ଐତିହାସିକ ବାଲିଯାତ୍ରା ଉଦ୍‌ଘାଟିତ: ମହାନଦୀକୁ ନେଇ ଉଦ୍‌ବେଗ


କଟକ ଅଫିସ, ୪।୧୧-ବାଲି ବଢୁଛି ହେଲେ ମହାନଦୀରେ ପାଣି କମୁଛି। ଏ ବର୍ଷ ମହାନଦୀରେ ଯେତିକି ପାଣି ପ୍ରବାହିତ ହେଉଛି, ଆସନ୍ତା ବର୍ଷକୁ ସେତିକି ପାଣି ଉପରମୁଣ୍ଡରୁ ଆସୁଥିବ କି ନାହିଁ ତାହା ସନ୍ଦେହ। ଏବେ ମହାନଦୀ ପ୍ରତି ବିପଦ ଓ ବାଲିଯାତ୍ରା ପ୍ରତି ତାଡନା। ମହାନଦୀକୁ ବଞ୍ଚାଇବାକୁ ପଡ଼ିବ ଓ ବାଲିଯାତ୍ରାକୁ ଜାତୀୟ ଦରବାରରେ ପହଞ୍ଚାଇବାକୁ ପଡିବ। ଏଭଳି ଚିନ୍ତା ପ୍ରକାଶ ପାଇଥିଲା ଇତିହାସ ପ୍ରସିଦ୍ଧ କଟକ ବାଲିଯାତ୍ରାର ଉଦ୍‌ଘାଟନୀ ଉତ୍ସବରେ। ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ନିଚ୍ଛକ ପ୍ରତୀକ ଏହି ବାଲିଯାତ୍ରାକୁ ଶନିବାର ଉଦଘାଟନ କରିଥିଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ଜିଲାପାଳ ସୁଶାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ପ୍ରତିବର୍ଷ ଭଳି ଅତିଥିମାନେ ଅତୀତର ନୌବାଣିଜ୍ୟ ପରମ୍ପରାର ସ୍ମୃତିଚାରଣ କରିଥିଲେ। ହେଲେ ସମସ୍ତଙ୍କ ମୁହଁରେ ଥିଲା ମହାନଦୀ ଓ ବାଲିଯାତ୍ରାର ସୁରକ୍ଷା ଚିନ୍ତା। କାରଣ ମହାନଦୀର ଉପରମୁଣ୍ଡରେ ଛତିଶଗଡ ସରକାର ବନ୍ଧ ନିର୍ମାଣ କରୁଥିବା ବେଳେ ବାଲିଯାତ୍ରା ପ୍ରତି ଏନଜିଟିଙ୍କ ଆଡୁ ଭୟ ରହିଛି। ବ୍ୟାସ ବର୍ଣ୍ଣିତ ମହାକାବ୍ୟ ମହାଭାରତରେ ମହାନଦୀର ପୂର୍ବ ନାମ ଚିତ୍ରୋତ୍ପଳା ଥିବା କଟକ ଏମ୍‌ପି ଭର୍ତ୍ତୃହରି ମହତାବ କହିଥିଲେ। ଏବେ ମହାନଦୀ ପ୍ରତି ବିପଦ ଥିବା ସେ କହିଥିଲେ। କାଳିଦାସଙ୍କ କାବ୍ୟଗ୍ରନ୍ଥରେ ଉତ୍କଳୀୟ ନୌବାଣିଜ୍ୟ ସମ୍ପର୍କରେ ବର୍ଣ୍ଣନା କରାଯାଇଥିବାବେଳେ ନୌବାଣିଜ୍ୟ କାରବାର ଓ ବାରବାଟୀ ଦୁର୍ଗ ନିର୍ମାଣ ହେବା ପୂର୍ବରୁ ବାଲିଯାତ୍ରା ଚାଲୁଥିବା ସେ କହିଥିଲେ। ରାଜ୍ୟରେ ୪୮୦ କି.ମି. ବ୍ୟାପୀ ସମୁଦ୍ର ବେଳାଭୂମି ଓ ୩ ବନ୍ଦର ମଧ୍ୟ ରହିଛି। ହେଲେ ଓଡ଼ିଶାରୁ ଜଳପଥରେ କେତେ ସାମଗ୍ରୀ ବାହାରକୁ ରପ୍ତାନି ହେଉଛି ତାହାର ସମୀକ୍ଷା କରାଯିବା ଆବଶ୍ୟକ ବୋଲି ମହତାବ କହିଥିଲେ। ଭାଷଣ ଅବସରରେ ସେ କହିଲେ ୟୁପି, ବିହାର, ଝାଡଖଣ୍ଡ, ଗୁଜରାଟ ଓ ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ବାଲିଯାତ୍ରା ଭଳି ଉତ୍ସବ ହେଉଛି। ହେଲେ ସେ ସବୁ ସ୍ଥାନରେ ଏନଜିଟିଙ୍କ କଟକଣା ଅଛି ନା କେବଳ କଟକ ବାଲିଯାତ୍ରା ଉପରେ ଅଛି ତାହା ସମସ୍ତେ ଜାଣିବା ଦରକାର। ଆବଶ୍ୟକସ୍ଥଳେ ସୂଚନାଧିକାର ଆଇନ ବଳରେ ତଥ୍ୟ ମାଗାଯାଇ ଏ ସବୁର ବିତର୍କ କରାଯିବା ଆବଶ୍ୟକ ବୋଲି ମହତାବ କହିଥିଲେ। ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ୭୦ ଦଶକର ମହାନଦୀ ଓ ଏବେକାର ମହାନଦୀ ମଧ୍ୟରେ ବହୁ ପ୍ରଭେଦ ଥିବା ଏବଂ ଏହାକୁ ବଞ୍ଚାଇବାକୁ ପଡିବ ବୋଲି କହିଥିଲେ। କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥି ବେହେରା, ଜଗତ୍‌ସିଂହପୁର ଏମପି କୁଳମଣି ସାମଲ ବିଧାୟକ ପ୍ରଭାତ ତ୍ରିପାଠୀ, ପ୍ରମୋଦ ମଲ୍ଲିକ, ରାଜ୍ୟ ସଭା ସଦସ୍ୟ ନରେନ୍ଦ୍ର ସ୍ବାଇଁ, ଓଡ଼ିଶା କୋଠାବାଡି ଏବଂ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ ରାଜ୍ୟର କଳା, ସାହିତ୍ୟ, ସଂସ୍କୃତି ଓ ଧାର୍ମିକ ଭାବନା ସହିତ ବାଲିଯାତ୍ରା ଜଡିତ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ସଭାପତି ଜ୍ୟୋତିରେଖା ନାୟକ, କଟକ ମେୟର ମୀନାକ୍ଷୀ ବେହେରା, ଡେପୁଟି ମେୟର ଅଜୟ ବାରିକ, କର୍ପୋରେଟର ରମଜାନ୍‌ ଖାନ୍‌ ପ୍ରମୁଖ ଭାଷଣ ଦେଇଥିଲେ। ଗତବର୍ଷ ବାଲିଯାତ୍ରାରୁ ୮୯ଲକ୍ଷ ୫ହଜାର ଟଙ୍କାର ରାଜସ୍ବ ଆୟ ହୋଇଥିବା ବେଳେ ଚଳିତବର୍ଷ ୯୧୨ଟି ଷ୍ଟଲରୁ ୧କୋଟି ଟଙ୍କାର ରାଜସ୍ବ ଆୟ ଟାର୍ଗେଟ ଥିବା ସଦର ତହସିଲଦାର ସଞ୍ଜୀବିତା ରାୟ କହିଥିଲେ। ଏହି ଅବସରରେ ଏକ ସ୍ମରଣିକା ଓ ମୋବାଇଲ ଆପ୍‌ ‘ବାଲିଯାତ୍ରା’ ଉଦ୍‌ଘାଟିତ ହୋଇଥିଲା। ମୋବାଇଲ ଆପ୍‌ରୁ ବିଭିନ୍ନ ଷ୍ଟଲ ସମେତ କାର୍ଯ୍ୟକ୍ରମ, ଯାତାୟାତ ପଥ, ପୋଲିସ ସହାୟତା କେନ୍ଦ୍ର, ସୂଚନା କେନ୍ଦ୍ର ଓ ଶୌଚାଳୟ ପ୍ରଭୃତିର ଅବସ୍ଥିତି ଜାଣିହେବ। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ଅର୍ଥାତ୍‌ ୮ଦିନ ଧରି ଯାତ୍ରା ଚାଲିବ ବୋଲି ମୁଖ୍ୟଅତିଥି ମନ୍ତ୍ରୀ ଜେନା ଘୋଷଣା କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri