ସେବାୟତଙ୍କ ପାଇଁ ସ୍ବତନ୍ତ୍ର ମୋବାଇଲ: ଦେଢ଼ମାସ ପରେ ବି କାର୍ଯ୍ୟକାରୀ ହେଲାନି


ପୁରୀ ଅଫିସ, ୬।୧୧: ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀ ମନ୍ଦିର ଭିତରକୁ ସ୍ମାର୍ଟଫୋନ ନେଇ ଯାଇପାରିବେ ନାହିଁ। କେବଳ ସାଧାରଣ ମୋବାଇଲ ଫୋନ ନେଇଯିବେ। ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ଏହି କଟକଣା ଲଗାଇଥିଲା। ସେବାୟତ ଏବଂ କର୍ମଚାରୀ ଯେଉଁ ମୋବାଇଲ ବ୍ୟବହାର କରିବେ ସେଥିରେ ସ୍ବତନ୍ତ୍ର ଲୋଗୋ ରହିବ। ଫଳରେ ସେମାନଙ୍କୁ ଚିହ୍ନଟ କରିବା ସହଜ ହେବ। ଗତ ସେପ୍ଟେମ୍ବର ୨୦ରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ହେଲେ ଇତିମଧ୍ୟରେ ଦେଢ ମାସ ବିତିଯାଇଥିଲେ ବି ଏହା କାର୍ଯ୍ୟକାରୀ ହେଲା ନାହିଁ। ଏବେ ବି ସେବାୟତ ଓ କର୍ମଚାରୀ ସ୍ମାର୍ଟଫୋନ ନେଇଯାଉଛନ୍ତି। ଶ୍ରୀମନ୍ଦିର ଭିତରେ ସେଲ୍‌ଫି ଉଠାଇ ଏହାକୁ ସୋସିଆଲ ମିଡିଆରେ ଅପ୍‌ଲୋଡ କରିବା ଘଟଣାକୁ ଗୁରୁତର ସହ ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ। ଛତିଶା ନିଯୋଗ ବୈଠକରେ ଏହାକୁ ନେଇ କିଛି ସମୟ ସରଗରମ ଆଲୋଚନା ହୋଇଥିଲା। ବୈଠକ ଶେଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ଗଣମାଧ୍ୟମକୁ କହିଥିଲେ, ଯେହେତୁ ସେବାୟତମାନେ ୧୦ରୁ ୧୨ ଘଣ୍ଟା ମନ୍ଦିରରେ ରହୁଛନ୍ତି ତେଣୁ ସେମାନଙ୍କ ପାଖରେ ମୋବାଇଲ ଫୋନ ରହିବା ଆବଶ୍ୟକତା ଅଛି। ଏହାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇପାରିବ ନାହିଁ। କିନ୍ତୁ ସେବାୟତ ଓ କର୍ମଚାରୀ କେଉଁ ଧରଣର ମୋବାଇଲ ଫୋନ ଭିତରକୁ ନେବେ ସେ ନେଇ ଏକ ମୋବାଇଲ ଅପରେଟରଙ୍କ ସହିତ କଥାବାର୍ତ୍ତା କରାଯିବ। ଏଥିସହ ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀଙ୍କୁ ନେଇ ସିୟୁଜି (କ୍ଲୋଜଡ୍‌ ୟୁଜର ଗ୍ରୁପ୍‌) ମଧ୍ୟ କରିବାକୁ ଚିନ୍ତା କରାଯାଉଛି। ସେବାୟତ ଓ କର୍ମଚାରୀ କିଭଳି ସାଧାରଣ ଫୋନ (କ୍ୟାମେରା କିମ୍ବା ଇଣ୍ଟରନେଟ୍‌ ସୁବିଧା ନ ଥିବ) ବ୍ୟବହାର କରିବେ ସେ ନେଇ ପ୍ରାଥମିକ ଆଲୋଚନା କରାଯାଇଛି। ଜିଲାପାଳ, ଏସ୍‌ପି ଏବଂ କେତେଜଣ ସେବାୟତ ମିଶି ମୋବାଇଲ କମ୍ପାନୀ ସହ ଆଲୋଚନା କରିବେ। ଏହାପରେ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଥିଲେ। ଇତିମଧ୍ୟରେ ଦେଢମାସ ଅତିକ୍ରାନ୍ତ କରିଛି। ହେଲେ ଏ ପର୍ଯ୍ୟନ୍ତ ସେବାୟତଙ୍କୁ ସାଧାରଣ ଫୋନ ଯୋଗାଇ ଦିଆଯାଇ ନାହିଁ। ଫଳରେ ଏବେ ବି ଅଧିକାଂଶ ସେବାୟତ ଓ କର୍ମଚାରୀ ସ୍ମାର୍ଟଫୋନ ନେଇ ଶ୍ରୀମନ୍ଦିର ଭିତରକୁ ଯାଉଛନ୍ତି। ଅନ୍ୟପକ୍ଷରେ ଗତ ସପ୍ତାହରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଇଟି ବିଭାଗର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଏବଂ ଜିଲା ଟେଲିକମ୍‌ ମ୍ୟାନେଜରଙ୍କ ସହ ଏ ନେଇ ଆଲୋଚନା କରିଥିଲେ। ଖୁବ୍‌ଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri