କୋଟିପତି ଯୋଗାଣ ଅଧିକାରୀ ଗିରଫ


କଟକ ଅଫିସ, ୭।୧୧- କୋଟିପତି ବଲାଙ୍ଗୀର ଜିଲା ଯୋଗାଣ ଅଧିକାରୀ (ସିଏସ୍‌ଓ) ରଞ୍ଜନ କୁମାର ସେଠ୍‌ଙ୍କୁ ମଙ୍ଗଳବାର ଭିଜିଲାନ୍ସ ଗିରଫ କରି କୋର୍ଟଚାଲାଣ କରିଛି। ଗତ ଅଗଷ୍ଟ ୫ ତାରିଖରେ ସେଠ୍‌ଙ୍କ ଘରେ ଭିଜିଲାନ୍ସ ଯାଞ୍ଚ କରିଥିଲା। ବାଲେଶ୍ୱର ଭିଜିଲାନ୍ସ ଡିଭିଜନ ପକ୍ଷରୁ ସେଠ୍‌ଙ୍କ ଘର ଓ ଅଫିସ ସମେତ ମୋଟ ୫ଟି ସ୍ଥାନରେ ଏକକାଳୀନ ଯାଞ୍ଚ କରାଯାଇଥିଲା। ଯାଞ୍ଚରୁ ମୋଟ ୧କୋଟି ୨୧ଲକ୍ଷ ୬୧ହଜାର ୨୩୩ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଥିଲା। ଠାବ ସମସ୍ତ ସମ୍ପତ୍ତି ସିଏସଓ ସେଠ୍‌ ଓ ତାଙ୍କ ପରିବାରବର୍ଗଙ୍କ ନାମରେ ଥିବା ଭିଜିଲାନ୍ସ ସୂଚନା ଦେଇଛି। ଯାଞ୍ଚ୍‌ କରାଯାଇଥିବା ସ୍ଥାନଗୁଡିକ ହେଉଛି ବରଗଡ ସହରର ରାଣୀବନ୍ଧପଡା ନିକଟରେ ଥିବା ୩ମହଲା କୋଠା, ସେଠାରେ ଥିବା ଶ୍ୱଶୁରଘର, ବଲାଙ୍ଗୀରସ୍ଥିତ ସରକାରୀ କ୍ବାର୍ଟର ଓ ଅଫିସ ସମେତ ଭୁବନେଶ୍ୱରର ଆନ୍ଧିଲୋଠାରେ ଥିବା ଆର୍‌ଜେ ରେସିଡେନ୍ସି ଆପାର୍ଟମେଣ୍ଟ। ଭିଜିଲାନ୍ସ ସୂଚନା ଅନୁଯାୟୀ, ସେଠ୍‌ ଓ ତାଙ୍କ ପନତ୍ୀଙ୍କ ନାମରେ ୨୦୦୯ରେ ଭିଜିଲାନ୍ସ ପକ୍ଷରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଏକ ମାମଲା ହୋଇଥିଲା। ଉକ୍ତ ମାମଲାରେ ଭିଜିଲାନ୍ସ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଛି। ୧୯୯୨ରୁ ୨୦୦୮ ମଧ୍ୟରେ ସେ ଉପରୋକ୍ତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ସୂଚନା ଦେଇଛି। ୨୦୦୮ରୁ ଅଦ୍ୟାବଧି ପୁନର୍ବାର ସିଏସ୍‌ଓ ସେଠ୍‌ ବିପୁଳ ପରିମାଣର ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ବାରିପଦା ସ୍ବତନ୍ତ୍ର ଅଦାଲତ ପକ୍ଷରୁ ସେଠ୍‌ଙ୍କ ବିରୋଧରେ ତଲାସି ୱାରେଣ୍ଟ ଜାରି କରାଯାଇଥିଲା। ସୂଚନାଥାଉକି, ସେଠ୍‌ ବଲାଙ୍ଗୀର ପୂର୍ବରୁ ମୟୂରଭଞ୍ଜ ଜିଲା ଯୋଗାଣ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri