ବିଶ୍ୱ ପର୍ଯ୍ୟଟନ ବଜାରରେ ଓଡ଼ିଶା


ଭୁବନେଶ୍ୱର, ୭।୧୧(ବ୍ୟୁରୋ)- ଲଣ୍ଡନରେ ଅନୁଷ୍ଠିତ ବିଶ୍ୱ ପର୍ଯ୍ୟଟନ ବଜାର-୨୦୧୭(ୱାଲର୍‌ଡ ଟ୍ରାଭେଲ୍‌ ମାର୍କେଟ୍‌-୨୦୧୭)ରେ ଭାଗନେଇ ରାଜ୍ୟ ପର୍ଯ୍ୟଟନ ସମ୍ପଦର ଶୋ’କେସ୍‌ କରିଛି ଓଡ଼ିଶା ପର୍ଯ୍ୟଟନ ବିଭାଗ। ସୋମବାରଠାରୁ ଆରମ୍ଭ ହୋଇଥିବା ଏହି ୩ ଦିନିଆ କାର୍ଯ୍ୟକ୍ରମରେ ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ଖୋଲିଥିବା ମଣ୍ଡପକୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଛନ୍ତି। ସାଂସ୍କୃତିକ ଐତିହ୍ୟ ଓ ବାଲୁକା କଳାକୃତି ସାଙ୍ଗକୁ ପର୍ଯ୍ୟଟନସ୍ଥଳୀର ଆକର୍ଷଣୀୟ ଚିତ୍ର ଓଡ଼ିଶା ମଣ୍ଡପରେ ସ୍ଥାନପାଇଛି। ଉଦ୍‌ଘାଟନୀ ଅବସରରେ ମନ୍ତ୍ରୀ ପଣ୍ଡା କହିଥିଲେ, ଓଡ଼ିଶାର ନୂତନ ପର୍ଯ୍ୟଟନ ନୀତି ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ସୁଯୋଗ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ଓଡ଼ିଶାରେ ପରିବେଶ ପର୍ଯ୍ୟଟନ, ଧାର୍ମିକ ପର୍ଯ୍ୟଟନ ଓ ଜନଜାତି ପର୍ଯ୍ୟଟନ କ୍ଷେତ୍ରରେ ବିପୁଳ ସୁଯୋଗ ରହିଥିବା ବେଳେ ଏବେ ରାଜ୍ୟ ପକ୍ଷରୁ ରାଜକୀୟ ପର୍ଯ୍ୟଟନ ଓ ସଂଗ୍ରହାଳୟ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯାଉଛି। ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ଡ. ମୋନା ଶର୍ମା କହିଛନ୍ତି, ଲଣ୍ଡନ ପର୍ଯ୍ୟଟନ ବଜାରରେ ଓଡ଼ିଶାର ବିଶ୍ୱ ଐତିହ୍ୟ ସ୍ଥାନ କୋଣାର୍କ ସମେତ ଜୈବବିବିଧତାରେ ପୂର୍ଣ୍ଣ ଚିଲିକା, ଭିତରକନିକା, ସାତକୋଶିଆ ଓ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀ ସମ୍ପର୍କରେ ସବିଶେଷ ପ୍ରଚାର କରିବ। ଓଡ଼ିଶାର ଉପକୂଳ ପର୍ଯ୍ୟଟନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକାଶିଳ୍ପୀ ତଥା ଓଡ଼ିଶା ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସାଡର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାକୃତି ଓଡ଼ିଶା ମଣ୍ଡପର ପ୍ରମୁଖ ଆକର୍ଷଣ ପାଲଟିଛି। ଲଣ୍ଡନର ଏକ୍ସେଲ୍‌ଠାରେ ଆୟୋଜିତ ଏହି ବାଣିଜ୍ୟ ବଜାରରେ ବିଶ୍ୱର ୧୮୫ଟି ଦେଶର ଜାତୀୟ ପର୍ଯ୍ୟଟନ କର୍ତ୍ତୃପକ୍ଷ, ଆଞ୍ଚଳିକ ଓ ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ବୋର୍ଡ, ଏୟାର ଲାଇନ୍ସ, ଘରୋଇ ଉଦ୍ୟୋଗ, ଟୁର ଅପରେଟର୍ସ, ଟ୍ରାଭେଲ ଏଜେଣ୍ଟ, ପର୍ଯ୍ୟଟନ ପରିଚାଳନା କମ୍ପାନୀ, ହୋଟେଲିୟର୍‌ ଏବଂ ଅନ୍ତର୍ଜାତୀୟ ସଂସ୍ଥାର ପ୍ରତିନିଧିମାନେ ଅଂଶଗ୍ରହଣ କରିଛନ୍ତି। ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ଯାଇଥିବା ପ୍ରତିନିଧି ଦଳରେ ପର୍ଯ୍ୟଟନ ଅଧିକାରୀ ଡ. ରତିକାନ୍ତ ପଟ୍ଟନାୟକଙ୍କ ସହ ହୋଟେଲ୍‌ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏଶନ୍‌ର ଅଧ୍ୟକ୍ଷ ଡ. ଜେ. କେ. ମହାନ୍ତି ଓ ଆନ୍ୟାନ୍ୟ ଟ୍ରାଭେଲ ଓ ଟୁର ଅପରେଟରମାନେ ସାମିଲ ହୋଇଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri