ଶ୍ରୀମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା: ଶୃଙ୍ଖଳିତ ଦର୍ଶନ କଲେ ଭକ୍ତ


ପୁରୀ ଅଫିସ, ୪।୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ତିନିଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି। ଦାରୁଦିଅଁଙ୍କ ଏହି ଦିବ୍ୟ ବେଶ ଦର୍ଶନ ଲାଗି ଶନିବାର ଶ୍ରୀମନ୍ଦିରରେ ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲା। ନିର୍ଦ୍ଧାରିତ ସମୟରେ ନୀତି ସମ୍ପନ୍ନ ଯୋଗୁ ଭକ୍ତ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ସୁନାବେଶ ବା ରାଜରାଜେଶ୍ୱର ବେଶ ଦର୍ଶନ କରିଥିଲେ। କିନ୍ତୁ ମନ୍ଦିର ମଧ୍ୟରେ ପ୍ରବଳ ଭିଡ଼ ଯୋଗୁ ୨ ଜଣ ଶ୍ରଦ୍ଧାଳୁ ଅସୁସ୍ଥ ହୋଇପଡିଥିବା ବେଳେ ଜଣେ ଆହତ ହୋଇଛନ୍ତି। କାର୍ତ୍ତିକ ପୂର୍ଣ୍ଣିମାରେ ଭିଡ଼କୁ ଦୃଷ୍ଟିରେ ରଖି ଶୁକ୍ରବାର ଶ୍ରୀମନ୍ଦିରରେ ସଅଳ ପହୁଡ କରାଯାଇଥିଲା। ରାତ୍ର ସାଢେ ୧୦ଟା ସୁଦ୍ଧା ପହୁଡ ସମ୍ପନ୍ନ ହୋଇ ରାତ୍ର ସାଢେ ୧ଟାରେ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା। ରାତି ୨ଟା ୧୦ରେ ମଙ୍ଗଳ ଆଳତି, ୩ଟା ୧୫ରେ ଅବକାଶ ନୀତି ଶେଷ ହୋଇଥିଲା। ଏହାପରେ ଦାରୁଦିଅଁଙ୍କ ମହାର୍ଘ ରାଜରାଜେଶ୍ୱର ବେଶ ବା ସୁନାବେଶ ଆରମ୍ଭ ହୋଇ ଭୋର ୪ଟା ୫୦ରେ ସରିଥିଲା। ଏହାପରେ ଅନ୍ୟାନ୍ୟ ନୀତି ସୁରୁଖୁରରେ ଆଗକୁ ବଢିଥିଲା। ପୂର୍ବାହ୍ନ ୧୧ଟା ୧୫ରେ ଭୋଗମଣ୍ଡପ ଶେଷ ହୋଇ ମହାପ୍ରସାଦ ବାହାରିଥିଲା। ମଙ୍ଗଳଆଳତି ପରଠାରୁ ମହାପ୍ରଭୁଙ୍କୁ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା। ଏପରି କି ରାତି ସାଢେ ୧୨ଟା ପରଠାରୁ ସିଂହଦ୍ୱାର ସମ୍ମୁଖରେ ଗହଳି ଲାଗିଥିଲା। ଶନିବାର ସକାଳ ହେବା ବେଳକୁ ଲକ୍ଷାଧିକ ଭକ୍ତ ଠାକୁରଙ୍କ ଦର୍ଶନ କରିଥିଲେ। ଅପରାହ୍ନ ୨ଟା ୫ରେ ମହାପ୍ରଭୁଙ୍କ ସୁନାବେଶ ଓଲାଗି ହୋଇ ଅନ୍ୟାନ୍ୟ ନୀତି ଚାଲିଥିଲା। ଦିନତମାମ୍‌ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥିଲା। ଭିଡ଼କୁ ନିୟନ୍ତ୍ରଣ ଲାଗି ସ୍ଥାୟୀ ଜିକ୍‌ଜାକ୍‌ ବ୍ୟାରିକେଡ ସହିତ ଅସ୍ଥାୟୀ ବ୍ୟାରିକେଡ ମଧ୍ୟ କରାଯାଇଥିଲା। ଶ୍ରଦ୍ଧାଳୁମାନେ ବ୍ୟାରିକେଡ ଦେଇ ଭିତରକୁ ଯାଇ ଠାକୁରଙ୍କୁ ଦର୍ଶନ କରୁଥିଲେ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ଶ୍ରୀମନ୍ଦିର ଭିତରେ, ବାହାରେ ଏବଂ ବଡ଼ଦାଣ୍ଡରେ ବ୍ୟାପକ ପୋଲିସ ମୁତୟନ ରହିଥିଲେ। ମନ୍ଦିର ଭିତରେ ପ୍ରବଳ ଭିଡ଼ ଯୋଗୁ ୩ ଜଣ ଆହତ ହୋଇଛନ୍ତି। ଭଦ୍ରକ ଜିଲାର ଦେବସ୍ମିତା ମହାନ୍ତି (୨୬) ସ୍ବାମୀ ବିଶ୍ୱଭୂଷଣ ମହାନ୍ତିଙ୍କ ସହ ଦର୍ଶନ ପାଇଁ ଆସିଥିଲେ। ଲକ୍ଷ୍ମୀ ମନ୍ଦିର ନିକଟରେ ହଠାତ୍‌ ଦେବସ୍ମିତା ଅଚେତ ହୋଇ ପଡିଯାଇଥିଲେ। ତାଙ୍କୁ ଜିଲା ସଦର ହସ୍ପିଟାଲକୁ ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ପଠାଇ ଦିଆଯାଇଛି। ତାଙ୍କର ଆଗରୁ ହୃଦ୍‌ରୋଗ ସମସ୍ୟା ରହିଥିବା ଜଣାପଡିଛି। ସେହିପରି ଅନ୍ୟ ଜଣେ ମହିଳାଙ୍କ ମୁଣ୍ଡ ବୁଲାଇବାରୁ ସେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା। ବାଲେଶ୍ୱର ହନ୍ତାପଡାର ମଞ୍ଜୁଲତା ମଲ୍ଲିକ(୩୬) ଭିଡ଼ ଭିତରେ ପଡିଯିବାରୁ ତାଙ୍କ ହାତରେ ଆଘାତ ଲାଗିଥିଲା। ପ୍ରାଥମିକ ଚିକିତ୍ସା ପରେ ସେ ପଳାଇଥିଲେ ବୋଲି ଜିଲା ସଦର ହସ୍ପିଟାଲ ସୂତ୍ରରୁ ଜଣାପଡିଛି। ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି, ଦୀର୍ଘ ୯ ଘଣ୍ଟା ଧରି ଭକ୍ତମାନେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ପାଇଛନ୍ତି। ଚଳିତ ବର୍ଷ ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତ ଦର୍ଶନ କରିଥିବା ଅନୁମାନ କରାଯାଉଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri