ମାଟିଆଗୁଣ୍ଡି ପୋକ: ଡେଲାଙ୍ଗ, ସତ୍ୟବାଦୀରେ ସ୍ଥିତି ସଙ୍ଗିନ


ପୁରୀ ଅଫିସ, ୬।୧୧: ଧାନ ଫସଲରେ ମାଟିଆଗୁଣ୍ଡି ପୋକଜନିତ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଧାନକ୍ଷେତରେ ପୋକ ମାଡିବାରେ ଲାଗିଛନ୍ତି। ଜିଲାର ଡେଲାଙ୍ଗ ଏବଂ ସତ୍ୟବାଦୀ ବ୍ଲକ ଅଞ୍ଚଳରେ ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଏହି ଦୁଇ ବ୍ଲକରେ ମାଟିଆଗୁଣ୍ଡି ପୋକଙ୍କୁ ନିୟନ୍ତ୍ରଣ କରାଯାଇପାରି ନ ଥିବା ବେଳେ ପୋକ ଲାଗିଥିବା ଧାନକ୍ଷେତରେ ଆତ୍ମା ପାଣ୍ଠିରୁ କୀଟନାଶକ କିଣି ସିଞ୍ଚନ କରିବାକୁ କୃଷି ବିଭାଗକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଡେଲାଙ୍ଗ ବ୍ଲକରେ ଏକ କଣ୍ଟ୍ରୋଲ ରୁମ୍‌ ଖୋଲିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଅତିରିକ୍ତ ଜିଲାପାଳ ଓ କୃଷି ବିଭାଗର ବରିଷ୍ଠ ଅଧିକାରୀ ଡେଲାଙ୍ଗ ଯାଇ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଏହାସହିତ ଡେଲାଙ୍ଗରେ ଚାଷୀଙ୍କୁ ନେଇ ଏକ ସଚେତନତା ସଭା ମଧ୍ୟ କରାଯାଇଛି। ମଙ୍ଗଳବାର କୃଷି ବିଭାଗର ବରିଷ୍ଠ ଅଧିକାରୀମାନେ ସତ୍ୟବାଦୀ ବ୍ଲକ କ୍ଷେତ୍ର ପରିଦର୍ଶନରେ ଯିବେ ବୋଲି ଜଣାପଡିଛି। ପୁରୀ ଜିଲା ଡେଲାଙ୍ଗ ବ୍ଲକର କୋଠବାଡ, ସୁଜନପୁର ଏବଂ ଅରିଶଲ ଗ୍ରାମ ପଞ୍ଚାୟତର ୭ଟି ଗାଁର ଜମି ମାଟିଆଗୁଣ୍ଡି ପୋକ ଦ୍ୱାରା ବେଶିମାତ୍ରାରେ ପ୍ରଭାବିତ ହୋଇଛି। ଉକ୍ତ ଅଞ୍ଚଳର ୩୩ ହେକ୍ଟର ଜମି ମାଟିଆଗୁଣ୍ଡି ପୋକ ତଥା ଚକଡା ପୋକ ଦ୍ୱାରା ପ୍ରଭାବିତ ହୋଇଥିବା କୃଷି ବିଭାଗ ରିପୋର୍ଟ କରିଛି। କିନ୍ତୁ ବାସ୍ତବରେ ଶହେ ହେକ୍ଟରରୁ ଅଧିକ ଜମିରେ ଗୁଣ୍ଡିପୋକ ଲାଗିଛନ୍ତି। ସେହିପରି ସତ୍ୟବାଦୀ ବ୍ଲକ ପେଣ୍ଠପଡା ଗ୍ରାମର ଧାନ ଫସଲ ବେଶି ପ୍ରଭାବିତ ହୋଇଛି। ଡେଲାଙ୍ଗ ବ୍ଲକରେ ସୋମବାର ଜିଲାସ୍ତରୀୟ ଜନଶୁଣାଣି ହୋଇଥିଲା। ସେଥିରେ ଜିଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ଜିଲାର ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ। ସେଠାରେ ଚାଷୀମାନେ ମାଟିଆଗୁଣ୍ଡି ପୋକ ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଅତିରିକ୍ତ ଜିଲାପାଳ ବିଭୂତି ଭୂଷଣ ଦାସ, କୃଷି ଉପନିର୍ଦ୍ଦେଶକ ଏସ୍‌. ଚନ୍ଦ୍ରଶେଖର ରାଓ, ଜିଲା ଜରୁରିକାଳନୀ ଅଧିକାର ପ୍ରସନ୍ନ ଦାସ ଏବଂ କୃଷି ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଡେଲାଙ୍ଗର ପ୍ରଭାବିତ ୭ଟି ଗ୍ରାମର ଧାନ କ୍ଷେତ ବୁଲି ଦେଖିଛନ୍ତି। ଅପରାହ୍ନରେ ଡେଲାଙ୍ଗରେ ଉପଜିଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚାଷୀଙ୍କୁ ପୋକ ନିୟନ୍ତ୍ରଣ ସଂକ୍ରାନ୍ତରେ ସଚେତନ କରାଯାଇଛି। ପୋକ ଲାଗିଥିବା ଜମିରୁ ପାଣି କାଟିବାକୁ ପରାମର୍ଶ ଦିଆଯାଇଛି। ଧାନଗଛ ମୂଳରେ ଯେପରି ସୂର୍ଯ୍ୟ ଆଲୋକ ପଡିବ ସେନେଇ ବ୍ୟବସ୍ଥା କରିବାକୁ ଚାଷୀଙ୍କୁ କୁହାଯାଇଛି। ବିଶେଷକରି ଏହି ପୋକ ଗଛର ମୂଳରେ ରହୁଥିବାରୁ ସେଠାରେ କୀଟନାଶକ ପକାଇବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି। ଡେଲାଙ୍ଗ ବ୍ଲକର ପ୍ରତି ଗାଁରେ ମାଇକରେ ପ୍ରଚାର କରି ଚାଷୀଙ୍କୁ ସଚେତନ କରିବାକୁ ଉପଜିଲାପାଳ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସଚେତନତା କାର୍ଯ୍ୟକ୍ରମରେ କୃଷି ଉପନିର୍ଦ୍ଦେଶକ, କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ସଞ୍ଜୟ ମହାନ୍ତି, ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ, ବେନୁପଡା ସରପଞ୍ଚ, ପାଣି ପଞ୍ଚାୟତର ଅଗ୍ରଣୀ ଚାଷୀ ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ କୃଷି ଉପନିର୍ଦ୍ଦେଶକ ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ, ଡେଲାଙ୍ଗ ଏବଂ ସତ୍ୟବାଦୀ ବ୍ଲକର ପୋକ ଲାଗିଥିବା ଜମିଗୁଡିକରେ ଆତ୍ମା ପାଣ୍ଠିରୁ କୀଟନାଶକ କିଣାଯାଇ ମାଗଣାରେ ପକାଇବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାରଠାରୁ ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟରେ ୧୫ଦିନ ପାଇଁ ଏକ କଣ୍ଟ୍ରୋଲ ରୁମ୍‌ ଖୋଲାଯିବ। ଗାଁ ଗାଁରେ ମାଇକରେ ପ୍ରଚାର କରାଯାଇ ରୋଗପୋକ ନିୟନ୍ତ୍ରଣ ସମ୍ପର୍କରେ ଚାଷୀଙ୍କୁ ସଚେତନ କରାଯିବ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri