ପ୍ରଶଂସା ଗୋଟାଇବାକୁ ପୋଲିସର ଉଦ୍ୟମ


ଭୁବନେଶ୍ୱର, ୪।୧୧(ବ୍ୟୁରୋ)- କମିଶନରେଟ୍‌ ପୋଲିସର ବିଭିନ୍ନ ଥାନାରେ ବାଇକ୍‌ ଏବଂ ମୋବାଇଲ୍‌ ଚୋରି ସଂକ୍ରାନ୍ତରେ ବହୁ ସଂଖ୍ୟକ ଅଭିଯୋଗ ପଡ଼ିରହିଛି। ଏଗୁଡ଼ିକର ତଦନ୍ତ କରିବାକୁ ଥାନା ଅଧିକାରୀମାନେ ଗୁରୁତ୍ୱ ଦେଉ ନାହାନ୍ତି। ଫଳରେ ଅଭିଯୋଗକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏପରିସ୍ଥଳେ ପ୍ରଶଂସା ଗୋଟାଇବାକୁ କମିଶନରେଟ ପୋଲିସ ମୁଖିଆ ଉଦ୍ୟମ ଆରମ୍ଭ କରିଛନ୍ତି। ପୂର୍ବରୁ ଚୋରି ହୋଇଯାଇଥିବା ବାଇକ୍‌ ଫେରି ପାଇବା ପାଇଁ ଅଭିଯୋଗକାରୀ ଥାନାକୁ ଯାଉଥିଲାବେଳେ ହାତଗୁଞ୍ଜା ଏବଂ ବିଭିନ୍ନ ଆଳ ଦେଖାଇ ଫେରାଇ ଦିଆଯାଉଥିଲା। ଏବେ ବମ୍ବେ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଭଳି ମେଳା କରି ପୋଲିସ ଦ୍ୱାରା ଜବତ ହୋଇଥିବା ଚୋରା ବାଇକ୍‌, ଲାପଟପ ଏବଂ ମୋବାଇଲ୍‌ ଫୋନ ପ୍ରକୃତ ମାଲିକଙ୍କୁ ଫେରାଇବାକୁ ନିଷ୍ପତ୍ତି ନେଇଛନ୍ତି କମିଶନର ଯୋଗେଶ ବାହାଦୁର ଖୁରାନିଆ। ଶନିବାର ପୋଲିସ ରିଜର୍ଭ ପଡ଼ିଆରେ ୩୨ ବାଇକ୍‌, ୩ ଲାପଟପ୍‌, ୩ ମୋବାଇଲ, ଗୋଟିଏ ହୋମ ଥିଏଟର ବଣ୍ଟନ କରାଯାଇଛି। ମେଳାକୁ କମିଶନରେଟ ପୋଲିସ ଅଧୀନରେ ଥିବା ୧୧ଟି ଥାନାରୁ ମୋଟ ୪୩ଟି ବାଇକ୍‌ ଆସିଥିଲା। ସେଥିରୁ ୩୨ଟି ବାଇକ୍‌ ପ୍ରକୃତ ମାଲିକମାନଙ୍କୁ ଫେରାଇ ଦିଆଯାଇଛି। ସେହିପରି ୩ଟି ଲାପଟପ୍‌, ୩ଟି ମୋବାଇଲ ଏବଂ ଗୋଟିଏ ହୋମ ଥିଏଟର ଦିଆଯାଇଛି। ୧୧ଟି ବାଇକ୍‌ର କେହି ଦାବିଦାର ଆସି ନ ଥିବାରୁ ସେଗୁଡ଼ିକୁ ଥାନାକୁ ଫେରାଇ ନିଆଯାଇଥିଲା। ପୋଲିସ କମିଶନର ଖୁରାନିଆ ଏହି ଅବସରରେ କହିଥିଲେ, ଲୋକମାନଙ୍କ ବାଇକ୍‌, ଲାପଟପ, ମୋବାଇଲ ଚୋରି ହେଲେ ପାଇବାର ଆଶା ରଖନ୍ତିନି। କିନ୍ତୁ ଆଜିର ଏହି ମେଳା ଦ୍ୱାରା ପୋଲିସ ପ୍ରତି ଲୋକମାନଙ୍କ ଭରସା ବଢିବ। ଧରାପଡିଥିବା ୬୦ଟି ଚୋରା ବାଇକ୍‌ ଏବଂ ୪୦୦ଟି ମୋବାଇଲର ପ୍ରକୃତ ଉତ୍ତରାଧିକାରୀ ଚିହ୍ନଟ କରିବା ପୋଲିସ ପକ୍ଷେ କଷ୍ଟସାଧ୍ୟ। ତେଣୁ ବାଇକ୍‌ ଓ ମୋବାଇଲର ଫଟୋ ଏବଂ ନମ୍ବର କମିଶନରେଟ ପୋଲିସର ଏକ ସ୍ବତନ୍ତ୍ର ଓ୍ବେବ୍‌ସାଇଟ୍‌ରେ ପ୍ରକାଶ କରାଯିବ। ତା’ପରେ ବି ଯଦି କେହି ସେଗୁଡ଼ିକୁ ନେବାକୁ ଥାନାକୁ ଆସିବେ ନାହିଁ, ତେବେ ନିଲାମ କରିଦିଆଯିବ। ଡିସିପି ସତ୍ୟବତ୍ର ଭୋଇ, ଭୁବନେଶ୍ୱରର ସମସ୍ତ ଏସିପି ଏବଂ ଥାନା ଅଧିକାରୀମାନେ ମେଳାରେ ଉପସ୍ଥିତ ଥିଲେ। ଅନ୍ୟପଟେ ବାଇକ୍‌ ଫେରିପାଇଥିଲେ ମଧ୍ୟ କେତେଜଣ ମାଲିକ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜଟଣୀରୁ ଆସିଥିବା ଶକୁମାର ଶତପଥୀ କୁହନ୍ତି, ତାଙ୍କ ବାଇକ(ଓଆର-୦୨- ବିଏମ୍‌-୪୫୯୭) କିଣିବାର ୬ ମାସ ପରେ ହଜିଯାଇଥିଲା। ୩ ବର୍ଷ ପରେ ବାଇକ୍‌ ପାଇ ଖୁସି ଲାଗୁଛି। କିନ୍ତୁ ବାଇକ୍‌ଟି ଭାଙ୍ଗି ଯାଇଥିବାରୁ ଦୁଃଖ ଲାଗୁଛି। ଅନ୍ୟ ଜଣେ ବ୍ୟକ୍ତି ଭବାନୀ ଶଙ୍କର ଦୀକ୍ଷିତ କୁହନ୍ତି, ମୋ ମା’ ମୋତେ ବାଇକ୍‌(ଓଆର-୦୨ କେ ୩୦୫୯) ଦେଇଥିଲେ। ୨ବର୍ଷ ତଳେ ବାଇକ୍‌ ହଜିଥିଲା, ଏବେ ମିଳୁଛି। ବାଇକ୍‌ଟି ଭାଙ୍ଗିଯାଇଛି। କିନ୍ତୁ ଏହାକୁ ମୋ ମା’ ମୋତେ ଦେଇଥିବାରୁ ମୁଁ ନେଉଛି। ସେହିଭଳି ନୟାପଲ୍ଲୀରୁ ଆସିଥିବା ଦିବାକର ମିଶ୍ର ନାମକ ଜଣେ ବୃଦ୍ଧ ବାଇକ୍‌ ନେବାକୁ ଆସି ହଇରାଣରେ ପଡିଥିଲେ। ତାଙ୍କ ବାଇକ୍‌(ଓଆର-୦୨-ଜେଡ୍‌ ୪୧୭୬) ଦେଢବର୍ଷ ହେଲାଣି ଚୋରି ହୋଇଥିଲା। ବାଇକ୍‌ଟି ବର୍ତ୍ତମାନ ପଙ୍କ୍‌ଚର ହୋଇଯାଇଥିବା ବେଳେ ଷ୍ଟାର୍ଟ ବି ହେଉ ନ ଥିଲା। ଶେଷରେ ଡାଲା ଅଟୋରେ ବାଇକ୍‌କୁ ନେଇ ଯାଇଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri