୧୫ ବର୍ଷ ପରେ ବିସ୍ଥାପିତଙ୍କୁ ନ୍ୟାୟ


କଟକ ଅଫିସ, ୪।୧୧-ରାସ୍ତା ପାଇଁ ଜମି ହରାଇଥିବା ଗଞ୍ଜାମ ଜିଲାର ବିସ୍ଥାପିତଙ୍କ କ୍ଷତିପୂରଣ ରାଶି ଦେଉ ନ ଥିଲା ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନଏଚଏଆଇ)। ଏପରି କି ୧୧ ମାସ ତଳୁ କ୍ଷତିପୂରଣ ରାଶି ମଞ୍ଜୁର ହୋଇଥିଲେ ସୁଦ୍ଧା ମନ୍ଦ ଉଦ୍ଦେଶ୍ୟରେ ସେମାନଙ୍କୁ ପ୍ରଦାନ କରାଯାଉ ନ ଥିଲା। ଆଶ୍ଚର୍ଯ୍ୟର କଥା, କ୍ଷତିପୂରଣ ରାଶି ଯେତିକି ନୁହେଁ, ଏନଏଚଏଆଇ କର୍ତ୍ତୃପକ୍ଷ ମାମଲା ପରିଚାଳନା ନିମନ୍ତେ ସେତିକି ଅର୍ଥ ଖର୍ଚ୍ଚ କରିସାରିଛନ୍ତି। ଏନଏଚଏଆଇ କର୍ତ୍ତୃପକ୍ଷଙ୍କ ଏଭଳି ମନ୍ଦ ଉଦ୍ଦେଶ୍ୟକୁ ନେଇ ହାଇକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି। ବିସ୍ଥାପିତମାନଙ୍କୁ ଅତିରିକ୍ତ କ୍ଷତିପୂରଣ ଓ ୧୨ ପ୍ରତିଶତ ସୁଧ ସହ ୯୬ ଲକ୍ଷ ୯୬୯୯ ଟଙ୍କା ପ୍ରଦାନ କରିବାକୁ ଏନଏଚଏଆଇ କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ ଗତ ୧ ତାରିଖରେ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ସୁବାସ ଚନ୍ଦ୍ର ପରିଜା ଓ ବିଚାରପତି ଦେବବ୍ରତ ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଯୋଗୁ ବିସ୍ଥାପିତମାନେ ୧୫ ବର୍ଷ ପରେ ନ୍ୟାୟ ପାଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ, ଗଞ୍ଜାମ ଜିଲାରେ ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ କରାଯାଇଥିଲା। ୨୦୦୨ରେ ଏହି ଜମି ଅଧିଗ୍ରହଣରେ ଉକ୍ତ ଜିଲାର ପଥରକଟା, ଡିମିରିଆ, ସୁବଳିଆ, ଲଙ୍ଗେଶ୍ୱର, ବିକ୍ରମପୁର, ନଗରଡିହ ପାଟଣା, ଏଜିପୁଟ, ହରିଡାମୂଳ, ମୋହନପୁର, ତେଲିଡିହ, ନିକରଡା ଗ୍ରାମର ବିସ୍ଥାପିତମାନେ ଜମି ହରାଇଥିଲେ। ଉକ୍ତ ବିସ୍ଥାପିତମାନଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ବଜାରମୂଲ୍ୟ ଅନୁଯାୟୀ କ୍ଷତିପୂରଣ ଦେବାକୁ ଜମି ଅଧିଗ୍ରହଣ ଦାୟିତ୍ୱରେ ଥିବା ଅଧିକାରୀ ବିଜ୍ଞପ୍ତିରେ ଦର୍ଶାଇଥିଲେ। ଏ ସଂକ୍ରାନ୍ତରେ ଜମିର ମୂଲ୍ୟ, ଗଛ, ଘର ଆଦି ମୂଲ୍ୟାୟନ କରାଯାଇଥିଲା। କିନ୍ତୁ ବିସ୍ଥାପିତମାନଙ୍କୁ କ୍ଷତିପୂରଣ ରାଶି ମିଳି ନ ଥିଲା। ଏଣୁ ତାପସ କୁମାର ଦାସଙ୍କ ସମେତ ୧୮ ଜଣ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୧୨ରେ ହାଇକୋର୍ଟ ମୂଲ୍ୟାୟନ ଅନୁଯାୟୀ ବଜାରମୂଲ୍ୟ ହିସାବରେ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଜମି ଅଧିଗ୍ରହଣ ନିମନ୍ତେ ପ୍ରାଧୀକୃତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ପ୍ରାଧୀକୃତ ଅଧିକାରୀ ମୂଲ୍ୟାୟନ ରିପୋର୍ଟ ଠିକ ନ ଥିବା ଦର୍ଶାଇ ବିସ୍ଥାପିତମାନଙ୍କ ଦରଖାସ୍ତକୁ ଅଗ୍ରାହ୍ୟ କରିଦେଇଥିଲେ। ପୁନଶ୍ଚ ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କାହିଁକି କ୍ଷତିପୂରଣ ରାଶି ପ୍ରଦାନ କରାଯିବାରେ ବିଳମ୍ବ କରାଯାଇଛି ସେ ନେଇ ଏନଏଚଏଆଇର ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଜବାବ ଦାଖଲ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆଞ୍ଚଳିକ ନିର୍ଦ୍ଦେଶକଙ୍କ ପକ୍ଷରୁ ଏହି କ୍ଷତିପୂରଣ ରାଶି ୨୦୧୬ ଡିସେମ୍ବର ୧୩ରୁ ଏନଏଚଏଆଇର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯାଇଥିବା ଦର୍ଶାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଡଭୋକେଟ ସୁକାନ୍ତ କୁମାର ଦଳେଇ ଯୁକ୍ତି ଉପସ୍ଥାପନ କରି କୋର୍ଟଙ୍କୁ ଦର୍ଶାଇଥିଲେ ଯେ, ଏନଏଚଏଆଇ କର୍ତ୍ତୃପକ୍ଷ ମନ୍ଦ ଉଦ୍ଦେଶ୍ୟ ରଖି ବିସ୍ଥାପିତଙ୍କ ଟଙ୍କାକୁ ପ୍ରଦାନ କରୁନାହାନ୍ତି। ଏହାର ନିରପେକ୍ଷ ତଦନ୍ତ ଓ ତୁରନ୍ତ ଅତିରିକ୍ତ କ୍ଷତିପୂରଣ ସୁଧ ସହ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବାକୁ ଦଳେଇ ହାଇକୋର୍ଟଙ୍କୁ ନିବେଦନ କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri