ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଜମି ଅଧିଗ୍ରହଣ: ୯ କେସ୍‌ ଉପରେ ରୋକ୍‌


ପୁରୀ ଅଫିସ, ୯।୧୧: ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱ ସମ୍ପ୍ରସାରଣ ପାଇଁ ହୋଇଥିବା ଜମି ଅଧିଗ୍ରହଣ କ୍ଷତିପୂରଣ ପ୍ରଦାନରେ ଅନିୟମିତତା ହୋଇଛି। ଜମି ମାଲିକଙ୍କ ମଧ୍ୟରୁ ୨୪ ଜଣଙ୍କୁ ୧କୋଟି ୭ଲକ୍ଷ ୪୯ହଜାର ୮୨୦ ଟଙ୍କା ଅଧିକ ଅର୍ଥ ଦିଆଯାଇଛି। ଅଡିଟ୍‌ରେ ଧରାପଡିବା ପରେ ଉକ୍ତ ଅର୍ଥ ଫେରାଇବା ଲାଗି ଜିଲା ପ୍ରଶାସନ ପକ୍ଷରୁ ଉପଜିଲାପାଳଙ୍କ କୋର୍ଟରେ ଓଡ଼ିଶା ପବ୍ଲିକ ଡିମାଣ୍ଡ ରିକଭର (ଓପିଡିଆର) ଆକ୍ଟ ବଳରେ ୨୪ଜଣଙ୍କ ନାମରେ ସାର୍ଟିଫିକେଟ କେସ୍‌ ରୁଜୁ ହୋଇଛି। କିନ୍ତୁ ଏହି କେସ୍‌ ପରେ ଉକ୍ତ ଅର୍ଥ ଆଦାୟ ହେବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ୨୪ଜଣଙ୍କ ମଧ୍ୟରୁ ୯ଜଣ ହାଇକୋର୍ଟରୁ ସ୍ଥଗିତାଦେଶ ଆଣିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସରକାରୀ ଅର୍ଥ ଆଦାୟ ନେଇ କୌଣସି ପଦକ୍ଷେପ ନିଆଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଗଙ୍ଗାଧର ମହାପାତ୍ରଙ୍କଠାରୁ ୭ ଲକ୍ଷ ୩୨ ହଜାର ୨୧୦ ଟଙ୍କା ଆଦାୟ ଲାଗି ମାମଲା ରୁଜୁ ହୋଇଥିବା ବେଳେ ସେ ହାଇକୋର୍ଟରୁ ସ୍ଥଗିତାଦେଶ ଆଣିଛନ୍ତି। ଆଦାୟ ହେବାକୁ ଥିବା ଅର୍ଥ ମଧ୍ୟରୁ ଅର୍ଦ୍ଧାଧିକ କେବଳ ଉତ୍ତରପାର୍ଶ୍ୱ ମଠ ଫେରାଇବ। ୫୧ ଲକ୍ଷ ୪୦ ହଜାର ୮୩୮ଟଙ୍କା ଫେରାଇବା ଲାଗି ଉତ୍ତର ପାର୍ଶ୍ୱ ମଠ ବିରୋଧରେ କେସ୍‌ ରୁଜୁ ହୋଇଛି। ମଠ କର୍ତ୍ତୃପକ୍ଷ ମଧ୍ୟ ହାଇକୋର୍ଟରୁ ସ୍ଥଗିତାଦେଶ ଆଣିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ୩୦ଫୁଟ ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ୨୦୧୫ରେ କାଳିକାଦେବୀ ସାହି, ଚୁଡଙ୍ଗ ସାହି, ବାସେଳି ସାହି ଏବଂ ମଣିକର୍ଣ୍ଣିକା ସାହି ମୌଜାର ୯୮ଡେସିମିଲ ଜମି ଅଧିଗ୍ରହଣ କରାଯାଇଥିଲା। ଅଧିଗୃହୀତ ଜମି ମଧ୍ୟରୁ ଅଧିକାଂଶ ଜମି ମଠଗୁଡ଼ିକର ରହିଛି। ମଠ ଏବଂ ଶ୍ରୀମନ୍ଦିର ମଧ୍ୟରେ ଜମି ବିବାଦ ରହିଥିବାରୁ ଅଧିଗୃହୀତ ଜମିର ମୂଲ୍ୟ ସିଭିଲ ଡିପୋଜିଟ ମାଧ୍ୟମରେ ରଖାଯିବାକୁ ସ୍ଥିର ହୋଇଥିଲା। କୋଠା ଭଙ୍ଗା ବାବଦକୁ କ୍ଷତିପୂରଣ ମହନ୍ତମାନଙ୍କୁ ଦିଆଯିବାକୁ ସ୍ଥିର ହୋଇଥିଲା। ମଠଗୁଡ଼ିକର ଅଧିଗୃହୀତ ଜମିର ମୂଲ୍ୟ ୧୫ କୋଟି ସିଭିଲ ଡିପୋଜିଟ୍‌ ମାଧ୍ୟମରେ ରଖାଯାଇଛି। କୋଠା ଭଙ୍ଗା ବାବଦକୁ କ୍ଷତିପୂରଣ ଓ ସୋଲାସିୟମ ୬ କୋଟି ୫୦ଲକ୍ଷ ଟଙ୍କା ଦିଆଯାଇଛି। ୩କୋଟି ୨୫ଲକ୍ଷ ଟଙ୍କା କେବଳ ସୋଲାସିୟମ (ମାନସିକ ଯନ୍ତ୍ରଣା ଓ ଆର୍ଥିକ କ୍ଷତି) ପାଇଁ ଦିଆଯାଇଛି। କିନ୍ତୁ ଜମି ଅଧିଗ୍ରହଣ ଆଇନ-୧୮୯୪ ଅନୁଯାୟୀ ଅଧିଗ୍ରହଣ ପାଇଁ ଗୃହ ଭଙ୍ଗାଯିବା ବେଳେ ଯଦି ଅଧିକ ଅଂଶ ଭାଙ୍ଗିଯାଏ ତେବେ ଅଧିକ ଭାଙ୍ଗିଥିବା ଅଂଶର କ୍ଷତିପୂରଣ ଗୃହମାଲିକଙ୍କୁ ଦିଆଯିବ। ମାତ୍ର ଅଧିକ ଭାଙ୍ଗିଥିବା ଅଂଶର ସୋଲାସିୟମ ଦିଆଯିବାର ବ୍ୟବସ୍ଥା ନାହିଁ। କିନ୍ତୁ ନୂତନ ଜମି ଅଧିଗ୍ରହଣ ୨୦୧୩ରେ ଏ ସମ୍ପର୍କରେ କିଛି ଉଲ୍ଲେଖ ନାହିଁ। ନୂତନ ଜମି ଅଧିଗ୍ରହଣ ଆଇନକୁ ଭିତ୍ତିକରି ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଜମି ଅଧିଗ୍ରହଣ ହୋଇଛି। ଜମି ଅଧିଗ୍ରହଣ ବେଳେ ବେନିୟମ ଭାବେ ଅଧିକ ଭାଙ୍ଗିଥିବା ଅଂଶର କ୍ଷତିପୂରଣ ଏବଂ ଶତପ୍ରତିଶତ ସୋଲାସିୟମ ପ୍ରଦାନ କରାଯାଇଥିଲା। ଏହି ଅନିୟମିତତାକୁ ଅଡିଟ ଧରିଥିଲା। ସୋଲାସିୟମ ବାବଦକୁ ୨୪ ଜଣଙ୍କୁ ୧କୋଟି ୭ଲକ୍ଷ ୪୯ହଜାର ୮୨୦ଟଙ୍କା ଅଧିକ ଦିଆଯାଇଥିବା ଅଡିଟ୍‌ ସ୍ପଷ୍ଟ କରିଥିଲା। ଏ ସମ୍ପର୍କରେ ଜିଲା ପ୍ରଶାସନ ପକ୍ଷରୁ ରାଜସ୍ବ ବିଭାଗର ମତାମତ ଲୋଡା ଯାଇଥିଲା। ରାଜସ୍ବ ବିଭାଗର ଚିଠି ସଂଖ୍ୟା ୧୩୭୯୭/୨୮ା୪ା୨୦୧୭ ଅନୁଯାୟୀ, ଅଧିଗ୍ରହଣ ଜମିର ବାହାରେ କୋଲଟେଲାର ଡ୍ୟାମେଜ (ଅଧିକ ଭାଙ୍ଗିଥିବା ଅଂଶ)ର କ୍ଷତିପୂରଣ ଦିଆଯାଇପାରିବ। କିନ୍ତୁ ଶତ ପ୍ରତିଶତ ସୋଲାସିୟମ ଦିଆଯାଇପାରିବ ନାହିଁ ବୋଲି ରାଜସ୍ବ ବିଭାଗ ମତ ରଖିଥିଲା। ଏହାପରେ ୨୪ ଜଣଙ୍କଠାରୁ ୧କୋଟି ୭ଲକ୍ଷ ୪୯ହଜାର ୮୨୦ଟଙ୍କା ଆଦାୟ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଅର୍ଥ ଫେରାଇବା ଲାଗି ଜିଲା ଭୂ ଅଧିଗ୍ରହଣ ଅଧିକାରୀ ୨୪ ଜଣଙ୍କୁ ୨ଥର ନୋଟିସ ଜାରି କରିଥିଲେ। କିନ୍ତୁ ସେମାନେ ଅର୍ଥ ନ ଫେରାଇବା ପରେ ଉପଜିଲାପାଳଙ୍କ କୋର୍ଟରେ ଗତ ସେପ୍ଟେମ୍ବର ୧୫ରେ ୨୪ଜଣଙ୍କ ନାମରେ ସାର୍ଟିଫିକେଟ କେସ୍‌ ରୁଜୁ କରାଯାଇଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri