୨୦୧୮ରେ ନିର୍ମାଣ ହେବ ରାମ ମନ୍ଦିର


ପୁରୀ ଅଫିସ, ୯।୧୧: ୨୦୧୮ ମସିହାରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହେବ। ନଭେମ୍ବରରେ କର୍ନାଟକ ଉଡୁପିଠାରେ ହେବାକୁ ଥିବା ଧର୍ମ ମହାସଭାରେ ଏ ସମ୍ପର୍କରେ ପ୍ରସ୍ତାବ ଆଗତ କରାଯିବ। ଡିସେମ୍ବରରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତଃରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସମ୍ମିଳନୀରେ ଏ ସମ୍ପର୍କରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ବିଶ୍ୱହିନ୍ଦୁ ପରିଷଦ (ଭିଏଚପି)ର କେନ୍ଦ୍ରୀୟ ଯୁଗ୍ମ ସଂଗଠନ ମନ୍ତ୍ରୀ ତଥା ମୁଖ୍ୟ ପ୍ରବକ୍ତା ଡ. ସୁରେନ୍ଦ୍ର ଜୈନ ଗୁରୁବାର ସ୍ଥାନୀୟ ହଲିଡେ ରିସର୍ଟ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି, ଗୋରକ୍ଷା ହେଉଛି ପ୍ରତ୍ୟେକ ହିନ୍ଦୁର କର୍ତ୍ତବ୍ୟ। କୌଣସି ବାହ୍ୟ ଶକ୍ତି ଏଥିରେ ବାଧା ଦେଇ ପାରିବେ ନାହିଁ। ଛତ୍ରପତି ଶିବାଜୀ ଗୋରକ୍ଷା କରିବାକୁ ଯାଇ ଜଣେ କଂସେଇର ହାତ କାଟି ଦେଇଥିଲେ। ଗାନ୍ଧିଜୀ ଏବଂ ବିନୋବା ଭାବେ ମଧ୍ୟ ଗୋହତ୍ୟା ବନ୍ଦ ଲାଗି ସ୍ପଷ୍ଟ ମତ ଦେଇଥିଲେ। ପୂର୍ବାଞ୍ଚଳରେ ଗୋହତ୍ୟା ଉପରେ ସରକାର ପ୍ରତିବନ୍ଧକ ଲାଗୁ କରିଛନ୍ତି। ଅଥଚ ଓଡ଼ିଶାରେ ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ। ଓଡ଼ିଶାରୁ ଦୈନିକ ଶହଶହ ଗୋରୁଗାଈ ବାହାର ରାଜ୍ୟକୁ ଚାଲାଣ କରାଯାଉଛି। ଗୋହତ୍ୟ ଆଇନ ଏବଂ ଗୋଚାଲାଣକୁ କଡାକଡି କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରାଯିବ। ସେ ଆହୁରି କହିଲେ, ସନ୍ଥ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ଅତି ନୃଂଶସ ଭାବେ ହତ୍ୟା କରାଗଲା। ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ତଦନ୍ତ କରୁଥିବା ଜଷ୍ଟିସ ନାଇଡୁଙ୍କ ରିପୋର୍ଟକୁ ସାର୍ବଜନୀନ କରାଯାଉ। ମାଓବାଦୀଙ୍କ ନାଁ ନେଇ ସରକାର ଏହାକୁ ଚାପି ପାରିବେ ନାହିଁ। ଏହି ହତ୍ୟାକାଣ୍ଡ ଘଟଣାର ସିବିଆଇ ଯାଞ୍ଚ କରିବାକୁ ଜୈନ ଦାବି କରିଛନ୍ତି। ଦେଶରେ ଧର୍ମାନ୍ତରୀକରଣ ବହୁ ମାତ୍ରାରେ ବୃଦ୍ଧିପାଇବାରେ ଲାଗିଛି। ଅଧିକାଂଶ ବିଦେଶୀ ଟୁରିଷ୍ଟ ଭିଜାରେ ଆସି ଦେଶରେ ଧର୍ମାନ୍ତରୀକରଣ କରୁଛନ୍ତି। ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଓଡ଼ିଶାରୁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକ ଆଇଏସଆଇରେ ଯୋଗ ଦେଉଛନ୍ତି। ଅତୀତରେ ଏହା ସ୍ପଷ୍ଟ ହୋଇଛି। ଏହା ଉପରେ କଡା କାର୍ଯ୍ୟାନୁଷ୍ଠାନ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯିବ। ଦେଶରେ ସମସ୍ତ ନାଗରିକଙ୍କ ଲାଗି ଗୋଟିଏ ଆଇନ କରିବା ଲାଗି କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯିବ। ଖବରଦାତା ସମ୍ମିଳନୀରେ ଉତ୍କଳ ପୂର୍ବ ପ୍ରାନ୍ତ କାର୍ଯ୍ୟକାରୀ ସଭାପତି ଡ. ବଦ୍ରି ପ୍ରସାଦ ପଟ୍ଟନାୟକ କହିଲେ, ଡିସେମ୍ବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ତିନି ଦିନ ବ୍ୟାପୀ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ୪୦ଟି ରାଷ୍ଟ୍ରରୁ ୫୦୦ଜଣ ପ୍ରତିନିଧି ଯୋଗଦେବେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରୀୟ ସହ ସଂଗଠନ ମନ୍ତ୍ରୀ ଅଚ୍ୟୁତାନନ୍ଦ କର, ପୂର୍ବ ପ୍ରାନ୍ତ ଅଧ୍ୟକ୍ଷ ଅରବିନ୍ଦ ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri