‘ଆର୍ଟ ଇନ୍‌ ଦ ସ୍ମାର୍ଟସିଟି’ କର୍ମଶାଳା ଉଦ୍‌ଯାପିତ


ଭୁବନେଶ୍ୱର, ୪।୧୧(ବ୍ୟୁରୋ)- ସ୍ମାର୍ଟ ସିଟି ଭୁବନେଶ୍ୱରରେ ଦେଖିବାକୁ ମିଳିବ ଓଡ଼ିଶାର କଳା ଓ ସଂସ୍କୃତିର ଛାପ। ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ ବଡ଼ ବଡ଼ ଫ୍ରେମ୍‌ ମାଧ୍ୟମରେ କଳା ଏବଂ ସଂସ୍କୃତିକୁ ପ୍ରଦର୍ଶନ କରାଯିବ। ଏହାକୁ ଦୀର୍ଘକାଳ ପର୍ଯ୍ୟନ୍ତ କିପରି ସୁରକ୍ଷିତ ରଖାଯାଇପାରିବ ସେନେଇ ମଧ୍ୟ ଗୁରୁତ୍ୱ ଦିଆଯିବ। ଏହାଦ୍ୱାରା ସହରବାସୀ ନିଜ କଳା, ସଂସ୍କୃତି ବିଷୟରେ ଜାଣିବା ସହିତ ପର୍ଯ୍ୟଟକଙ୍କୁ ମଧ୍ୟ ଆକୃଷ୍ଟ କରାଯାଇପାରିବ। ସହରକୁ ସ୍ବଚ୍ଛ ଏବଂ ସୁନ୍ଦର କରିବା ସହିତ କଳା, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ୫ଟି ପ୍ରସ୍ତାବ ‘ଆର୍ଟ ଇନ୍‌ ଦ ସ୍ମାର୍ଟ ସିଟି’ କର୍ମଶାଳାରେ ଉପସ୍ଥାପନ କରାଯାଇଛି। ଏଗୁଡ଼ିକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଉପାଧ୍ୟକ୍ଷ ଡ. କ୍ରିଷନ କୁମାରଙ୍କୁ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀଙ୍କଠାରୁ ଅନୁମୋଦନ ମିଳିବା ପରେ ଆଗାମୀ ୩ମାସ ମଧ୍ୟରେ ପ୍ରସ୍ତାବଗୁଡ଼ିକ କାର୍ଯ୍ୟକାରୀ ହେବ ବୋଲି ସୂଚନା ଦିଆଯାଇଛି। ସ୍ଥାନୀୟ ଏକ ହୋଟେଲରେ ୨ଦିନ ଧରି ଚାଲିଥିବା ‘ଆର୍ଟ ଇନ୍‌ ଦ ସ୍ମାର୍ଟ ସିଟି’ ଶନିବାର ଉଦ୍‌ଯାପିତ ହୋଇଛି। ଏଥିରେ ସହରର ଟାଉନ ପ୍ଲାନର, ଇଞ୍ଜିନିୟର, ଫିଲ୍ମ ନିର୍ମାଣକାରୀ, କଳାପ୍ରେମୀ, ହସ୍ତଶିଳ୍ପ କାରିଗର, ଶିକ୍ଷକ ଓ ବୃଦ୍ଧିଜୀବୀମାନେ ଯୋଗଦେଇ ଆଲୋଚନା କରିଥିଲେ। ଆଲୋଚନା କାଳରେ ୫ଟି ପ୍ରସ୍ତାବ ପାରିତ ହୋଇଥିଲା। ସହରରେ ଯେଉଁ କଳା ଓ ସଂସ୍କୃତି ଫ୍ରେମ୍‌ ମାଧ୍ୟମରେ ପ୍ରଦର୍ଶନ କରାଯିବ, ତାହା ଯେପରି ଛୋଟ ପିଲାଙ୍କୁ ଆକୃଷ୍ଟ କରିପାରିବ ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦିଆଯିବ। ଯେଉଁ ଜନଗହଳିପୂର୍ଣ୍ଣ ସ୍ଥାନରେ ଏସବୁ ପ୍ରଦର୍ଶନ କରାଯିବ ସମ୍ପୃକ୍ତ ଅଞ୍ଚଳକୁ ସର୍ବଦା ସଫାସୁତରା ରଖାଯିବ। ଏହାବ୍ୟତୀତ ସହରରେ ଯେତେଗୁଡିଏ ପୋଖରୀ ଓ ନଦୀକୂଳ ରହିଛି ସେଗୁଡିକୁ ସଫା କରାଯିବା ସହିତ ସେଠାକାର ସୌନ୍ଦର୍ଯ୍ୟ ବୃଦ୍ଧି ଦିଗରେ ପଦକ୍ଷେପ ନିଆଯିବ। ଉକ୍ତ ଅଞ୍ଚଳରେ ମଧ୍ୟ କଳା ଓ ସଂସ୍କୃତିକୁ ପ୍ରଦର୍ଶନ କରାଯିବ। ନଦୀ ବ୍ରିଜ୍‌ରେ ମଧ୍ୟ କଳା ଓ ସଂସ୍କୃତି ସମ୍ବନ୍ଧୀୟ ଚିତ୍ରକଳା ଅଙ୍କାଯିବ। ସହରର ସମସ୍ୟାଗୁଡିକ କିପରି ସମାଧାନ କରାଯାଇପାରିବ ସେ ସମ୍ପର୍କରେ କାନ୍ଥବାଡରେ ଚିତ୍ର ଆଙ୍କି ବିଭିନ୍ନ ସଚେତନତା ବାର୍ତ୍ତା ଦିଆଯିବ। ଲୋକେ ଏହାଦ୍ୱାରା ସଚେତନ ହୋଇପାରିବେ। ସହରରେ ବର୍ଷାପାଣି ଜମିବା, ଡ୍ରେନ ଜାମ୍‌ ହୋଇଯିବା ଓ ପରିମଳ ଅବ୍ୟବସ୍ଥା ଭଳି ଅନେକ ସମସ୍ୟା ରହିଛି। ସେଗୁଡିକୁ କିପରି ସମାଧାନ କରାଯିବ ସେନେଇ ଚିତ୍ର ମାଧ୍ୟମରେ ଲୋକଙ୍କୁ ଅବଗତ କରାଯିବ ବୋଲି ପ୍ରସ୍ତାବ ରହିଛି। ଇଲା ପଣ୍ଡା ସେଣ୍ଟର୍‌ ଫର୍‌ ଆର୍ଟ(ଇପ୍‌କା), ଉତ୍ସ ଫାଉଣ୍ଡେଶନ ଫର୍‌ କଣ୍ଟେମ୍ପରାରି ଆର୍ଟ ଏବଂ ଯତୀନ ଦାସ ସେଣ୍ଟର୍‌ ଅଫ୍‌ ଆର୍ଟ(ଜେଡିସିଏ), ବିଡିଏ ଓ ବିଏମ୍‌ସିର ମିଳିତ ଆନୁକୂଲ୍ୟରେ ଏହି କର୍ମଶାଳା ଚାଲିଥିଲା। ୨ୟ ଦିବସରେ ମୁଖ୍ୟଅତିଥି ଭାବେ କୋଚି ବାଇନିଆର ପ୍ରତିଷ୍ଠାତା ସଦସ୍ୟ ଭି. ସୁନିଲ ଯୋଗଦେଇ କହିଲେ, ସହରର ପୁରୁଣା କଳା ଓ ସଂସ୍କୃତିର ପ୍ରସାର କରାଯାଉ ଏବଂ ସେଗୁଡ଼ିକର ସଂରକ୍ଷଣକୁ ଗୁରୁତ୍ୱ ଦିଆଯାଉ। ଭୁବନେଶ୍ୱର ହେଉଛି ମନ୍ଦିରମାଳିନୀ ସହର। ଏଠାରେ ବହୁତଗୁଡିଏ ମନ୍ଦିର ରହିଛି। ମନ୍ଦିର ଅଞ୍ଚଳର ସ୍ଥାନୀୟ ଲୋକଙ୍କୁ ମନ୍ଦିରର କଳା ଓ ସଂସ୍କୃତି ସହ ଯୋଡ଼ାଯାଉ। ସେମାନଙ୍କ ମାଧ୍ୟମରେ ହିଁ ଏହାର ପ୍ରସାର କରାଯାଉ। ବାସ୍ତୁଶାସ୍ତ୍ର ବିଶାରଦ ଜ୍ୟୋତି ରଥ କମ ଜାଗାରେ କିପରି କଳାର ପ୍ରଦର୍ଶନ କରାଯାଇ ପାରିବ ତାହା ଉପରେ ଏକ ପାଓ୍ବାର ପ୍ରେଜେଣ୍ଟେଶନ ଦେଖାଇଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri