ଚିଲିକାରେ ପର୍ଯ୍ୟଟକଙ୍କ ସୁରକ୍ଷା ଚିନ୍ତା: ଗୋଟିଏ ସ୍ଥାନରେ ହେବ ଟିକେଟ ବିକ୍ରି


ପୁରୀ ଅଫିସ, ୭।୧୧: ଏଣିକି ସାତପଡା ଅଞ୍ଚଳରେ ଥିବା ୮ଟି ବୋଟ ମାଲିକ ସଂଘ ନିଜସ୍ବ କାର୍ଯ୍ୟାଳୟ ଖୋଲି ଏଣେତେଣେ ଟିକେଟ ବିକ୍ରି କରିପାରିବେ ନାହିଁ। ପର୍ଯ୍ୟଟକ ବାରମ୍ବାର ଶୋଷଣର ଶିକାର ହେବା ପରେ କଟକଣା ଲଗାଇଛି ଜିଲା ପ୍ରଶାସନ। ସମସ୍ତ ବୋଟ ମାଲିକ ସଂଘ ସରକାରୀ ଦରରେ ଗୋଟିଏ ସ୍ଥାନରେ ଟିକେଟ ବିକ୍ରି କରିବେ। ଏଥିଲାଗି ଦହିଖିଆଠାରେ ପର୍ଯ୍ୟଟକ ସହାୟତା କେନ୍ଦ୍ର ଖୋଲାଯିବ। ସେଥିରେ ପର୍ଯ୍ୟଟକଙ୍କ ଶୌଚାଳୟ, ଗାଡି ପାର୍କିଂ ଆଦି ବ୍ୟବସ୍ଥା ରହିବ। ଏହାସହିତ ସେଥିରେ ସମସ୍ତ ବୋଟ୍‌ ମାଲିକ ସଂଘ ପାଇଁ ଟିକେଟ କାଉଣ୍ଟର ରହିବ। ପର୍ଯ୍ୟଟକ ତାଙ୍କ ଇଚ୍ଛା ମୁତାବକ କାଉଣ୍ଟରରୁ ଟିକେଟ କିଣି ଡଲଫିନ ଦେଖିବାକୁ ଯିବେ। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ପକ୍ଷରୁ ପର୍ଯ୍ୟଟକ ସହାୟତା କେନ୍ଦ୍ର ନିର୍ମାଣ କରାଯିବ। ଏଥିଲାଗି ଖୁବଶୀଘ୍ର ବ୍ରହ୍ମଗିରି ତହସିଲଦାର ଜମି ଚିହ୍ନଟ କରିବେ। ସିଡିଏକୁ ଜମି ଆଡଭାନ୍ସ ପଜେଶନ୍‌ ଦିଆଯିବ। ଡିସେମ୍ବର ମାସ ଶେଷ ସୁଦ୍ଧା ପର୍ଯ୍ୟଟକ ସହାୟତା କେନ୍ଦ୍ର କାର୍ଯ୍ୟ ସାରିବ। ଚିଲିକାରେ ପର୍ଯ୍ୟଟକଙ୍କ ପ୍ରତି ହେଉଥିବା ଶୋଷଣକୁ ରୋକିବା ଲାଗି ମଙ୍ଗଳବାର ପୁରୀ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଚିଲିକାରେ ଡଲଫିନ ଏବଂ ବିଦେଶାଗତ ପକ୍ଷୀ ଦେଖିବା ଲାଗି ନଭେମ୍ବର ମାସ ଠାରୁ ଏପ୍ରିଲ ପର୍ଯ୍ୟନ୍ତ ସାତପଡାକୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଯାଇଥାନ୍ତ। ଏହି ସମୟରେ ଚିଲିକା ଯାଉଥିବା ପର୍ଯ୍ୟଟକମାନେ ବୋଟ୍‌ ମାଲିକ, ଗାଡି ଚାଳକ ଏବଂ ମୁକ୍ତା ବ୍ୟବସାୟୀଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ଏହାକୁ ନେଇ ବାରମ୍ବାର ଅଭିଯୋଗ ଆସୁଛି। ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବାରୁ ଜିଲା ପ୍ରଶାସନକୁ ଘାରିଛି ପର୍ଯ୍ୟଟକଙ୍କ ସୁରକ୍ଷା ଚିନ୍ତା। ଚିଲିକାରେ ଟୁରିଷ୍ଟ ବୋଟ୍‌ ଚଳାଚଳକୁ ଶୃଙ୍ଖଳିତ କରିବା ସହିତ ପର୍ଯ୍ୟଟକ ସୁରକ୍ଷା ପାଇଁ ପୁରୀ ଏସ୍‌୍‌ପି ସାର୍ଥକ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ସାତପଡା ଅଞ୍ଚଳରେ ୮ଟି ମୋଟରବୋଟ୍‌ ଆସୋସିଏଶନ ରହିଥିବା ବେଳେ ଚିଲିକାରେ ପ୍ରାୟ ୯୬୭ଟି ଟୁରିଷ୍ଟ ମୋଟର ବୋଟ ଚଳାଚଳ କରୁଛି। କିନ୍ତୁ ଅଧିକାଂଶ ବୋଟ୍‌ ପଞ୍ଜୀକରଣ ହୋଇ ନ ଥିବା ବେଳେ ଲାଇସେନ୍ସ ନାହିଁ। ଡିସେମ୍ବର ୩୧ ସୁଦ୍ଧା ସମସ୍ତ ଟୁରିଷ୍ଟ ବୋଟ ପଞ୍ଜୀକରଣ ଏବଂ ଇନ୍‌ସ୍ୟୁରାନ୍ସ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟ ମଧ୍ୟରେ ଯେଉଁ ବୋଟ ମାଲିକମାନେ ପଞ୍ଜୀକରଣ ନ କରିବେ ସେମାନଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ପଞ୍ଜୀକରଣ କରିବାକୁ ଦିଆଯିବ ନାହିଁ। ସେମାନଙ୍କୁ କୌଣସି ବୋଟ ମାଲିକ ଆସୋସିଏଶନ ଗ୍ରହଣ କରିବେ ନାହିଁ। ପଞ୍ଜୀକରଣ କରି ନ ଥିବା ଡଙ୍ଗା ମାଲିକ ପର୍ଯ୍ୟଟକଙ୍କୁ ନେଇ ଚିଲିକାରେ ଡଙ୍ଗା ଚଲାଇ ପାରିବେ ନାହିଁ। ଯଦି ବେନିୟମ ଭାବେ ପର୍ଯ୍ୟଟକଙ୍କୁ ନେଇ ଚିଲିକାକୁ ଯାଆନ୍ତ ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବୋଟ ପଞ୍ଜୀକରଣ ପାଇଁ ସାତପଡାରେ ଅନ୍ତର୍ଦ୍ଦେଶୀୟ ଜଳପଥ ବିଭାଗ ପକ୍ଷରୁ ଅସ୍ଥାୟୀ କାର୍ଯ୍ୟାଳୟ ଡିସେମ୍ବର ୩୧ ପର୍ଯ୍ୟନ୍ତ ଖୋଲାଯିବ। ଏହି କାର୍ଯ୍ୟାଳୟ ସପ୍ତାହରେ ୩ଦିନ ଖୋଲିବ। କେଉଁ ତିନିଦିନ କାର୍ଯ୍ୟାଳୟ ଖୋଲିବ ତାହା ବିଭାଗ ପକ୍ଷରୁ ଖୁବଶୀଘ୍ର ସମସ୍ତ ଆସୋସିଏଶନକୁ ଜଣାଇ ଦିଆଯିବ। ପୁରୀ-ସାତପଡା ଜାତୀୟ ରାଜପଥର ୩୦ଟି ସ୍ଥାନରେ ପର୍ଯ୍ୟଟକଙ୍କ ଅବଗତି ନିମନ୍ତେ ସୂଚନା ଫଳକ ଲଗାଯିବ। ସେଥିରେ ବୋଟ ଦର ସଂକ୍ରାନ୍ତରେ ସୂଚନା ରହିବ। ୨୦୧୪ ମସିହାରେ ଜିଲା ପ୍ରଶାସନ ପକ୍ଷରୁ ଡଲିଫନ, ଡଲଫିନ ଓ ମୁହାଣ ଏବଂ ନଳବଣ ୩ଟି ସ୍ଥାନକୁ ଯିବା ପାଇଁ ବୋଟ୍‌ ଦର ଧାର୍ଯ୍ୟ ହୋଇଥିଲା। ନଳବଳ ମଧ୍ୟରେ ବୋଟ୍‌ ଚଳାଚଳାକୁ ବାରଣ କରାଯାଇଛି। ଏହାସହିତ ନଳବଣ ମଧ୍ୟକୁ ପର୍ଯ୍ୟଟକଙ୍କୁ ଛଡା ଯାଉନାହିଁ। କିନ୍ତୁ ପ୍ରଶାସନ ପକ୍ଷରୁ ନଳବଣ ପାଇଁ ଧାର୍ଯ୍ୟ ଦରରୁ କିଛି ବୋଟ୍‌ ମାଲିକ ଫାଇଦା ଉଠାଉଥିଲେ। ନଳବଣ ନାଁରେ ଚିଲିକାର ଏଣେତେଣେ ବୁଲାଇ ପକ୍ଷୀ ଦେଖାଇ ପର୍ଯ୍ୟଟକଙ୍କୁ ଶୋଷଣ କରୁଥିଲେ। ତେଣୁ ନଳବଣ ରୁଟକୁ ବାଦ ଦେବାକୁ ବୈଠକରେ ସ୍ଥିର ହୋଇଛି। ନଳବଣ ପାଇଁ ଆଉ ପ୍ରଶାସନ ପକ୍ଷରୁ ବୋଟ୍‌ ଦର ନିର୍ଦ୍ଧାରଣ କରାଯିବ ନାହିଁ। ୨୦୧୪ରେ ଚିଲିକାରେ ଡିଲଫିନ୍‌ ଦେଖିବା ଲାଗି ବୋଟ୍‌ ଦର ୭ଶହ ଏବଂ ଡଲଫିନ ଓ ସି ମାଉଥ ଦେଖିବାକୁ ୧୭ଶହ ଟଙ୍କା ଧର୍ଯ୍ୟ ହୋଇଥିଲା। ଇତିମଧ୍ୟରେ ଡିଜେଲ ଓ ପେଟ୍ରୋଲ ଦର ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି। ତେଣୁ ଖୁବଶୀଘ୍ର ନୂତନ ଦର ନିର୍ଦ୍ଧାରଣ କରାଯିବାକୁ ସ୍ଥିର ହୋଇଛି। ଏହି ନୂତନ ଦର ଜିଲାପାଳ ନିର୍ଦ୍ଧାରଣ କରିବେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri