ଏଡିଏମ୍‌, ତହସିଲଦାର, ଆର୍‌ଆଇ ପ୍ଲାନିଂ ମେମ୍ବର, ଭାଲୁଏଶନ ଅଫିସର, ଟାଉନ ପ୍ଲାନର ପ୍ରମୁଖ ଯୋଗ ଦେଇଥିଲେ। ଟିପିଏସ୍‌ ସମ୍ପର୍କରେ ଜମିମାଲିକଙ୍କୁ ଅବଗତ କରାଯାଇଛି। ଏହି ସ୍କିମ୍‌ରେ ଜମିମାଲିକଙ୍କୁ ନିଜ ଜମିର ୪୦ ପ୍ରତିଶତ ବିଡିଏକୁ ହସ୍ତାନ୍ତର କରିବାକୁ ପଡିବ। ବିଡିଏ ସେହି ଜମିରେ ରାସ୍ତା ନିର୍ମାଣ କରିବା ସହ ସମସ୍ତ ପୌର ସୁବିଧା ପାଇଁ ଯୋଜନା କରିବ। ରାସ୍ତାଗୁଡ଼ିକର ଚଉଡା ୯ ଫୁଟରୁ ଆରମ୍ଭକରି ୬୦ ଫୁଟ ପର୍ଯ୍ୟନ୍ତ ରହିବ। ଟିପିଏସ୍‌୍‌ ପରିସରରେ ଥିବା ପ୍ଲଟ୍‌ଗୁଡିକୁ ବିଡିଏର ଅନୁମୋଦନ ମିଳିବାରେ କୌଣସି ସମସ୍ୟା ହେବ ନାହିଁ। ଏହି ଅଞ୍ଚଳରେ ସର୍ବନିମ୍ନ ୫୫୦ ବର୍ଗଫୁଟରୁ କମ୍‌ ପ୍ଲଟ୍‌କୁ ଅନୁମତି ମିଳିବ ନାହିଁ। ଯେଉଁମାନଙ୍କର ପ୍ଲଟ୍‌ ରାସ୍ତାରେ ଚାଲିଯାଉଥିବ ସେମାନଙ୍କୁ ଅନ୍ୟ ଜାଗାରେ ଘର କରିବା ପାଇଁ ପ୍ଲଟ୍‌ ଯୋଗାଇ ଦିଆଯିବ। ଆବାସିକ ସ୍ଥଳଗୁଡିକ ଯୋଜନାବଦ୍ଧ ଭାବେ ଗଢି ଉଠିବ। ଏପରିକି ବ୍ୟବସାୟିକ, ଆମୋଦ ପ୍ରମୋଦ, ବଜାର, ସ୍କୁଲ, ଡାକ୍ତରଖାନା ଆଦି ପାଇଁ ମଧ୍ୟ ବ୍ୟବସ୍ଥା ହେବ। ଟାଉନ ପ୍ଲାନିଂ ସ୍କିମ୍‌ରେ ଥିବା ଗ୍ରାମଗୁଡ଼ିକ ହେଲା ତାମାଣ୍ଡୋ, ବିଜିପୁର, ପାଇକରାପୁର, ନୂଆଗାଁ, ଶ୍ୟାମସୁନ୍ଦରପୁର, ସାମପୁର, ମଳିପଡ଼ା, ଦାସପୁର, ଅନ୍ଧାରୁଆ, ଜଗନ୍ନାଥପ୍ରସାଦ, କୁଞ୍ଜିମହଲ, ଦାରୁଠେଙ୍ଗ, ଜୁଝଗଡ଼, ରଘୁନାଥପୁର, ଦାଢ଼ା, ପଦାସାହି, ବାଲିପଡ଼ା, ଖିରପଡା, ଗଣ୍ଡରପୁର, ନୂଆବନ୍ତ, ବରିମୁଣ୍ଡ, ପଟିଆ, ପାଣ୍ଡରା, କୋରଡ଼କଣ୍ଟା, ଝାରପଡ଼ା, ମେହେରାପଲି, ବରଗଡ, ବାସୁଆଘାଇ, ଶିଶୁପାଳ, ବଡ଼ଧାନପୁର, ଗୋବର୍ଦ୍ଧନପୁର, ରାଧାମୋହନପୁର, ଇତିପୁର, ନିସ୍ତାରିଣୀପୁର, ଜୟପୁର, ବିକିପୁର, ଢିହପୁର, ସୁନ୍ଦରପଦା, ବାହଦଳପୁର, ହାଟସାହି, ଛୋଟରାୟପୁର, ଦାମୋଦରପୁର, ସିଜୁଆ, ପାତ୍ରପଡ଼ା, ଭଗବାନପୁର, ବାଲିପଡ଼ା ଓ ଦାସବାଟିଆ। ପର୍ଯ୍ୟାୟକ୍ରମେ ସ୍କିମ୍‌ଗୁଡିକର ବିକାଶ କରାଯିବ ବୋଲି ବିଡିଏ ପ୍ଲାନିଂ ମେମ୍ବର ସୁଧୀର ମହାନ୍ତି କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri