ସମୁଦ୍ରଠାରୁ ୨ଶହ ମିଟର ମଧ୍ୟରେ ଜଳ ଉତ୍ତୋଳନ ନିଷିଦ୍ଧ


ପୁରୀ ଅଫିସ, ୬।୧୧: ଉପକୂଳ ନିୟନ୍ତ୍ରଣ ଅଞ୍ଚଳ(ସିଆର୍‌ଜେଡ୍‌) ବିଜ୍ଞପ୍ତି ୨୦୧୧ର ୩(୧୧) ଧାରାକୁ ପୁରୀ ସହରରେ ବାଧ୍ୟତାମୂଳକ କରିବାକୁ ରାଜ୍ୟ ସରକାରଙ୍କୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) କଲିକତା ନିର୍ଦ୍ଦେଶ ଦେଇଛନ୍ତି। ସିଆରଜେଡ୍‌ ବିଜ୍ଞପ୍ତି ଅନୁଯାୟୀ ଭୂତଳ ଜଳସ୍ତରରେ ସମୁଦ୍ର ଜଳ ପଶିବାର ସମ୍ଭାବନା ରହିଥିବାରୁ ସମୁଦ୍ର କୂଳଠାରୁ ୨ଶହ ମିଟର ଅଞ୍ଚଳରେ ଭୂତଳ ଜଳ ଉତ୍ତୋଳନ କରାଯାଇପାରିବ ନାହିଁ। ଏନ୍‌ଜିଟିଙ୍କ ଏହି ନିର୍ଦ୍ଦେଶ ପରେ ପୁରୀ ସମୁଦ୍ରକୂଳ ଅଞ୍ଚଳରେ ଥିବା ହୋଟେଲ ଓ ଜନସାଧାରଣଙ୍କ ପାଇଁ ଅଡୁଆ ପରିସ୍ଥିତି ଉପୁଜିଛି। ପୁରୀ ସହର ଦକ୍ଷିଣ-ପୂର୍ବ ଦିଗରେ ୮ କିମି ବ୍ୟାପ୍ତ ସମୁଦ୍ର ରହିଛି। ଏହା ମଙ୍ଗଳାନଦୀ ମୁହାଣଠାରୁ ଶ୍ରୀଜଗନ୍ନାଥ ସଂସ୍କୃତ ବିଦ୍ୟାଳୟ ପର୍ଯ୍ୟନ୍ତ ଲମ୍ବିଛି। ସମୁଦ୍ର କୂଳର ଏହି ଅଞ୍ଚଳ ମଧ୍ୟରେ ଶତାଧିକ ହୋଟେଲ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି। ପ୍ରାୟ ସମସ୍ତ ହୋଟେଲ ଏକାଧିକ ବୋରୱେଲ ମାଧ୍ୟମରେ ଭୂତଳ ଜଳ ଉତ୍ତୋଳନ କରୁଛନ୍ତି। ବେଆଇନ ଭାବେ ଭୂତଳ ଜଳର ବ୍ୟବହାର କରାଯାଉଛି। ଏହାସହିତ ସମୁଦ୍ର କୂଳରେ ୫ ହଜାର ଜନସଂଖ୍ୟା ବିଶିଷ୍ଟ ପେଣ୍ଠକଟା ବସ୍ତି ମଧ୍ୟ ରହିଛି। ସେଠାରେ ବି ଭୂତଳ ଜଳର ଦୁରୁପଯୋଗ ହେଉଛି। ତାଳବଣିଆ ଓ ବଳିଆପଣ୍ଡା ମଧୁରଜଳ ସଂରକ୍ଷିତ ଅଞ୍ଚଳରୁ ପୁରୀ ସହରକୁ ପାନୀୟ ଜଳ ଯୋଗାଣ ହେଉଛି। ଏହି ମଧୁର ଜଳ ସଂରକ୍ଷିତ ଅଞ୍ଚଳକୁ ପୁରୀର ଲାଇଫ ଲାଇନ ମଧ୍ୟ କୁହାଯାଉଛି। ମଧୁର ଜଳ ସଂରକ୍ଷଣ ଅଞ୍ଚଳରେ ଜବରଦଖଲ, ବେଆଇନ ନିର୍ମାଣ ସହିତ ପ୍ରଦୂଷଣ ପ୍ରମୁଖ ସମସ୍ୟା ରହିଛି। ଏହି ସବୁ କାରଣରୁ ପୁରୀ ସହରରେ ଭୂତଳ ଜଳସ୍ତର ହ୍ରାସ ପାଉଛି। ଭୂତଳ ଜଳସ୍ତର ହ୍ରାସ ସାଙ୍ଗକୁ ସମୁଦ୍ର କୂଳ ଅଞ୍ଚଳ ଭୂତଳ ଜଳସ୍ତର ଲୁଣିଆ ହେଉଥିବାରୁ ଗତ ଶୁଣାଣି ବେଳେ ଏନ୍‌ଜିଟି ଅସନ୍ତୋଷ ବ୍ୟକ୍ତ କରିଥିଲେ। ମଧୁରଜଳ ସଂରକ୍ଷଣ ଅଞ୍ଚଳର ସୁରକ୍ଷା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଓଡିଶା ଉପକୂଳ ଅଞ୍ଚଳ ପ୍ରାଧିକରଣ ପକ୍ଷରୁ ମଧୁର ଜଳ ଅଞ୍ଚଳର ସୁରକ୍ଷା ନେଇ ମଧ୍ୟ ବିଜ୍ଞପ୍ତି ଜାରି କରାଯାଇଛି। ଗତ ସେପ୍ଟେମ୍ବର ୧୯ ଶୁଣାଣି ବେଳେ ସମୁଦ୍ର କୂଳଠାରୁ ୨ଶହ ମିଟର ଅଞ୍ଚଳରେ ଭୂତଳ ଜଳ ଉତ୍ତୋଳନ ନ କରିବା ଲାଗି ଏନ୍‌ଜିଟି ପରାମର୍ଶ ଦେଇଥିଲେ। କିନ୍ତୁ ଗତ ୨ତାରିଖର ଶୁଣାଣି ବେଳେ ସିଆରଜେଡ୍‌ ବିଜ୍ଞପ୍ତି-୨୦୧୧ର ୩(୧୧)ଧାରାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri