ଭୁବନେଶ୍ୱର ଟ୍ରାଫିକ୍‌ ପୋଲିସର ମନମାନି: ସମ୍ପର୍କୀୟଙ୍କୁ ଛାଡ, ଅନ୍ୟଙ୍କୁ ଜରିମାନା


ଭୁବନେଶ୍ୱର, ୫।୧୧(ବ୍ୟୁରୋ)- ଭୁବନେଶ୍ୱରର କମିଶନରେଟ ଟ୍ରାଫିକ ପୋଲିସ କର୍ମଚାରୀମାନେ କିପରି ଡ୍ୟୁଟି ସମୟରେ ମନମାନି କରୁଛନ୍ତି ତାହା ରବିବାର ଦେଖିବାକୁ ମିଳିଛି ଏଜି ଛକରେ। ବିନା ହେଲ୍‌ମେଟରେ ଯାଉଥିବା ବାଇକ୍‌ ଆରୋହୀମାନଙ୍କୁ ଅଟକାଇ ୫୦୦ ଟଙ୍କା ଲେଖାଏ ଜରିମାନା ଆଦାୟ କରାଯାଉଥିବାବେଳେ ନିଜ ସମ୍ପର୍କୀୟଙ୍କୁ ଛାଡ଼ି ଦିଆଯାଉଥିଲା। ଗତ ସପ୍ତାହରେ ଜଣେ ଖବରଦାତାଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତ ଟ୍ରାଫିକ୍‌ କନଷ୍ଟେବଳ ପ୍ରଭାତ ସାହୁ ନିଜ ସମ୍ପର୍କୀୟ ଏବଂ ଚିହ୍ନା ପରିଚିତଙ୍କୁ ଏଭଳି ଅନୁକମ୍ପା ଦେଖାଇଥିଲେ। ତାଙ୍କ ଅନ୍ୟ ସହକର୍ମୀମାନେ ମଧ୍ୟ ସହଯୋଗ କରୁଥିଲେ। ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଭୁବନେଶ୍ୱରରେ ପୋଲିସ କର୍ମଚାରୀମାନେ କିପରି କ୍ଷମତାର ଅପବ୍ୟବହାର କରୁଛନ୍ତି ତାହା ପଦାକୁ ଆସିଛି। ରବିବାର ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଏଜି ଛକରେ ପୋଲିସ ଏବଂ ଟ୍ରାଫିକ ପୋଲିସ ପକ୍ଷରୁ ହେଲ୍‌ମେଟ୍‌ ଯାଞ୍ଚ କରାଯାଉଥିଲା। ବିନା ହେଲ୍‌ମେଟରେ ଯାଉଥିବା ବାଇକ ଆରୋହୀଙ୍କୁ କର୍ମଚାରୀମାନେ ଧରି ୫୦୦ ଟଙ୍କା ଲେଖାଏ ଜରିମାନା ଆଦାୟ କରୁଥିଲେ। ଏହି ସମୟରେ ଜଣେ ସ୍କୁଟି ଆରୋହୀ ହାବୁଡ଼ରେ ପଡ଼ିଥିଲେ। ତେବେ ସେଠାରେ ଥିବା ଜଣେ କନଷ୍ଟେବଳ ତାଙ୍କର ଚିହ୍ନା ପରିଚିତ ଥିଲେ। ପରେ କନଷ୍ଟେବଳ ଜଣକ ତାଙ୍କୁ ତାଙ୍କ ସ୍କୁଟି ପଛରେ ବସାଇ କିଛିବାଟ ଆଗକୁ ନେଇ ଛାଡ଼ିଦେଇଥିଲେ। ସେହି ସମୟରେ ଟ୍ରାଫିକ୍‌ କନଷ୍ଟେବଳ ପ୍ରଭାତ ସାହୁ ଉକ୍ତ ସ୍କୁଟିକୁ ବାଟ କଢ଼ାଇ ଦେଇଥିଲେ। ସେଠାରେ ଉପସ୍ଥିତ ଟ୍ରାଫିକ୍‌ ଏଏସ୍‌ଆଇ ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ପ୍ରତିବାଦ କରି ନ ଥିଲେ। ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ଟ୍ରାଫିକ କନଷ୍ଟେବଳ ପ୍ରଭାତ ଜଣେ ଖବରଦାତା ସୁନିତ ମିଶ୍ରଙ୍କୁ ଉକ୍ତ ଟ୍ରାଫିକ ପୋଷ୍ଟରେ ମାଡ଼ ମାରିବା ସହ ଜଣେ ମହିଳା ଖବରଦାତାଙ୍କୁ ଅସଦାଚରଣ କରିଥିଲେ। ଏ ନେଇ ତାଙ୍କ ନାମରେ ଥାନାରେ ୨ଟି ମାମଲା ରୁଜୁ ହୋଇଛି। ରବିବାର ଘଟଣା ସମ୍ପର୍କରେ ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି, ଏହାର ତଦନ୍ତ କରାଯିବ। ଭିଡିଓ ଦେଖିବାପରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri