ମାଲଖାନା ମାଲ୍‌ ଗାଏବ: ଥାନାରୁ ଚୋରି, ପୋଲିସ ଅଭିଯୁକ୍ତ


କଟକ ଅଫିସ, ୫।୧୧(କାହ୍ନୁଚରଣ ଦଳାଇ)- ଅସୁରକ୍ଷିତ ଥାନା ମାଲଖାନା। ଥାନାରେ ସିସି କ୍ୟାମେରା ଲାଗିଛି। ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବାବୁମାନେ କାର୍ଯ୍ୟ କରୁଛନ୍ତି। ହେଲେ ଥାନାରୁ କେତେବେଳେ ଜବତ ଗାଡ଼ି ଚୋରି ହୋଇଯାଉଛି ତ ଆଉ କେତେବେଳେ ଜବତ ଗଞ୍ଜେଇ ଗାଏବ ହୋଇଯାଉଛି। ପୋଲିସ ନିଜେ ଅଭିଯୁକ୍ତ ସାଜୁଛି। ବିଭାଗୀୟ ଭାବମୂର୍ତ୍ତିକୁ ବଞ୍ଚାଇବାକୁ ଯାଇ ଘଟଣାକୁ ବଡବାବୁମାନେ ଚପାଇ ଦେଉଛନ୍ତି। ମାଲଖାନାରେ ଥିବା ଜବତ ସାମଗ୍ରୀ ଉପଯୁକ୍ତ ଭାବେ ଗଚ୍ଛିତ ରହିଛି କି ନାହିଁ ତା’ର ଠିକ୍‌ ସମୀକ୍ଷା କରାଯାଉ ନାହିଁ। ଅପରପକ୍ଷରେ କେତେକ କ୍ଷେତ୍ରରେ ପୋଲିସ ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେବାକୁ ଯାଇ ପ୍ରମାଣକୁ ନଷ୍ଟ କରିବା ନିମନ୍ତେ ଜବତ ସାମଗ୍ରୀକୁ ମାଲଖାନାରୁ ଜାଣିଶୁଣି ଗାଏବ କରିଦେଉଛି ବୋଲି ସଙ୍ଗିନ ଅଭିଯୋଗ ହେଉଛି। ବିଭିିନ୍ନ ଅପରାଧରେ ଜବତ ହେଉଥିବା ସାମଗ୍ରୀଗୁଡ଼ିକୁ ଯେଉଁଠି ରଖାଯାଏ ତାହାକୁ ଥାନାର ମାଲଖାନା କୁହାଯାଇଥାଏ। ସୁନା ରୁପାଠାରୁ ଆରମ୍ଭ କରି ଟଙ୍କା, ଅସ୍ତ୍ରଶସ୍ତ୍ର, ମଦ, ଗାଡ଼ି ଓ ଅନ୍ୟାନ୍ୟ ସାମଗ୍ରୀ ମାଲଖାନାରେ ରଖାଯାଏ। ହେଲେ କମିଶନରେଟ ଅଞ୍ଚଳରେ ଜବତ ସାମଗ୍ରୀ ରଖିବା ପାଇଁ ଅଧିକାଂଶ ଥାନାରେ ମାଲଖାନା ବ୍ୟବସ୍ଥା ନାହିଁ। ଯେଉଁଥିପାଇଁ ଥାନା ପଛପଟେ କିମ୍ବା ସମ୍ମୁଖରେ ଜବତ ଗାଡି ଓ ଅନ୍ୟାନ୍ୟ ସାମଗ୍ରୀ ଖରାବର୍ଷା ଶୀତକାକରରେ ପଡ଼ି ରହି ଖତ ଖାଉଛି। ଟଙ୍କା, ସୁନା ଓ ଅନ୍ୟାନ୍ୟ ସାମଗ୍ରୀକୁ ଥାନାର ମହିଳା ହାଜତ ଭିତରେ ତାଲା ପକାଇ ରଖାଯାଉଛି। ଏହିଭଳି ଭାବେ ଚାଲିଥିବା ଥାନାଗୁଡିକ ହେଉଛି ବାଦାମବାଡ଼ି, କ୍ୟାଣ୍ଟନମେଣ୍ଟ, କଟକ ସଦର, ଚୌଦ୍ୱାର, ଜଗତପୁର ଓ ପୁରୀଘାଟ। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଅନେକ ସମୟରେ ହଟଚମଟ ଲାଗି ରହୁଛି। ଏହିକ୍ରମରେ କେତେକ ଘଟଣାବଳୀ ଉପରେ ନଜର ପକାଇଲେ ଜଣାଯାଏ ଯେ, ୨୦୧୪ ମେ ୨ରେ ଜଗତପୁର ଥାନାରୁ ଏକ ବୋଲେରୋ ଚୋରି ହୋଇଯାଇଥିଲା। ଉକ୍ତ ଗାଡିଟି ପୂର୍ବରୁ ଚୋରି ହୋଇଥିଲା। ତାହାକୁ ଜବତ କରି ପୋଲିସ ଥାନାକୁ ଆଣିଥିଲା। ମାତ୍ର ଥାନାରୁ ପୁନର୍ବାର ଗାଡିଟି ଚୋରି ହୋଇଯିବା ପରେ ଥାନାର କର୍ମଚାରୀଙ୍କ ଉପରେ ନାନା ପ୍ରଶ୍ନ ଉଠିଥିଲା। ଶେଷରେ ଜଣାପଡିଥିଲା ଯେ, ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ଼ ଚୋରିର କାର୍ପଟଦାର ଥିଲେ। ହୋମଗାର୍ଡଙ୍କ ସମେତ ୫ଜଣଙ୍କ ବିରୋଧରେ ଥାନାରେ ଏକ ମାମଲା(ନଂ ୧୨୦/୨୦୧୪) ରୁଜୁ ହୋଇଥିଲା। ଗତ ମେ ୭ ତାରିଖରେ ଜିଆରପି ଥାନାରେ ଘଟିଥିଲା ଆଉ ଏକ ଚାଞ୍ଚଲ୍ୟକର ଘଟଣା। କଟକ ରେଳଷ୍ଟେଶନ ପ୍ଲାଟଫର୍ମରୁ ଜିଆରପି ପୋଲିସ ୭ କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିଲା। ମାତ୍ର ପରଦିନ ଥାନାରୁ ତାହା ଗାଏବ ହୋଇଯାଇଥିଲା। ଏହି ଘଟଣାରେ ଜିଆରପି ଥାନାଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। ଉକ୍ତ ଦୁଇଟି ଘଟଣା ସ୍ପଷ୍ଟ କରୁଛି ଯେ, ଥାନା ଭିତରୁ ଜବତ ସାମଗ୍ରୀଗୁଡ଼ିକୁ ଗାଏବ କରିବା ପଛରେ ପୋଲିସର ହାତ ରହୁଛି। ଘଟଣା ସମ୍ପର୍କରେ ଅବସରପ୍ରାପ୍ତ ପୋଲିସ ଡିଜି ଗୋପାଳଚନ୍ଦ୍ର ନନ୍ଦଙ୍କ କହିବା ଅନୁଯାୟୀ, ସିନିୟର ଅଫିସରମାନେ ନିୟମିତ ମାଲଖାନାକୁ ସମୀକ୍ଷା କରିବା କଥା। ଥାନାର ଜଣେ ବରିଷ୍ଠ ସବ୍‌ଇନ୍ସପେକ୍ଟର ଏହି ମାଲଖାନା ଦାୟିତ୍ୱରେ ରୁହନ୍ତି। କିନ୍ତୁ ମାଲଖାନାରେ ସାମଗ୍ରୀଗୁଡ଼ିକ ଅସୁରକ୍ଷିତ ଭାବେ ରଖାଯାଉଥିବାବେଳେ ତଦାରଖ ଅଭାବରୁ ଏଭଳି ପରିସ୍ଥିତି ଉପୁଜୁଛି। ଅନେକ କ୍ଷେତ୍ରରେ ଜବତ ସାମଗ୍ରୀ ମାଲଖାନାରେ ନଷ୍ଟ ହୋଇଯାଇଥିବାରୁ ଅଭିଯୁକ୍ତମାନଙ୍କ ବିରୋଧରେ ଆବଶ୍ୟକ ପ୍ରମାଣ ରହୁନାହିଁ। ଯେଉଁଥିପାଇଁ ପ୍ରମାଣ ଅଭାବରୁ ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖସି ଯାଉଛନ୍ତି। ପୁରୁଣା ଅମଳର ଥାନାଗୁଡ଼ିକରେ ମାଲଖାନା ଘର ନାହିଁ। କିନ୍ତୁ ନୂତନ ଥାନା ଗୁଡ଼ିକରେ ଏହି ବ୍ୟବସ୍ଥା କରାଯାଉଛି ବୋଲି ନନ୍ଦ କହିଛନ୍ତି। ଡିସିପି ଅଖିଳେଶ୍ୱର ସିଂଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସେମିତି କୌଣସି ଅଭିଯୋଗ ଆସିନାହିଁ। ଯଦି ଅଭିଯୋଗ ଆସେ ମାଲଖାନା ଦାୟିତ୍ୱରେ ଥିବା ଅଫିସର ଓ ଆଇଆଇସିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟକ ପଡ଼ିଲେ ମାଲଖାନା ଦାୟିତ୍ୱରେ ଥିବା ଅଫିସରଙ୍କଠାରୁ ଗାଏବ ସାମଗ୍ରୀର ମୂଲ୍ୟ ଭରଣା କରାଯିବ ବୋଲି କହିଥିଲେ। ଏ ସମ୍ପର୍କରେ ସାମାଜିକ କର୍ମୀ ସୁକାନ୍ତ ସେଠୀ କୁହନ୍ତି ଡାହାଣୀ ହୋଇ ଏମାନେ ଲାଗୁଛନ୍ତି ଆଉ ଗୁଣିଆ ହୋଇ ଝାଡୁଛନ୍ତି। ପୋଲିସ ଯଦି ଚୋରି କରିବ ତେବେ ତାକୁ ଧରିବ କିଏ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri