ବାଲିଯାତ୍ରାର ଚତୁର୍ଥ ଦିବସ: ଭିଡ଼ ଅସମ୍ଭାଳ, ମନ ଖୁସ୍‌


କଟକ ଅଫିସ,୭।୧୧- ବାଲିଯାତ୍ରାର ଚତୁର୍ଥ ଦିବସରେ ବେଶ୍‌ ଭିଡ଼ ଜମିଥିଲା। ସନ୍ଧ୍ୟା ଆସିବା ବେଳକୁ ଯାତ୍ରା ପଡ଼ିଆକୁ ବିଭିନ୍ନ ପାର୍ଶ୍ୱରୁ ସଂଯୋଗ କରୁଥିବା ରାସ୍ତାରେ ଯାତ୍ରୀଙ୍କ ସୁଅ ଛୁଟିଥିଲା। ଯାତ୍ରୀମାନେ ଉଭୟ ଉପର ଓ ତଳ ପଡିଆ ବୁଲି ବେଶ୍‌ ମନ ଖୁସି କରିଥିଲେ। ଫାଷ୍ଟଫୁଡ୍‌, ଠୁଙ୍କାପୁରୀ, ଦହିବରା ଖାଇବା ସାଙ୍ଗକୁ ଗୋଟିଏରେ ଗୋଟିଏ ମାଗଣା ମିଳୁଥିବା ଆଇସ୍କ୍ରିମ ଓ ମିଠାପାନର ମଜା ନେବାକୁ ଭୁଲି ନ ଥିଲେ। ବୁଲିବୁଲି କରି ଥକିଯିବା ପରେ ଷ୍ଟଲ ପାର୍ଶ୍ୱ କାର୍ପେଟ ଉପରେ ବସି ପରିବାର ଓ ସାଙ୍ଗସାଥୀ ସହ ଖୁସି ଗପ କରୁଥିବା ଦେଖିବାକୁ ମିଳିଥିଲା। ଏସବୁ ଭିତରେ ଉପର ପଡିଆରେ ପଡିଥିବା ବିଭିନ୍ନ ନାମୀ କମ୍ପାନୀର ଷ୍ଟଲଗୁଡିକରେ ଭିଡ଼ ଦେଖିବାକୁ ମିଳିଥିଲା। ସ୍ବତନ୍ତ୍ର ଅଫର ଓ ଉପହାର ଲୋକଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା। ସେହିପରି ବାଲିଯାତ୍ରାରେ ବିକ୍ରି ହେଉଥିବା ନିଆରା ତଥା ବିରଳ ସାମଗ୍ରୀ ଭିନ୍ନ ଆକର୍ଷଣ ପାଲଟିଥିଲା। ପ୍ରବଳ ଭିଡ଼ ଯୋଗୁ ଟ୍ରାଫିକ ନିୟନ୍ତ୍ରଣ କରିବା ଲାଗି ପୋଲିସକୁ ବହୁ କସରତ କରିବାକୁ ପଡିଥିଲା। ମାଟିର ଲଣ୍ଠନ: ଦିନ ଥିଲା ଲଣ୍ଠନ, ଡିବିରି ରାତିର ଅନ୍ଧାରକୁ ଦୂରୀଭୂତ କରୁଥିଲା। ବିଦ୍ୟୁତ୍‌ ଆଲୋକ ମିଳିବା ପରେ ଲଣ୍ଠନରେ କଳଙ୍କି ଲାଗିଗଲା। ବିଭିନ୍ନ ଅତ୍ୟାଧୁନିକ ଲାଇଟମାନ ଲଣ୍ଠନ ସ୍ଥାନ ନେଲା। ମାତ୍ର ବାଲିଯାତ୍ରାର ଜିଲା ହସ୍ତ ଓ କୁଟୀର ଶିଳ୍ପ ଷ୍ଟଲରେ ଦେଖିବାକୁ ମିଳିଛି ମାଟିର ଲଣ୍ଠନ। ଘର ସାଜସଜ୍ଜା ପାଇଁ ପ୍ରସ୍ତୁତ ଏହି ଲଣ୍ଠନରେ କିରୋସିନ କି ଫିତାର ଆବଶ୍ୟକତା ନାହିଁ। ଏହାକୁ ଚିକିଟା ମାଟିରେ ପ୍ରସ୍ତୁତ କରାଯାଇଥିବା ବେଳେ ଏଥିରେ ଏଲ୍‌ଇଡି ବଲ୍‌ବ ରହିଛି। ବିଦ୍ୟୁତ୍‌ ସଂଯୋଗ ଦ୍ୱାରା ଏହା ଆଲୋକ ପ୍ରଦାନ କରିଥାଏ। ଏହାର ମୂଲ୍ୟ ୨୦୦ ଟଙ୍କା ରହିଥିବା ବ୍ୟବସାୟୀ ଶାନ୍ତି ସାମଲ କହିଛନ୍ତି। ବାଉଁଶ ମୂଳରେ ମୟୂର: ଆଠଗଡ଼ ଖୁଣ୍ଟକଟା ଗ୍ରାମର ଊର୍ମିଳା ସାହାଣି ବାଉଁଶ ଓ ବେତ ପ୍ରସ୍ତୁତ ସାମଗ୍ରୀ ନେଇ ବାଲିଯାତ୍ରାକୁ ଆସିଛନ୍ତି। ତାଙ୍କ ଷ୍ଟଲ୍‌ରେ ବାଉଁଶ ଗଛ ମୂଳ ଓ ଚେରରେ ତିଆରି ମୟୂର ଲୋକଙ୍କୁ ବେଶ୍‌ ଆକର୍ଷିତ କରିଛି। ସାହାଣି କୁହନ୍ତି, ଏହାକୁ ତିଆରି କରିବା ପାଇଁ ବହୁ ପରିଶ୍ରମ କରିବାକୁ ପଡିଥାଏ। ବାଉଁଶ ମୂଳକୁ ଛେଲି ମୟୂରର ଶରୀର ଆକୃତି କରାଯାଏ। ଏଥିରେ ସରୁବତା ବ୍ୟବହାର କରି ତା’ର ପୁଚ୍ଛ ପସ୍ତୁତ କରିଥାଉ। ଚଳିତବର୍ଷ ଏହାର ଚାହିଦା ଭଲ ରହିଛି। ଏହା ୮୦୦ରୁ ୧୨୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। କଳମ କାଠିରେ କାମ୍ଭୁ ବଲ୍‌: ବାଲିଯାତ୍ରାର ନୂଆ ସାମଗ୍ରୀ ଭାବେ ଚଳିତବର୍ଷ ଦେଖିବାକୁ ମିଳିଛି କାମ୍ଭୁ ବଲ୍‌। ଏହା ଘରସଜା ସାଙ୍ଗକୁ ଆକର୍ଷଣୀୟ ଆଲୋକ ନିମନ୍ତେ ବ୍ୟବହାର କରିହେବ। ତେବେ ମୁଖ୍ୟ କଥା ହେଉଛି , କଳମ କାଠିରେ ଏହି ବଲ ପ୍ରସ୍ତୁତ ହୋଇଛି। କଳମ କାଠିକୁ ଛେଲାଯାଇ ଗୋଟିଏ କାଠିରେ ଅନ୍ୟ କାଠିକୁ ଛନ୍ଦି ବଲ ଆକୃତି କରାଯାଇଛି। ଏହି ବଲର ମୂଲ୍ୟ ୧୦୦ ଟଙ୍କାରୁ ଆରମ୍ଭ ହୋଇଥିବା ବାଲେଶ୍ୱର ଭୋଗରାଇ ଅଞ୍ଚଳରୁ ଆସିଥିବା ବ୍ୟବସାୟୀ ମିନତୀ ସାହୁ କହିଛନ୍ତି। ୪ ଫୁଟର ହୁକା: ରାଜା କିମ୍ବା ସମ୍ଭ୍ରାନ୍ତ ଶ୍ରେଣୀର ବ୍ୟକ୍ତିମାନେ ହୁକା ବ୍ୟବହାର କରିଥାନ୍ତି। ଏହା ଅନେକ ସ୍ଥାନରେ ଘର ସଜା ସାମଗ୍ରୀ ଭାବେ ଦେଖିବାକୁ ମିଳୁଛି। ତେବେ ବାଲିଯାତ୍ରାକୁ ପିତ୍ତଳ ଓ ତମ୍ବା ମିଶ୍ରିତ ୪ ଫୁଟର ହୁକା ନେଇ ଆସିଛନ୍ତି ଉତ୍ତରପ୍ରଦେଶ ମୁରାଦାବାଦର ଜଣେ ବ୍ୟବସାୟୀ। ଏହାର ମୂଲ୍ୟ ୩୫୦୦ଟଙ୍କା ରହିଛି। ବିଶେଷକରି ଯୁବବର୍ଗ ଏଥିପ୍ରତି ଆକର୍ଷିତ ହେବା ସହ ଏହାର ବ୍ୟବହାର ସମ୍ପର୍କରେ ପଚାରି ବୁଝୁଥିବା ଦେଖିବାକୁ ମିଳିଛି। ପ୍ଲାଷ୍ଟିକ ସାମଗ୍ରୀ ବର୍ଜନ ଉପରେ ସଚେତନତା: ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ନ କରିବା ପାଇଁ ମଙ୍ଗଳବାର ବାଲିଯାତ୍ରା ପଡିଆରେ ସ୍କୁଲ ଛାତ୍ରୀମାନେ ଲୋକଙ୍କୁ ସଚେତନ କରାଇଥିଲେ। ବିଡାନାସୀସ୍ଥିତ ଶୋଭନୀୟ ଶିକ୍ଷାଶ୍ରମର ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପ୍ଲାକାର୍ଡ ଧରି ବ୍ୟବସାୟୀ ଓ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ଏଥିସହ ଯାତ୍ରାପଡିଆରେ ପଡିଥିବା ପ୍ଲାଷ୍ଟିକଜାତ ସାମଗ୍ରୀକୁ ସଫା କରିଥିଲେ। ପରେ ସେମାନେ ନାଚଗୀତ ମାଧ୍ୟମରେ ପ୍ଲାଷ୍ଟିକ ସାମଗ୍ରୀ ସାଧାରଣ ସ୍ଥାନରେ ନ ଫୋପାଡିବାକୁ ବାର୍ତ୍ତା ଦେଇଥିଲେ। ଛାତ୍ରୀମାନଙ୍କ ସହ ପ୍ରଧାନ ଶିକ୍ଷୟିତ୍ରୀ ବନଲତା ଦେବୀ, ଗୀତାଞ୍ଜଳି ସ୍ବାଇଁ, ରାଜରାଣୀ ତ୍ରିପାଠୀ ଗୁରୁମା ପ୍ରମୁଖ ସାମିଲ ହୋଇଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri