୨୭ ଆଦର୍ଶ ସ୍ମାରକର ବିକାଶ ଯୋଜନା: ସୂର୍ଯ୍ୟ ମନ୍ଦିରରେ ହେବ ଅତ୍ୟାଧୁନିକ ବ୍ୟବସ୍ଥା


ପୁରୀ ଅଫିସ, ୫।୧୧: କେନ୍ଦ୍ର ସରକାରଙ୍କ ଆଦର୍ଶ ସ୍ମାରକରେ ରହିଛି ଦେଶର ୨୭ଟି ଐତିହ୍ୟ। ଏଥିମଧ୍ୟରେ ଓଡ଼ିଶାର କୋଣାର୍କ ସୂର୍ଯ୍ୟ ମନ୍ଦିର ସ୍ଥାନ ପାଇଛି। ଏହି ଆଦର୍ଶ ସ୍ମାରକଗୁଡ଼ିକରେ ପର୍ଯ୍ୟଟକଙ୍କ ଲାଗି ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ ହେବ। ଏଥିପାଇଁ କେନ୍ଦ୍ର ସରକାର ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଏହି ଯୋଜନାରେ ଯେଉଁସବୁ କାମ ହେବ ତାହାକୁ ତଦାରଖ କରିବେ ଏଏସ୍‌ଆଇର ଜଣେ କେନ୍ଦ୍ରୀୟ ଅଧିକାରୀ। କୋଣାର୍କ ସୂର୍ଯ୍ୟମନ୍ଦିର ଲାଗି ନୋଡାଲ ଅଫିସର ଭାବେ ଏଏସ୍‌ଆଇ ଦିଲ୍ଲୀର ସଂରକ୍ଷଣ ନିର୍ଦ୍ଦେଶକ ଆର୍‌.ଏସ୍‌. ଜାମୁଏଲଙ୍କୁ ନିଯୁକ୍ତି କରାଯାଇଥିବା ଜଣାପଡିଛି। କେନ୍ଦ୍ରର ଏହି ନିଷ୍ପତ୍ତି ପରେ ଏଏସ୍‌ଆଇ ଭୁବନେଶ୍ୱର ସର୍କଲ ପକ୍ଷରୁ ହେବାକୁ ଥିବା କାର୍ଯ୍ୟ ପାଇଁ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତି କରାଯାଇଛି। ପର୍ଯ୍ୟାୟକ୍ରମେ ଏଗୁଡ଼ିକ କରାଯିବ ବୋଲି ବିଭାଗୀୟ ଜଣେ ବରିଷ୍ଠ ଅଧିକାରୀଙ୍କଠାରୁ ସୂଚନା ମିଳିଛି। ଆଦର୍ଶ ସ୍ମାରକର ସୌନ୍ଦର୍ଯ୍ୟକରଣ ପାଇଁ ଗାର୍ଡେନ କରାଯିବ। ସେଥିରେ ସ୍ଥାନୀୟ କଳା, ସଂସ୍କୃତିର ଝଲକ ମଧ୍ୟ ସ୍ଥାନ ପାଇବ। ପାଦଚଲା ରାସ୍ତା ସାଙ୍ଗକୁ ଏଥିରେ ଭିନ୍ନକ୍ଷମଙ୍କ ସହଜ ଭ୍ରମଣ ପାଇଁ ସୁବିଧା ରହିବ। ପରିଷ୍କାର ପ୍ରତି ଗୁରୁତ୍ୱ ଦିଆଯିବ। ପର୍ଯ୍ୟଟକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଠାରେ ଫୁଡ୍‌କୋର୍ଟ ଖୋଲାଯିବାର ପ୍ରସ୍ତାବ ରହିଛି। ଯଦି ଉକ୍ତ ଐତିହ୍ୟ ପରିସରରେ ପୂର୍ବରୁ ଗାର୍ଡେନ ଥାଏ ତେବେ ଏହାର ବିକାଶ କରାଯିବ। ଐତିହ୍ୟ ସମ୍ପର୍କରେ ପର୍ଯ୍ୟଟକଙ୍କୁ ଅବଗତ କରାଇବା ଲାଗି ବିଭିନ୍ନ ସ୍ଥାନରେ ସୂଚନା ଫଳକ ଲାଗିବ। ପୂର୍ବରୁ ଏଣେତେଣେ ଲାଗିଥିବା ସୂଚନା ଫଳକଗୁଡ଼ିକୁ ହଟାଯାଇ ଏକପ୍ରକାର ଫଳକ ଲାଗିବ। ଐତିହ୍ୟ ସହ ସାମଞ୍ଜସ୍ୟ ରହିଥିବା ଡିଜାଇନରେ ଏହାକୁ ତିଆରି କରାଯିବ। ଏହି ସୂଚନା ଫଳକରେ ତିନୋଟି ଭାଷାରେ (ହିନ୍ଦୀ, ଇଂଲିଶ ଓ ଆଞ୍ଚଳିକ) ଲେଖାଯିବ। ସେହିପରି ପର୍ଯ୍ୟଟକଙ୍କ ବସିବା ଲାଗି ବେଞ୍ଚ ପକାଯିବ। ବିଶେଷକରି ଭିନ୍ନକ୍ଷମଙ୍କ ଲାଗି ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ସେମାନଙ୍କ ଲାଗି ର଼୍ୟାମ୍ପ ବ୍ୟବସ୍ଥା ହେବ। ଶୌଚାଳୟ ଏବଂ ପାନୀୟଜଳ ବ୍ୟବସ୍ଥା ନିଶ୍ଚିତ ରହିବ। ପୂର୍ବରୁ ଥିଲେ ତାହାର ବିକାଶ କରାଯିବ। ଶୌଚାଳୟ କାନ୍ଥରେ ଐତିହ୍ୟର ଛିଟା ରହିବ। ଭିନ୍ନକ୍ଷମଙ୍କ ଲାଗି ଉଦ୍ଦିଷ୍ଟ ପରିଶ୍ରାଗାର ଭିତରକୁ ହ୍ବିଲ ଚେୟାର ଯିବାଭଳି ବ୍ୟବସ୍ଥା କରାଯିବ। ସେଥିରେ ଠିକ୍‌ ଭାବେ ବାୟୁ ଚଳାଚଳ ପ୍ରତି ମଧ୍ୟ ଧ୍ୟାନ ଦିଆଯିବ। ଶୌଚାଳୟରେ ୨୪ ଘଣ୍ଟିଆ ପାଣି ସୁବିଧା ସାଙ୍ଗକୁ ହାତ ପରିଷ୍କାର ପାଇଁ ଲକ୍ୟୁଇଡି ଓ ସାବୁନ ରଖାଯିବ। ହାତ ଶୁଖାଇବା ପାଇଁ ମଧ୍ୟ ମେଶିନ ଲାଗିବ। ଐତିହ୍ୟସ୍ଥଳ ପରିସରରେ ଏକ ବ୍ୟାଖ୍ୟାନ କେନ୍ଦ୍ର ରହିବ। ଏଠାରେ ଆଦର୍ଶ ସ୍ମାରକ ସମ୍ପର୍କରେ ସମସ୍ତ ସୂଚନା ଓ ପତ୍ରିକା ଉପଲବ୍ଧ ହେବ। ପର୍ଯ୍ୟଟକ ଲଗେଜ ରଖିବା ପାଇଁ ସୁବିଧା ରହିବ। ଟିକେଟ କାଉଣ୍ଟରର ଆଧୁନିକୀକରଣ ହେବ। ପର୍ଯ୍ୟଟକଙ୍କ ଲାଗି ୩୦ ମିନିଟର ମାଗଣା ୱାଇଫାଇ ସୁବିଧା ରହିବ ବୋଲି ଯୋଜନାରେ ବ୍ୟବସ୍ଥା ରହିଛି। ତେବେ ସୂଚନାନୁଯାୟୀ, ସୂର୍ଯ୍ୟ ମନ୍ଦିର ପରିସରରେ ଦୁଇବର୍ଷ ହେଲା ଅଧଘଣ୍ଟା ୱାଇଫାଇ ସେବା ମାଗଣାରେ ମିଳୁଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri