ସରକାରୀ ଗାଡ଼ିପୋଡ଼ି ମାମଲା: ସାନି ତଦନ୍ତ ଉପରେ ସ୍ୟାଟ୍‌ଙ୍କ ରହିତାଦେଶ


କଟକ ଅଫିସ, ୬।୧୧- ରାଜସ୍ବ ପର୍ଷଦର ସଚିବଙ୍କ ସରକାରୀ ଗାଡ଼ି ପୋଡ଼ି ମାମଲାର ସାନି ତଦନ୍ତ ନିର୍ଦ୍ଦେଶ ଉପରେ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ) ରହିତାଦେଶ ଜାରି କରିଛନ୍ତି। କେଉଁ ପରିସ୍ଥିତିରେ ସାନି ତଦନ୍ତର ଆବଶ୍ୟକ ପଡ଼ିଲା ସେ ନେଇ ଆସନ୍ତା ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ରାଜସ୍ବ ପର୍ଷଦର ସଚିବ ଓ ରାଜ୍ୟ ସରକାରଙ୍କ ରାଜସ୍ବ ସଚିବଙ୍କୁ ସ୍ୟାଟ୍‌ ନୋଟିସ ଜାରି କରିଛନ୍ତି। ମାମଲାର ବିବରଣୀ ଅନୁଯାୟୀ, ରାଜସ୍ବ ପର୍ଷଦର ତତ୍କାଳୀନ ସଚିବ ଉପେନ୍ଦ୍ର ମଲ୍ଲିକ ତାଙ୍କ ସରକାରୀ ଗାଡି(ଇଣ୍ଡିକା ନଂ. ଓଆର୦୫-୦୯୯୯)ରେ କ୍ୟାଣ୍ଟନମେଣ୍ଟ ରୋଡସ୍ଥିତ ଅଲ ଇଣ୍ଡିଆ ରେଡିଓ ନିକଟବର୍ତ୍ତୀ ଏକ ଅଫିସକୁ ଭୋଜି ଖାଇବା ପାଇଁ ୨୦୧୪ ନଭେମ୍ବର ୨୬ ରାତିରେ ଯାଇଥିଲେ। ଭୋଜି ପରେ ଉପେନ୍ଦ୍ରଙ୍କୁ ତାଙ୍କ ବାସଭବନରେ ଛାଡି ଗାଡି ଡ୍ରାଇଭର କୃଷ୍ଣମୋହନ ଦାସ ରାତି ପ୍ରାୟ ୧୦ଟା ୩୦ରେ ସରକାରୀ ଗାଡିକୁ ନେଇ ରାଜସ୍ବ ପର୍ଷଦ କାର୍ଯ୍ୟାଳୟକୁ ଫେରିଥିଲେ। ମାତ୍ର ସେତେବେଳକୁ ରାଜସ୍ବ ପର୍ଷଦ କାର୍ଯ୍ୟାଳୟର ଫାଟକ ବନ୍ଦ ରହିଥିଲା। ଏଣୁ ଡ୍ରାଇଭର ଦାସ ନିଜେ ରହୁଥିବା ତୁଳସୀପୁର ଅଞ୍ଚଳକୁ ସରକାରୀ ଗାଡିଟିକୁ ନେଇ ସେଠାରେ ରଖିଥିଲେ। ତେବେ ବିଳମ୍ବିତ ରାତିରେ ଗାଡିରେ ନିଆଁ ଲାଗି ପୋଡ଼ିଯାଇଥିଲା। ଏ ସମ୍ପର୍କରେ କର୍ତ୍ତୃପକ୍ଷ ଥାନାରେ ଏତଲା ଦେବା ପରେ ଘଟଣାର ଖୋଳତାଡ ହୋଇଥିଲା। ଏହି ଘଟଣାରେ ରାଜସ୍ବ ପର୍ଷଦର ଜଣେ ପଦାଧିକାରୀ ତଦନ୍ତ କରି ୨୦୧୬ ଅକ୍ଟୋବର ୭ରେ ରିପୋର୍ଟ ପ୍ରଦାନ କରିଥିଲେ। ଏଥିରେ ଡ୍ରାଇଭରକୁ ନିର୍ଦ୍ଦୋଷ ବୋଲି ଦର୍ଶାଯାଇଥିଲା। ତେବେ ପୋଡି ଯାଇଥିବା ଇଣ୍ଡିକାର ମୂଲ୍ୟ ୧ ଲକ୍ଷ ୮୦ ହଜାର ଟଙ୍କା ବୋଲି ଆକଳନ କରାଯାଇଥିବାରୁ ଏହାର ୫୦ ପ୍ରତିଶତ ଅର୍ଥାତ୍‌ ୯୦ ହଜାର ଟଙ୍କା ତତ୍କାଳୀନ ସଚିବ ଉପେନ୍ଦ୍ର ମଲ୍ଲିକ ଓ ଅବଶିଷ୍ଟ ୯୦ ହଜାର ଟଙ୍କା ଡ୍ରାଇଭର ଦାସଙ୍କଠାରୁ ଆଦାୟ କରାଯିବାକୁ ପ୍ରସ୍ତାବ ଦେଇଥିଲେ। ମାତ୍ର ଏହି ରିପୋର୍ଟକୁ ବେଶ୍‌ କିଛି ଦିନ ଶୀତଳଭଣ୍ଡାରରେ ରଖାଯିବା ପରେ ରାଜସ୍ବ ପର୍ଷଦର ବର୍ତ୍ତମାନର ସଚିବ ଗୋବିନ୍ଦ ସେଠୀ ଚଳିତବର୍ଷ ଅଗଷ୍ଟ ୩୧ରେ ଏହାର ସାନି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଡ୍ରାଇଭର ଦାସ ଏହି ସାନି ତଦନ୍ତ ଆଦେଶକୁ ବିରୋଧ କରି ସ୍ୟାଟ୍‌ର ଦ୍ୱାରସ୍ଥ ହୋଇଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri