ବେଗୁନିଆ ବ୍ଲକ: ରୋଗପୋକ ଯୋଗୁ ଫସଲ ନଷ୍ଟ, ଚାଷୀଙ୍କ ଚିନ୍ତା ବଢ଼ୁଛି


ବେଗୁନିଆ,୧୦।୧୧(ଡି.ଏନ.ଏ.) - ଆଉ ମାତ୍ର କିଛି ଦିନ ପରେ ଅମଳ ହୋଇଥାନ୍ତା। ମାତ୍ର ଥୋଡ଼ ଧରିବାଠାରୁ ଧାନ କ୍ଷେତରେ ମାଡ଼ି ରହିଥିବା ରୋଗପୋକ ଏବେ ଚାଷୀଙ୍କୁ ହତାଶ କରିପକାଇଛି। ପ୍ରତିବର୍ଷ କାଣ୍ଡବିନ୍ଧା, ପତ୍ରମୋଡା ଓ ମହିଷା ରୋଗପୋକ ଲାଗୁଥିବାବେଳେ ଏବର୍ଷ ଏଥିସହ ଚକଡ଼ା ପୋକ ଚାଷୀ ତଥା କୃଷି ବିଭାଗର ଚିନ୍ତା ବଢ଼ାଇଛି। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳରେ ଏଥିଯୋଗୁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। କୃଷି ବିଭାଗ ପକ୍ଷରୁ ଏକ ଟିମ୍‌ ୫ଦିନ ହେଲା କ୍ଷେତ୍ର ଅନୁଧ୍ୟାନ କରି କ୍ଷୟକ୍ଷତି ଆକଳନ ଜାରି ରଖିଛି। ଏହି ଟିମ୍‌ରେ ଭିଏଲ୍‌ଡବ୍ଲୁ, କୃଷକ ସାଥୀ ଓ ଆର୍‌ଆଇ ରହିଛନ୍ତି। ପ୍ରତିଦିନ ରିପୋର୍ଟ ସଂଗ୍ରହ କରି ବ୍ଲକ୍‌ କୃଷି କାର୍ଯ୍ୟାଳୟକୁ ପଠାଉଛନ୍ତି। ଅଧିକ କ୍ଷୟକ୍ଷତି ଅଞ୍ଚଳରେ ବ୍ଲକ୍‌ ସ୍ତରୀୟ ଅଧିକାରୀମାନେ ମଧ୍ୟ ଟିମ୍‌ ସହ ରହୁଛନ୍ତି। ବିଭାଗର ସୂଚନାନୁସାରେ, ପ୍ରାଥମିକ ପର୍ଯ୍ୟାଳୟରେ ୪୦ ହେକ୍ଟର ଫସଲ ନଷ୍ଟ ହୋଇଥିବା ଆକଳନ କରାଯାଉଛି। ବେଗୁନିଆ ପଞ୍ଚାୟତର କୁଶପଲା ଓ ପଙ୍ଗାରସିଂହ ପଞ୍ଚାୟତର ଭୋଗଡା ଅଞ୍ଚଳରେ ସର୍ବାଧିକ ରୋଗପୋକ ପ୍ରାଦୁର୍ଭାବ ଦେଖାଦେଇଛି। ଅନୁଧ୍ୟାନ ଓ ଆକଳନ ଜାରି ରହିଥିବାରୁ କ୍ଷୟକ୍ଷତି ପରିମାଣ ଅଧିକ ହେବ ବୋଲି ବ୍ଲକ କୃଷି ଅଧିକାରୀ ରତିକାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି। ଚଳିତ ଖରିଫ ଋତୁରେ ଏହି ବ୍ଲକରେ ପ୍ରାୟ ୧୦ ହଜାର ୧୨୫ ହେକ୍ଟର ଚାଷ ଜମିରେ ଧାନ ଫସଲ କରାଯାଇଥିଲା ା ମାତ୍ର ପ୍ରଥମେ ସ୍ବଳ୍ପବୃଷ୍ଟି ଯୋଗୁ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ ହେଲା। ପରବର୍ତ୍ତୀ ସମୟରେ ଲଘୁଚାପ ଜନିତ ପ୍ରବଳ ବର୍ଷା ହୋଇଥିଲା। ଗତ ଅକ୍ଟୋବର ୧୯ ତାରିଖରୁ ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଫଳରେ ୮୨ ହେକ୍ଟର ଜମିରେ ଧାନ ଓ ୪୪ ହେକ୍ଟର ଜମିରେ ଅଣଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବା ଆକଳନ କରାଯାଇଥିଲା। ଏବେ ଧାନ ଫସଲ ପାଚିଲା ସମୟ ଆସିଯାଇଥିବାବେଳେ ରୋଗପୋକ ଦାଉ ସାଧିଲା। ବ୍ଲକର ସାରୁଅ, ବାଘମାରୀ, ପଙ୍ଗାରସିଂହ, ବେଗୁନିଆ, ହୀରାପୁର, କଣ୍ଟାବାଡ, ବଡବେରଣା ଆଦି ପଞ୍ଚାୟତଗୁଡିକରେ ମଧ୍ୟ ଫସଲ କ୍ଷତିଗ୍ରସ୍ତ ହୋଇଥିବା ବିଭାଗୀୟ ରିପୋର୍ଟରେ ଉଲ୍ଲେଖ ରହିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri