ପୁରୀ ସମୁଦ୍ରରେ ବିଜେଡି ଡଙ୍ଗା


ପୁରୀ ଅଫିସ, ୪।୧୧: ଶ୍ରୀଜଗନ୍ନାଥଙ୍କ ବିଗ୍ରହ ଏବଂ ରାଜନେତାଙ୍କ ଫଟୋ ଥିବା ଏକ ଯନ୍ତ୍ରଚାଳିତ ଡଙ୍ଗା ଶନିବାର ପୁରୀ ମହୋଦଧିରେ ଚକ୍କର କାଟିଥିଲା। ସେଥିରେ ଲାଗିଥିଲା ଡାକବାଜି ଯନ୍ତ୍ର (ମାଇକ)। ଏହି ଡଙ୍ଗାକୁ ନେଇ ପୁରୀରେ ଚର୍ଚ୍ଚା ଧରିଥିବା ବେଳେ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଛି ଟଣାଓଟରା। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ପୁରୀ ସମୁଦ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁ ଡଙ୍ଗା ଭସାଇଥିଲେ। କିଏ କଦଳୀ ପାଟୁକାରେ ଡଙ୍ଗା ଭସାଇଥିଲେ ତ ଆଉ କିଏ ସୋଲ ତିଆରି ଡଙ୍ଗାକୁ ପୂଜା କରି ମହୋଦଧିରେ ମେଲାଣି ଦେଇଥିଲେ। ସମସ୍ତଙ୍କ ମନରେ ଥିଲା ଆଧ୍ୟାତ୍ମିକ ଭାବନା। ହେଲେ ଏସବୁ ଭିତରେ କିନ୍ତୁ ଗୋଟିଏ ଡଙ୍ଗା ଉପରେ ରହିଥିଲା ଅନେକଙ୍କ ନଜର। ଏହି ଡଙ୍ଗାଟି ସୋଲରେ କି କଦଳୀ ପାଟୁକାରେ ତିଆରି ହୋଇ ନ ଥିଲା। ଥିଲା ଏକ ଯନ୍ତ୍ରଚାଳିତ ଡଙ୍ଗା। ଏଥିରେ ଚାଳକଙ୍କୁ ମିଶାଇ ୪ ଜଣ ଥିଲେ। ଏଥିରେ ବିରାଜିତ ହୋଇଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ। ମହାପ୍ରଭୁଙ୍କ ବିଗ୍ରହ ସୋଲରେ ତିଆରି ହୋଇଥିଲା। ଏହି ଦୃଶ୍ୟ ଶ୍ରଦ୍ଧାଳୁଙ୍କୁ ଯେତିକି ଖୁସି ଦେଉଥିଲା ତା’ ଠୁ ଅଧିକ ଚର୍ଚ୍ଚାକୁ ଆସିଥିଲା ଆଧ୍ୟାତ୍ମିକ ଭାବନା ସହ ରାଜନୀତିକୁ ଯୋଡିବା ଘଟଣା। ଡଙ୍ଗାରେ ଲଗାଯାଇଥିବା ସୋଲରେ ନିର୍ମିତ ଶଙ୍ଖ ମଧ୍ୟରେ ରହିଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜସ୍ବ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଫଟୋ। ଏହି ଘଟଣାକୁ ନେଇ ସମୁଦ୍ର କୂଳରେ ଚର୍ଚ୍ଚା ଚାଲିଥିଲା। ଏହି ଡଙ୍ଗାକୁ ନେଇ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଛି। ପୁରୀ ଲୋକ ସଭା ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ବିଶ୍ୱନାଥ ଦାଶ କହିଛନ୍ତି, କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଶୋଲ ନିର୍ମିତ ବିଗ୍ରହ ଡଙ୍ଗାରେ ରଖିବାରେ କୌଣସି ଅସୁବିଧା ନାହିଁ। କିନ୍ତୁ ଏଥିରେ ରାଜନେତାଙ୍କ ଫଟୋ ରଖିବା ନିଶ୍ଚିତ ପକ୍ଷେ ନିନ୍ଦନୀୟ। ମହାପ୍ରଭୁଙ୍କୁ ନେଇ ରାଜନୀତି କରାଯିବା ଅନୁଚିତ। ପୁରୀ ବିଜେଡି ନଗର ସଭାପତି ସବ୍ୟସାଚୀ ମହାପାତ୍ର କହିଛନ୍ତି, ଏ ବିଷୟରେ ସେ କିଛି ଜାଣିନାହାନ୍ତି। ଯଦି ବି କେହି କାର୍ତ୍ତିକ ପୂର୍ଣ୍ଣିମାରେ ମହୋଦଧିରେ ଜଗନ୍ନାଥଙ୍କୁ ନେଇ ଡଙ୍ଗାରେ ବୁଲାଇଛନ୍ତି ତେବେ ଏଥିରେ ଅସୁବିଧା ରହିଲା କେଉଁଠି। ବିଜେଡି ପକ୍ଷରୁ ଏହି ଡଙ୍ଗା ଭସାଯାଇ ନାହିଁ। କିଏ ଯଦି କାହାର ଫଟୋ ଲଗାଇ ଡଙ୍ଗା ଭସାଇବ ସେଥିରେ କ’ଣ ବିଜେଡିର ଦୋଷ ବୋଲି ପ୍ରଶ୍ନ କରିଥିଲେ। ଯେଉଁମାନେ ଏହି ପ୍ରସଙ୍ଗ ଉଠାଉଛନ୍ତି ସେମାନେ କୌଣସି ଦଳୀୟ ସଭା ସମିତିରେ କାହିଁକି ଜଗନ୍ନାଥଙ୍କୁ ରଖି ପ୍ରଦୀପ ପ୍ରଜ୍ୱଳନ କରୁଛନ୍ତି। ଭାଜପା ଯୁବନେତା ଶାଶ୍ୱତ ମହାପାତ୍ର କହିଛନ୍ତି, ଜଗନ୍ନାଥଙ୍କୁ ନେଇ ରାଜନୀତି କରିବା ଅନୁଚିତ। ଏପରି ହୀନ ରାଜନୀତିଠାରୁ ଦଳଗୁଡ଼ିକ ଦୂରେଇ ରହିବା ଦରକାର। ଠାକୁରଙ୍କ ସ୍ଥାନ କେଉଁଠି ନେତା ଜାଣିବା ଦରକାର। ମହେଶ୍ୱର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଡଙ୍ଗାରେ ନେଇ ବଙ୍ଗୋପସାଗରରେ ଛାଡିବେ ବୋଲି କହିଥିଲେ। ସେ ନିଜେ ବଙ୍ଗୋପସାଗରକୁ ଚାଲିଗଲେଣି ବୋଲି ଏହା ପ୍ରମାଣିତ କରୁଛି। ଆଉ କିଛିଦିନ ପରେ ସେ ଡୁବିଯିବେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri