ଯୋଗାଣରେ ତ୍ରୁଟି: ମିଳୁଛି ଆବଶ୍ୟକ ନ ଥିବା ପାଠ୍ୟପୁସ୍ତକ


ଖୋର୍ଦ୍ଧା ଅଫିସ,୩।୧୧ (ଲୋକନାଥ ମିଶ୍ର)-ଚଳିତ ଶିକ୍ଷାବର୍ଷର ଅଧା ସମୟ ଅତିକ୍ରାନ୍ତ ହୋଇସାରିଛି। ଷାଣ୍ମାସିକ ପରୀକ୍ଷା ଶେଷ ହୋଇଛି। ତଥାପି ଶତ ପ୍ରତିଶତ ଛାତ୍ରୀଛାତ୍ରଙ୍କ ପାଖରେ ପହଞ୍ଚି ପାରିନାହିଁ ବହି। ଖୋର୍ଦ୍ଧା ଜିଲାର ଅଷ୍ଟମ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୯ ହଜାର ୯୮୨ ପାଠ୍ୟପୁସ୍ତକର ଆବଶ୍ୟକତା ରହିଛି। ଏଥିରୁ ପିଲାମାନେ କିଭଳି ପାଠପଢ଼ି ପରୀକ୍ଷା ଦେଇଥିବେ ତାହା ସହଜରେ ଅନୁମେୟ। ସେହିପରି ସରକାରୀ ଯୋଜନାର କାର୍ଯ୍ୟକାରିତା କେଉଁ ଢଙ୍ଗରେ ହେଉଛି ତାହା ଜଣାପଡ଼ୁଛି। ସରକାରୀ ରାଜକୋଷ ବିପୁଳ ଅର୍ଥ ଖର୍ଚ୍ଚ ସତ୍ତ୍ୱେ ପିଲାଙ୍କ କାମରେ ଆସୁପାରୁନି ପାଠ୍ୟପୁସ୍ତକ। ଉପଯୁକ୍ତ ପଦକ୍ଷେପ ହେବାରୁ ଏଭଳିସ୍ଥିତି ଉପୁଜୁଥିବାବେଳେ ବହୁ ଗରିବ ଛାତ୍ରୀଛାତ୍ର ସରକାରୀ ଯୋଜନାର ସୁଫଳ ପାଇପାରୁନାହାନ୍ତି। ଏଭଳି ଅବ୍ୟବସ୍ଥା ପାଇଁ ମୁଖ୍ୟତଃ ଦାୟୀ ହେଉଛି ପାଠ୍ୟପୁସ୍ତକ ଯୋଗାଣ ଓ ବିତରଣରେ ବ୍ୟାପକ ତ୍ରୁଟି। କେଉଁ ସ୍କୁଲରେ ଆବଶ୍ୟକ ଥିବା ବହି ମିଳୁ ନ ଥିବାବେଳେ କେଉଁ ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ମିଳିଥିବା ବହି ପୁଣି ଥରେ ଯୋଗାଇ ଦିଆଯାଇଥିବା ତାହା ଅଦରକାରୀ ହୋଇପଡ଼ିଛି। ବିଶେଷ କରି ୩୩ ହଜାର ୪୬୨ ବହି କୌଣସି କାମରେ ନ ଲାଗି ଡିପିସିିଙ୍କ କାର୍ଯ୍ୟାଳୟର ଷ୍ଟକ୍‌କୁ ଚାଲିଯାଇଛି। କାରଣ ତାହାର ଆବଶ୍ୟକତା ପୂର୍ବରୁ ପୂରଣ ହୋଇସାରିଛି। ଡିପିସିଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ ୪ ପ୍ରତିଶତ ପିଲାଙ୍କ ପାଖରେ ବହି ପହଞ୍ଚି ନ ଥିବା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। କିନ୍ତୁ ସ୍କୁଲଗୁଡ଼ିକରୁ ତଥ୍ୟ ଭିନ୍ନ ମିଳୁଛି। କେତେକ ସ୍କୁଲକୁ ଆମେ ଯାଇ ବହି ସମ୍ପର୍କରେ ପଚରାଯିବାରୁ ପ୍ରାୟ ଶିକ୍ଷକମାନେ ଶତ ପ୍ରତିଶତ ବହି ମିଳିଥିବା କହିଥିଲେ। ଡିପିସି ଅଫିସରୁ ୪ ପ୍ରତିଶତ ବହି ଯୋଗାଣ ହୋଇ ନଥିଲେ ମଧ୍ୟ ପ୍ରତି ସ୍କୁଲରେ ଶତ ପ୍ରତିଶତ ବହି ପହଞ୍ଚିଲା କିପରି ସେନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିରୁ ଅଧିକାରୀମାନଙ୍କ ଭୟରେ ସତ ଲୁଚାଯାଉଥିବା ସ୍ପଷ୍ଟ ହେଉଛି। ସେହିପରି କେତେକ ସ୍କୁଲରେ ପୁରୁଣା ବହି ଯୋଗାଡ଼ କରି ଛାତ୍ରୀଛାତ୍ରଙ୍କୁ ଦିଆଯାଇଥିଲେ ମଧ୍ୟ ତାହାକୁ ବି ଲୁଚାଯାଉଛି। କିନ୍ତୁ ବାସ୍ତବ ସ୍ଥିତି ଭିନ୍ନ। କେତେଜଣ ଛାତ୍ରୀଛାତ୍ର ଓ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, କେଉଁ ସ୍କୁଲରେ ୨ପ୍ରତିଶତ ତ କେଉଁ ସ୍କୁଲର ୫ ପ୍ରତିଶତ ଛାତ୍ରୀଛାତ୍ର ବହି ପାଇ ନାହାନ୍ତି। ବିଶେଷ କରି ଅଷ୍ଟମ ଶ୍ରେଣୀର ଛାତ୍ରୀଛାତ୍ର ବେଶି ହଇରାଣ ହେଉଛନ୍ତି। ଅଧିକାଂଶ ବେସରକାରୀ ସ୍କୁଲରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ସେଠାରେ ପାଠ ପଢ଼ୁଥିବା ଛାତ୍ରୀଛାତ୍ର ଅଷ୍ଟମରେ ଆସି ସରକାରୀ ସ୍କୁଲରେ ପାଠ ପଢ଼ୁଛନ୍ତି। ଏହି ଛାତ୍ରୀଛାତ୍ରଙ୍କ ହିସାବ ନ ଥିବାରୁ ବହିର ଅଭାବ ଦେଖାଦେଉଛି। ଜଟଣୀ ବ୍ଲକ ଛଣଘର ନୋଡାଲ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ଅଛନ୍ତି ୫୯ ଛାତ୍ରୀଛାତ୍ର। ସେମାଙ୍କ ମଧ୍ୟରୁ ୨୪ଜଣ ଇଂଲିଶ ବହି ପାଇନାହାନ୍ତି। ଇଂଲିଶ ଷ୍ଟୋରି ବୁକ୍‌ ୧୪ ଜଣ ପାଇ ନାହାନ୍ତି। ସେହିପରି ଜ୍ୟାମିତି ବହି ପାଇନାହାନ୍ତି ୧୪ ପିଲା। ଅପରପକ୍ଷେ ଟାଙ୍ଗୀ ବ୍ଲକ କ୍ଷେତ୍ରବାସୀ ଏକାଡେମୀ ନିରାକାରପୁର ସ୍କୁଲରେ କେତେଜଣ ଛାତ୍ରୀଛାତ୍ର ବହି ପାଇ ନ ଥିବା ନଜରକୁ ଆସିଥିଲା। ପାଠ୍ୟପୁସ୍ତକ ବଣ୍ଟନ ଦିବସରେ ଅନୁପସ୍ଥିତ ଥିବା ଛାତ୍ରୀଛାତ୍ର ବହି ପାଇ ନ ଥିବା ସଫେଇ ଦିଆଯାଉଛି। ବେଗୁନିଆ ବ୍ଳକ ରାଉତପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷାଣ୍ମାଷିକ ପରୀକ୍ଷା ପୂର୍ବରୁ ତରବରିଆ ଭାବେ ଇଂଲିଶ ବହି ୩ୟ ଶ୍ରେଣୀ ପିଲାଙ୍କୁ ଦିଆଯାଇଥିବା ଜଣେ ଅଭିଭାବକ ନାମଗୋପନ ରଖିବା ସର୍ତ୍ତରେ କହିଛନ୍ତ। ଜିଲା ସର୍ବଶିକ୍ଷା ଅଭିଯାନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୯ଲକ୍ଷ ୫୩ ହଜାର ୨୪୯ ଖଣ୍ଡ ବହିର ଆବଶ୍ୟକତା ଥିଲା। ୯ ଲକ୍ଷ ୨୦ ହଜାର ୫୭୮ ଖଣ୍ଡ ବହି ଆସିବା ପରେ ୩୨ ହଜାର ୬୭୧ ଖଣ୍ଡ ବହିର ଆବଶ୍ୟକତା ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ୬୬ ହଜାର ୧୩୩ ବହିର ଆବଶ୍ୟକତା ଥିବା ଜଣାପଡ଼ିଥିଲା। ଅଷ୍ଟମ ଶ୍ରେଣୀରେ ଅନେକ ବେସରକାରୀ ସ୍କୁଲ ଛାତ୍ରୀଛାତ୍ର ନାମ ଲେଖାଉଛନ୍ତି। ଏମାନଙ୍କର ହିସାବ ନ ଥିବାରୁ ଅତିରିକ୍ତ ବହିର ଆବଶ୍ୟକତା ପଡିଥିବା ଜଣେ କର୍ମଚାରୀ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri