କଟକରେ ଗୋଷ୍ଠୀ ସଂଘର୍ଷ: ୧୫ ଆହତ, ୨୬ ଗିରଫ


କଟକ ଅଫିସ, ୫।୧୦- କଟକରେ ଉଗ୍ରରୂପ ନେଇଛି ସୀମା ବିବାଦ। ଗୁରୁବାର ମଧ୍ୟାହ୍ନରେ ରାଜାବଗିଚା ସୁଇପରକଲୋନୀ ନାୟକସାହି ଓ ସର୍ବୋଦୟପୁରର ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଟେକାପଥର ଓ କାଚବୋତଲ ମାଡ଼ରେ ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ବାଦାମବାଡ଼ି ଥାନା ଆଇଆଇସି ବିରଞ୍ଚତ୍ ନାରାୟଣ ପତି, ପୁରୀଘାଟ ଥାନା ଆଇଆଇସି ତାପସ କୁମାର ପ୍ରଧାନ ସମେତ ଅନ୍ୟ ୩ ଜଣ ପୋଲିସ କର୍ମଚାରୀ ଓ ଉଭୟ ପକ୍ଷର ୫ଜଣ ଲେଖାଏ ରହିଛନ୍ତି। ଗଣ୍ଡଗୋଳକାରୀମାନେ ଘରଦ୍ୱାର ଉପରକୁ ମଧ୍ୟ ଟେକାପଥର ମାଡ଼ କରିବା ସହ ୫ ଅଟୋ ସମେତ ଅନ୍ୟ କେତେକ ଗାଡ଼ି ଓ ଦୋକାନକୁ ଭଙ୍ଗାରୁଜା କରିଥିଲେ। ଏପରି କି ଉଭୟ ଗୋଷ୍ଠୀର ଯୁବକମାନେ ଗୋଡ଼ାଗୋଡ଼ି ହୋଇ ପରସ୍ପରକୁ ଆକ୍ରମଣ କରିଥିଲେ। ଫଳରେ ଦୀର୍ଘ ସମୟ ଧରି ସର୍ବୋଦୟପୁରରୁ ସୁଇପର କଲୋନୀ ନାୟକ ସାହି ରାସ୍ତା ରଣକ୍ଷେତ୍ର ପାଲଟିଥିଲା। ପରିସ୍ଥିତି ଅଣାୟତ ହୋଇପଡ଼ିବାରୁ ପୋଲିସ ପକ୍ଷରୁ ଲାଠିଚାର୍ଚ୍ଚ କରାଯାଇଥିଲା। ୬ ନମ୍ବର ଜୋନ୍‌ ଏସିପି, ସହରର ବିଭିନ୍ନ ଥାନା ଅଧିକାରୀ ସଶସ୍ତ୍ର ପୋଲିସ ଫୋର୍ସ ସହ ପହଞ୍ଚତ୍ ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ପରେ ପୋଲିସ କମିଶନର ୱାଇ.ବି. ଖୁରାନିଆ ଓ ଡିସିପି ଅଖିଳେଶ୍ୱର ସିଂ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଥିଲେ। ୪ ପ୍ଲାଟୁନ ଫୋର୍ସ ସାହିରେ ଫ୍ଲାଗ୍‌ମାର୍ଚ୍ଚ କରିଥିବାବେଳେ ଏହି ଘଟଣାରେ ୨୬ଜଣ ଗିରଫ ହୋଇଛନ୍ତି। ପୋଲିସ ଚଢାଉ ଭୟରେ ଦୁଇ ସାହି ପୁରୁଷ ଶୂନ୍ୟ ହୋଇପଡ଼ିଛି। ଘଟଣାର ପ୍ରକାଶ, ରାଜାବଗିଚା ସୁଇପର କଲୋନୀ ନାୟକ ସାହି ଏବଂ ସର୍ବୋଦୟପୁର ମଧ୍ୟରେ ସୀମା ଓ ବଟି ଆଦାୟକୁ ନେଇ ପୂର୍ବରୁ ବିବାଦ ରହିଛି। ବିଭିନ୍ନ ସମୟରେ ଉଭୟ ସାହି ମୁହାଁମୁହିଁ ହେଉଥିବାବେଳେ ଛକାପଞ୍ଝା ଓ କମେଣ୍ଟ ମରାମରି ହେଉଛନ୍ତି। ଏହା ଗୁରୁବାର ଉଗ୍ରରୂପ ନେଇଥିଲା। ସର୍ବୋଦୟପୁରର ଜଣେ ଯୁବକ ଖାନନଗର ଆଡୁ ମୋଟରସାଇକେଲରେ ଘରକୁ ଫେରୁଥିଲେ। ସର୍ବୋଦୟପୁର ଛକ ନିକଟରେ ରାଜାବଗିଚା ସୁଇପର କଲୋନୀ ନାୟକ ସାହିର ଜଣେ ବ୍ୟକ୍ତିଙ୍କ ସହ ଧକ୍କା ହୋଇଥିଲା। ସେଠାରେ ନାୟକ ସାହିର ଉପସ୍ଥିତ ୩ ଜଣ ଯୁବକ ମୋଟରସାଇକେଲ ଧକ୍କା ଦେଇଥିବା ଯୁବକଙ୍କୁ ମାଡ଼ ମାରିଥିଲେ। ଏହା ଦେଖି ସର୍ବୋଦୟପୁରର କେତେକ ଯୁବକ ନାୟକ ସାହିର ସମ୍ପୃକ୍ତ ଯୁବକଙ୍କୁ ପାଲଟା ଆକ୍ରମଣ କରିଥିଲେ। ଏହି ଖବର ଉଭୟ ସାହିରେ ପହଞ୍ଚତ୍ଥିଲା। ନାୟକ ସାହିର କେତେଜଣ ଯୁବକ ସଂଘବଦ୍ଧ ହୋଇ ଠେଙ୍ଗା, ଲୁହା ରଡ୍‌ ଓ ଅସ୍ତ୍ରଶସ୍ତ୍ର ଧରି ସର୍ବୋଦୟପୁରକୁ ଆକ୍ରମଣ ପାଇଁ ଆସୁଥିଲେ। ଏପଟେ ସର୍ବୋଦୟପୁରର କେତେଜଣ ଯୁବକ କାଚବୋତଲ, ଲୁହାରଡ ଓ ଅସ୍ତ୍ରଶସ୍ତ୍ର ଧରି ସେମାନଙ୍କ ସହ ମୁହଁାମୁହିଁ ହେବାରୁ ସଂଘର୍ଷ ଘଟିଥିଲା। ଉଭୟ ଗୋଷ୍ଠୀ ସେମାନଙ୍କ ସାହି ସୀମାରେ ରହି ପରସ୍ପର ଉପରକୁ ଟେକାପଥର ଓ କାଚ ବୋତଲ ମାଡ଼ କରିଥିଲେ। ରାସ୍ତାରେ ରହିଥିବା ଅଟୋ (ନଂ. ଓଆର୍‌୦୫କ୍ୟୁ-୯୩୨୫, ଓଆର୍‌୦୫ଏଡବ୍ଲ୍ୟୁ-୧୬୪୮, ଓଆର୍‌୦୫ଏଏନ୍‌-୫୬୫୯, ଓଆର୍‌୦୫ସି-୬୦୬୪, ଓଆର୍‌୦୫ଏକେ-୫୨୪୯) ସହ ଅନ୍ୟ କେତେକ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ଏହି ଗଣ୍ଡଗୋଳରେ ଉଭୟ ସାହିର ମହିଳାମାନେ ସାମିଲ ହୋଇଥିଲେ। କାଠଫାଳିଆ ଓ ପନିକି ଧରି ପୋଲିସକୁ ଗୋଡ଼ାଇଥିଲେ। ଟେକାପଥର ମାଡ଼ରେ ବାଦାମବାଡ଼ି ଆଇଆଇସି ପତିଙ୍କ ହାତ ଓ ପୁରୀଘାଟ ଆଇଆଇସି ପ୍ରଧାନଙ୍କ ଛାତିରେ ଆଘାତ ଲାଗିଛି। ଏଥିସହ କନଷ୍ଟେବଳ ହିମାଂଶୁ ଶେଖର ରଥଙ୍କ ମୁଣ୍ଡରେ କାଚବୋତଲ ବାଜିବାରୁ ସେ ମଧ୍ୟ ଆହତ ହୋଇଛନ୍ତି। ସେହିଭଳି ଅନ୍ୟ ଆହତଙ୍କ ମଧ୍ୟରେ ସର୍ବୋଦୟପୁରର ୨ ଜଣ ଯୁବକଙ୍କ ହାତ ଭାଙ୍ଗି ଯାଇଥିଲା ବେଳେ ନାୟକ ସାହିର ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି। ଘଟଣା ପରେ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ସର୍ବୋଦୟପୁରର ଲୋକେ ନିକଟସ୍ଥ ରାସ୍ତାକୁ କିଛି ସମୟ ପାଇଁ ଅବରୋଧ କରିଥିଲେ। ମାତ୍ର ଡିସିପି ସିଂ ସୀମା ବିବାଦ ପ୍ରସଙ୍ଗକୁ ଖଣ୍ଡନ କରିଛନ୍ତି। ବାଦାମବାଡ଼ି ଥାନା ପୋଲିସ ନିଜ ଆଡୁ ଆଇପିସି ଦଫା ୩୪୧, ୩୨୩, ୨୯୪, ୪୨୭, ୩୩୬, ୩୦୭, ୧୪୭, ୧୪୮, ୧୪୯ ଓ ୭ କ୍ରିମିନାଲ ଲ ଆମେଣ୍ଡମେଣ୍ଟ ଆକ୍ଟରେ ମାମଲା (ନଂ. ୨୫୦/୧୭) ରୁଜୁ କରିଛି। ଏଥିରେ ଉଭୟ ପକ୍ଷର ୨୬ ଜଣଙ୍କୁ ଗିରଫ କରାଯାଇଛି। ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇ ଉଭୟ ସାହିରେ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଡିସିପି କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri