ରାଜଧାନୀକୁ ଘେରିଲାଣି ଡେଙ୍ଗୁ


ଭୁବନେଶ୍ୱର, ୮।୧୧ (ବ୍ୟୁରୋ)- ରାଜ୍ୟର ପ୍ରାୟ ଅଧିକାଂଶ ଜିଲାରେ ଏବେ ଡେଙ୍ଗୁ କାୟା ବିସ୍ତାର କରିଚାଲିଛି। କିଛି ଦିନ ହେବ ସ୍ମାର୍ଟ ସିଟି ଭୁବନେଶ୍ୱରରେ ଡେଙ୍ଗୁ ଆତଙ୍କ ଖେଳାଇଛି। ଦିନକୁ ଦିନ ଏହି ରୋଗୀଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ବୁଧବାର ଜଣଙ୍କର ଜୀବନ ନେଇଛି। କହିବାକୁ ଗଲେ, ଚାରିଆଡୁ ରାଜଧାନୀକୁ ଘେରି ଗଲାଣି ଏହି ମାରାତ୍ମକ ରୋଗ। ସାଲିଆସାହିରେ ଏହା ଭୟଙ୍କର ରୂପ ଧାରଣ କରିଥିବାବେଳେ ଚନ୍ଦ୍ରଶେଖରପୁରର ଅରବିନ୍ଦନଗର ବସ୍ତି, ନୟାପଲ୍ଲୀ ବ୍ରିଟ୍‌ କଲୋନୀ ଓ ଟଙ୍କପାଣିରୋଡ୍‌ ଅଞ୍ଚଳରେ ଡେଙ୍ଗୁ ପ୍ରଭାବ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଲକ୍ଷ୍ମୀସାଗର, ରସୁଲଗଡ଼, ପଳାଶୁଣି ଅଞ୍ଚଳରେ ରହିଥିବା ବିଭିନ୍ନ ବସ୍ତିରେ ମଧ୍ୟ ଏହି ରୋଗ ବ୍ୟାପିଥିବା ସୂଚନା ମିଳିଛି। ଇତିମଧ୍ୟରେ ସହରର ବହୁ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇ କ୍ୟାପିଟାଲ ହସ୍ପିଟାଲ ସମେତ ସହରର କେତେକ ଘରୋଇ ଡାକ୍ତରଖାନା ଓ କଟକ ବଡ଼ ମେଡିକାଲରେ ରହି ଚିକିତ୍ସିତ ହେଉଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ୩ଟି ସ୍ବତନ୍ତ୍ର ଡେଙ୍ଗୁ ଓ୍ବାର୍ଡ ଖୋଲାଯାଇଛି। ବୁଧବାର ସୁଦ୍ଧା କ୍ୟାପିଟାଲ ହସ୍ପିଟାଲରେ ୧୨ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବାବେଳେ ସେମାନଙ୍କ ମଧ୍ୟରୁ ସାଲିଆ ସାହିର ୭ଜଣଙ୍କୁ ମିଶାଇ ସହରର ମୋଟ ୯ଜଣ ଓ ଅନ୍ୟ ଜିଲାର ୩ଜଣ ଥିବା ଜଣାପଡିଛି। ସେମାନେ ହେଲେ ସାଲିଆସାହି ମହାବୀରନଗର ବସ୍ତିର ସୁରେଶ ସାହୁ(୪୫), ମୁନା ପାତ୍ର (୪୧), ଲକ୍ଷ୍ମୀନଗର ବସ୍ତିର ଗୁରୁଲତା ନାୟକ(୪୦), ନୀଳଚକ୍ରନଗର ବସ୍ତିର ବେଲାରଣୀ ବାର୍‌ଲା(୩୦), ତାରିଣୀନଗର ବସ୍ତିର ରାଜେନ୍ଦ୍ର ମହାରଣା(୨୫), ନୟାପଲ୍ଲୀ ବ୍ରିଟ କଲୋନୀର ବିଭବ ଜେନା(୧୯), ଚନ୍ଦ୍ରଶେଖରପୁର ଅରବିନ୍ଦ ନଗରବସ୍ତିର ଅନୁଜ କୁମାର ସ୍ବାଇଁ(୩୫), ଟଙ୍କପାଣିରୋଡ୍‌ର ବିମଲ ସ୍ବାଇଁ(୨୫), କଟକ ଜିଲା କଳାପଥର ଗାଁର ଅର୍ଜୁନ ବେହେରା(୩୨), ଖୋର୍ଦ୍ଧା ଜିଲା କୁମାରବସ୍ତି ଗାଁର ଯଦୁମଣୀ ସାମଲ(୫୫), ଓ ବାଲେଶ୍ୱର ଜିଲା ଯୋଳଧାବାଗୋ ଗାଁର ଶ୍ରୀକାନ୍ତ ପ୍ରଧାନ(୪୦)। ବୁଧବାର କ୍ୟାପିଟାଲ ହସ୍ପିଟାଲରେ ୨ଜଣ ରୋଗୀ ଭର୍ତ୍ତି ହୋଇଥିଲେ। ସେମାନଙ୍କ ଘର ଭୁବନେଶ୍ୱରରେ ବୋଲି ଜଣାପଡିଛି। ପୂର୍ବରୁ କେତେଜଣ ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ସ୍ଥିତି ସମ୍ପର୍କରେ ଅରବିନ୍ଦନଗର ବସ୍ତିର ରୋଗୀ ଅନୁଜ କୁମାର ସ୍ବାଇଁ କୁହନ୍ତି, ବସ୍ତିରେ ଦିନରାତି ୨୪ ଘଣ୍ଟା ପାଣି ବୋହୁଛି। ମାଟି ତଳେ ଯାଇଥିବା ପାଣି ପାଇପ୍‌ ଫାଟି ବିଭିନ୍ନ ସ୍ଥାନରେ ପାଣି ଜମି ରହୁଛି। ବସ୍ତିରେ ଠିକ୍‌ ଭାବେ ସଫେଇ କର୍ମଚାରୀ ଆସି ସଫା କରୁ ନାହାନ୍ତି। କୌଣସି ଦିନ ଡ୍ରେନରୁ ପଙ୍କୋଉଦ୍ଧାର କରାଯାଉନି। ଫଳରେ ମଶା ବଂଶ ବିସ୍ତାର କରୁଛନ୍ତି। ତାରିଣୀନଗର ବସ୍ତିର ରାଜେନ୍ଦ୍ର ମହାରଣା କୁହନ୍ତି, କୁଢ କୁଢ ଆବର୍ଜନା ଓ ଦୂଷିତ ପରିବେଶ ମଧ୍ୟରେ ଆମେ ରହୁଛୁ। ବସ୍ତିର ଅନେକ ଲୋକଙ୍କୁ ଡେଙ୍ଗୁ ଆକ୍ରାନ୍ତ କରିଛି। କେତେଜଣଙ୍କର ମଧ୍ୟ ମୃତ୍ୟୁ ଘଟିଲାଣି। ଅନ୍ୟପକ୍ଷରେ କ୍ୟାପିଟାଲ ହସ୍ପିଟାଲରେ ଚାଲିଥିବା ଚିକିତ୍ସାକୁ ନେଇ ମଧ୍ୟ ଅଭିଯୋଗ ଉଠିଛି। ୧୨ଜଣ ରୋଗୀ ଭିତରୁ ୯ଜଣ ରୋଗୀଙ୍କୁ ମଶାରି ଦିଆଯାଇଥିବାବେଳେ ଆଉ ୩ଜଣ ଖୋଲାରେ ରହି ଚିକିତ୍ସିତ ହେଉଛନ୍ତି। ତେବେ ଅଧିକାଂଶ ଔଷଧ ହସ୍ପିଟାଲ ତରଫରୁ ଯୋଗାଇ ଦିଆଯାଉଛି। ଆଉ କିଛି ଅତି ଜରୁରୀ ଔଷଧ ବାହାରୁ ରୋଗୀମାନେ କିଣୁଥିବା ଜଣାପଡିଛି। ତେବେ ଏବେଠୁ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ, ସ୍ବାସ୍ଥ୍ୟ ବିଭାଗ ଓ ସ୍ମାର୍ଟସିଟି କର୍ତ୍ତୃପକ୍ଷ ଗୁରୁତ୍ୱର ସହ ପଦକ୍ଷେପ ଗ୍ରହଣ ନ କଲେ ଆଗକୁ ସ୍ଥିତି ଆହୁରି ଭୟଙ୍କର ହେବା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri