‘ଭୁବନେଶ୍ୱର ଡାଏରିଜ୍‌’ ପାଇଁ ଇଚ୍ଛା ଅଛି


ଭୁବନେଶ୍ୱର, ୯।୧୧(ସସ୍ମିତା ପାଇକରାୟ)- ହିନ୍ଦୀ ଫିଲ୍ମ ‘ରାଞ୍ଚତ୍ ଡାଏରିଜ୍‌’ର ନିର୍ଦ୍ଦେଶନା ଦେଇ ଲୋକଲୋଚନକୁ ଆସିଛନ୍ତି ଓଡ଼ିଆ ଯୁବ ନିର୍ଦ୍ଦେଶକ ସାତ୍ତ୍ୱିକ ମହାନ୍ତି। ପୂର୍ବରୁ ବଲିଉଡ୍‌ରେ ସକ୍ରିୟ ଥିଲେ ବି ପ୍ରଥମ ହିନ୍ଦୀ ଫିଲ୍ମର ନିର୍ଦ୍ଦେଶନା ଦେବାପରେ ସାରା ଦେଶ ତାଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲା। ଏହାପୂର୍ବରୁ ‘ମାଇଁ ନେମ୍‌ ଇଜ୍‌ ଖାନ୍‌’ରେ ସହକାରୀ ନିର୍ଦ୍ଦେଶକଭାବେ କାର୍ଯ୍ୟ କରିଥିଲେ ସେ। କେବଳ ଏତିକି ନୁହେଁ ଭଂଶାଲୀ ପ୍ରଡକ୍ସନରେ କାମ କରିବାର ଅବସର ପାଇବା ସହ ଅନୁରାଗ କଶ୍ୟପ, ନଗେଶ କୁକୁନୁର୍‌, ଆନନ୍ଦ ଗାନ୍ଧୀଙ୍କ ଭଳି ପ୍ରଖ୍ୟାତ ନିର୍ଦ୍ଦେଶକଙ୍କ ସହ ମଧ୍ୟ କାମ କରିଥିଲେ। ପୁରୁଣା ଭୁବନେଶ୍ୱରରେ ଜନ୍ମିତ ସାତ୍ତ୍ୱିକ କେତେକ ଡକ୍ୟୁମେଣ୍ଟାରୀ ଓ କ୍ଷୁଦ୍ର ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ପ୍ରଥମ ଫିଲ୍ମରୁ ସଫଳତା ସାଉଁଟିଥିବା ଏହି ଓଡ଼ିଆ ନିର୍ଦ୍ଦେଶକ ଆଗାମୀ ଦିନରେ ଆହୁରି ଉତ୍କୃଷ୍ଟ ଫିଲ୍ମ ଲେଖିବା ସହ ନିର୍ଦ୍ଦେଶନା ଦେବାର ଲକ୍ଷ୍ୟ ରଖିଛନ୍ତି। ନିକଟରେ ଭୁବନେଶ୍ୱର ଆସିଥିବା ଅବସରରେ ତାଙ୍କ ଭବିଷ୍ୟତ ଯୋଜନା, ସମ୍ପ୍ରତି ଫିଲ୍ମ ଜଗତର ସ୍ଥିତି ଓ ପସନ୍ଦ ନାପସନ୍ଦ ସମ୍ପର୍କରେ ଆମେ ପଚାରିଥିବା କେତେକ ପ୍ରଶ୍ନର ଉତ୍ତର ଦେଇଥିଲେ ସାତ୍ତ୍ୱିକ।
ପ୍ର-ଭୁବନେଶ୍ୱରରୁ ‘ଟିକେଟ୍‌ ଟୁ ବଲିଉଡ୍‌’ ଯାତ୍ରା କିପରି ଥିଲା?
ଉ-ଷ୍ଟୋରୀ ଟେଲିଂ ଓ ସ୍କେଚିଂ ପାଇଁ ପିଲାବେଳୁ ଦୁର୍ବଳତା ଥିଲା, ଯାହା ମୋତେ ଫିଲ୍ମ ଆଡକୁ ଆକର୍ଷିତ କରିଥିଲା। ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡିଜାଇନ୍‌ରେ ନାମ ଲେଖାଇ ନ ପାରିବାରୁ ଆନିମେଶନ ଓ ଭିଏଫ୍‌ଏକ୍ସ ଡିଜାଇନିଂରେ କୋର୍ସ କରିଥିଲି। ଏହାପରେ ଏକ ଆନିମେଶନ କମ୍ପାନୀରେ ଚାକିରି କରିବା ସମୟରେ ବିଭିନ୍ନ ହଲିଉଡ୍‌ ଓ ବଲିଉଡ୍‌ ଫିଲ୍ମ ନିର୍ମାତାଙ୍କ ସଂସ୍ପର୍ଶରେ ଆସିଥିଲି। ସେଠାରୁ ହିଁ ଚାକିରି ଛାଡି ଫିଲ୍ମ ନିର୍ମାଣ କରିବାକୁ ମନ ବଳାଇଥିଲି।
ପ୍ର-ପ୍ରଥମ ଫିଲ୍ମରେ ହିଁ ଅନୁପମ୍‌ ଖେର୍‌ଙ୍କୁ କେମିତି ଆପ୍ରୋଚ୍‌ କରିଥିଲେ?
ଉ-କେବଳ ଆପ୍ରୋଚ୍‌ କରି ନ ଥିଲି, ସେ ମୋ ଫିଲ୍ମର ଜଣେ ପ୍ରଯୋଜକ ମଧ୍ୟ। ଜଣେ ନବାଗତଭାବେ ‘ରାଞ୍ଚତ୍ ଡାଏରିଜ୍‌’କୁ ପ୍ରଡ୍ୟୁସର ମିଳିବା କଷ୍ଟକର ଥିଲା। ଅନୁପମ୍‌ ଖେର୍‌ଙ୍କ ସହଯୋଗ ଯୋଗୁ ଏସବୁ ସମ୍ଭବ ହେଲା। ମୁଁ ତାଙ୍କୁ ଖଳନାୟକ ଭୂମିକା କରିବା ପାଇଁ କହିଥିଲି। ତା’ପରେ ସେ ମୋତେ ନିଜେ ଫୋନ୍‌ କରି କହିଥିଲେ, ବ୍ୟସ୍ତ ହୁଅନା। ମୁଁ ତୁମ ଫିଲ୍ମର ପ୍ରଯୋଜନା କରିବି।
ପ୍ର-ଆପଣଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମରେ ରାଞ୍ଚତ୍କୁ କ’ଣ ପାଇଁ ଫୋକସ୍‌ରେ ରଖିଲେ, ଭୁବନେଶ୍ୱରକୁ କ’ଣ ପାଇଁ ନୁହେଁ?
ଉ-ନିର୍ଦ୍ଦିଷ୍ଟ କୌଣସି ସହରକୁ ନଜରରେ ରଖି ମୁଁ ଫିଲ୍ମର ସ୍କ୍ରିପ୍ଟ ଲେଖି ନ ଥିଲି। କେବଳ ରାଞ୍ଚତ୍ ଉପରେ ନୁହେଁ, ଏହା ଭୁବନେଶ୍ୱର ଉପରେ ବି ହୋଇପାରିଥାନ୍ତା। ହେଲେ ଅନୁପମ୍‌ ଖେର୍‌ କିଛିଦିନ ପୂର୍ବରୁ ରାଞ୍ଚତ୍ରେ ‘ଏମ୍‌.ଏସ୍‌. ଧୋନୀ’ର ଶୁଟିଂ ସାରି ଆସିଥିବାରୁ ସେ ସହର ତାଙ୍କୁ ଭଲ ଲାଗିଥିଲା। ଝାଡଖଣ୍ଡ ସରକାରଙ୍କ ଫିଲ୍ମ ନିର୍ମାଣ ପଲିସି ବି ବହୁତ ଭଲ। ସେଠାରେ ଫିଲ୍ମ ଶୁଟିଂ କଲେ କିମ୍ବା କୌଣସି ସ୍ଥାନ ଉପରେ ଫିଲ୍ମ କଲେ ତାଙ୍କ ସରକାର ସବ୍‌ସିଡି ଦେବାର ବ୍ୟବସ୍ଥା କରିଛନ୍ତି। ଏହା ଆମ ପାଇଁ ସହାୟକ ହୋଇଥିଲା।
ପ୍ର-ଭବିଷ୍ୟତରେ ଓଡ଼ିଶାର କୌଣସି ସ୍ଥାନ କିମ୍ବା କାହାଣୀକୁ ନେଇ ଫିଲ୍ମ କରିବା ଯୋଜନା ଅଛି କି?
ଉ-ମୁଁ ଭବିଷ୍ୟତ କଥା ଏତେ ଭାବେନା। ହେଲେ ନିଶ୍ଚିତଭାବେ ଓଡ଼ିଆ ଏବଂ ଓଡ଼ିଶାକୁ ନେଇ ଫିଲ୍ମ କରିବାକୁ ଇଚ୍ଛା ଅଛି। ଏପରି କି ‘ଭୁବନେଶ୍ୱର ଡାଏରିଜ୍‌’ କରିବି ବୋଲି ମଧ୍ୟ ଭାବିଛି। ଏହାଛଡା ଆଉକିଛି କାହାଣୀ ବି ନଜରରେ ଅଛି। ଯଦି ସୁଯୋଗ ମିଳିବ ତା’ହେଲେ ନିଶ୍ଚୟ କରିବି।
ପ୍ର-ଅନ୍ୟ ରାଜ୍ୟ ଭଳି ଓଡ଼ିଶା ସରକାର ଫିଲ୍ମ ନିର୍ମାଣକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ଆପଣ ଭାବୁଛନ୍ତି କି?
ଉ-ପିଲାବେଳୁ ଶୁଣିଆସୁଛି ଓଡ଼ିଶାରେ ଏକ ବଡ ଫିଲ୍ମସିଟି ହେବ। ହେଲେ ଆଜିଯାଏ ହୋଇପାରୁନି। ଯଦି ଏହା ଭିତରେ ଫିଲ୍ମସିଟି ତିଆରି ହୁଏ ତା’ହେଲେ ମୁଁ ସବୁଠାରୁ ଅଧିକ ଖୁସିହେବି। ଅନ୍ୟରାଜ୍ୟ ଭଳି ଏଠାରେ ଏକ ଭଲ ଫିଲ୍ମ ପଲିସି ହେବା ଆବଶ୍ୟକ। ସରକାର ଫିଲ୍ମ ନିର୍ମାଣକୁ ପ୍ରୋତ୍ସାହନ ଦେବା ଉଚିତ। ସିନେମାର ଉନ୍ନତି, ଲୋକପ୍ରିୟତା ସବୁକିଛି ସିନେମା ହଲ୍‌ ଉପରେ ନିର୍ଭର କରେ। ହେଲେ ଓଡ଼ିଶାରେ ସିନେମା ହଲ୍‌ ସଂଖ୍ୟା ବଢିବା ପରିବର୍ତ୍ତେ କମୁଛି। ସିନେମା ହଲ୍‌ ସହ ମଲ୍ଟିପ୍ଲେକ୍ସ ପ୍ରତିଷ୍ଠା ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେବା ଆବଶ୍ୟକ।
ପ୍ର-କେଉଁ ପ୍ରକାର ଫିଲ୍ମ ନିର୍ମାଣ କରିବାକୁ ଗୁରୁତ୍ୱ ଦେବେ? ମଧୁର ଭଣ୍ଡାରକର, ସଞ୍ଜୟ ଲୀଲା ଭଂଶାଲୀ, ରୋହିତ ସେଟ୍ଟିଙ୍କ ଭଳି ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ଫିଲ୍ମ ତିଆରି କରିବେ କି?
ଉ-ସେଭଳି କିଛି ନିର୍ଦ୍ଦିଷ୍ଟ ଧରଣର ଫିଲ୍ମରେ ମୁଁ ସୀମିତ ରହିବାକୁ ଚାହୁଁନି। ହେଲେ ମାର୍ଭେଲ ସିରିଜର ମୁଁ ବହୁତ ବଡ ପ୍ରଶଂସକ। ସୁପରହିରୋ ଫିଲ୍ମ ମୋର ପସନ୍ଦ। ତେଣୁ ପ୍ରାଥମିକତା ରହିବ ଏଭଳି କିଛି ଫିଲ୍ମ ତିଆରି କରିବି। ମାତ୍ର ଏବେ ସେ ସମୟ ଆସିନି କି ବଜେଟ୍‌ ବି ନାହିଁ। ବଜେଟ୍‌ ପାଇଁ ପ୍ରଥମେ ଓ୍ବେବ୍‌ ସିରିଜ୍‌, ଟିଭି ସିରିଜ୍‌, ଆଡ୍‌ ଫିଲ୍ମ, ବାୟୋପିକ୍‌, କ୍ରସ୍‌ଓଭର ଫିଲ୍ମ ଆଦି କରିବାକୁ ସ୍ଥିର କରିଛି। ମୋର ଆଗାମୀ ଫିଲ୍ମ ଏକ ଆକ୍ସନ ଓରିଏଣ୍ଟେଡ୍‌ ରୋମାଣ୍ଟିକ୍‌ ଫିଲ୍ମ।
ପଅ-ସମ୍ପ୍ରତି ଓଡ଼ିଆ ଫିଲ୍ମର ସ୍ଥିତି ସମ୍ପର୍କରେ କ’ଣ କହିବେ?
ଉ-ଓଡ଼ିଆ ଫିଲ୍ମର ଏକ ଗୌରବମୟ ଇତିହାସ ରହିଛି, ଯାହା ଅନେକଙ୍କୁ ଅଜଣା। ପ୍ରଥମେ ପ୍ରଥମେ ଯେତେବେଳେ ଓଡ଼ିଆରେ ଫିଲ୍ମ ଆରମ୍ଭ ହୋଇଥିଲା ସେତେବେଳେ ବର୍ଷକୁ ଗୋଟିଏ ଫିଲ୍ମ ହେଉଥିଲା ଓ ପ୍ରତି ଫିଲ୍ମ ଜାତୀୟ ପୁରସ୍କାର ପାଉଥିଲା। ଏବେ ସେ ଧାରାକୁ ଆଗକୁ ନେବାକୁ କେହି ନାହାନ୍ତି। ସ୍ଥିତି ପୂରା ଓଲଟିଗଲାଣି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri