ଶ୍ରେଷ୍ଠ ପାଞ୍ଚ: ଶ୍ରୀକ୍ଷେତ୍ର ଠାକୁରାଣୀ

ମା’ ଝାଡେଶ୍ୱରୀ

ମା’ ଝାଡେଶ୍ୱରୀ

ଶ୍ରୀକ୍ଷେତ୍ରର ଅନ୍ୟତମ ଶକ୍ତିପୀଠ ମା’ ଝାଡେଶ୍ୱରୀ। ଭିଆଇପି ରୋଡରୁ ପୁରୀ ଷ୍ଟେଶନକୁ ଯିବା ରାସ୍ତା ପାର୍ଶ୍ୱରେ ମା’ଙ୍କ ମନ୍ଦିର ଅବସ୍ଥିତ। ଝାଡ଼ବଣରେ ମା’ ଆବିର୍ଭାବ ହୋଇଥିବାରୁ ମା’ଙ୍କ ନାମ ଝାଡେଶ୍ୱରୀ ରହିଛି। ଭକ୍ତଙ୍କ ସାହାଯ୍ୟ ସହଯୋଗରେ ବର୍ତ୍ତମାନର ମନ୍ଦିର ପ୍ରତିଷ୍ଠା ହେବା ସହ ମା’ଙ୍କ ସେବାପୂଜା ଚାଲିଛି।

ମାଉସୀ ମା’

ମାଉସୀ ମା’

ସିଂହଦ୍ୱାରରୁ ଗୁଣ୍ଡିଚା ମନ୍ଦିର ଯିବା ବାଟରେ ବଡ଼ଦାଣ୍ଡର ମଧ୍ୟସ୍ଥଳ ଦକ୍ଷିଣ ପାର୍ଶ୍ୱରେ ମାଉସୀ ମା’ ମନ୍ଦିର ଅବସ୍ଥିତ। ମନ୍ଦିରର ଉଚ୍ଚତା ପ୍ରାୟ ୩୦ ଫୁଟ। ମୁଗୁନି ପ୍ରସ୍ତରରେ ନିର୍ମିତ ମା’ଙ୍କ ବିଗ୍ରହର ଉଚ୍ଚତା ପ୍ରାୟ ୨ ହାତ। ମା’ଙ୍କ ମୁଖ ଦେବୀ ସୁଭଦ୍ରାଙ୍କ ପରି ହଳଦୀବଦନା। ଉଭୟ ପାର୍ଶ୍ୱରେ ଦେବୀ ଛାୟା ଓ ମାୟା ମୂର୍ତ୍ତି ବିରାଜମାନ। ସମ୍ମୁଖରେ ଏକ ସିଂହ ମା’ଙ୍କ ଶକ୍ତିପ୍ରାପ୍ତ ହୋଇ ହାତୀକୁ ଚାପି ଧରିଥିବା ଦେଖାଯାଏ। ସେଥିପାଇଁ ମା’ଙ୍କୁ ଶକ୍ତି ସ୍ବରୂପିଣୀ ବୋଲି ମଧ୍ୟ କୁହାଯାଏ। କେଶରୀବଂଶୀୟ ରାଜାଙ୍କ ରାଜତ୍ୱ ସମୟରେ ଏହି ମନ୍ଦିରଟି ନିର୍ମିତ ହୋଇଥିବା ଅନୁମାନ କରାଯାଏ।

ମା’ ବାଟମଙ୍ଗଳା

ମା’ ବାଟମଙ୍ଗଳା

ଭୁବନେଶ୍ୱର-ପୁରୀ ରାସ୍ତାର ଚାରିନଳାଠାରେ ମା’ ବାଟମଙ୍ଗଳା ମନ୍ଦିର ଅବସ୍ଥିତ। ଶ୍ରୀମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁ ପ୍ରଥମେ ମା’ଙ୍କୁ ଦଣ୍ଡବତ କରି ଯାଆନ୍ତି। ମା’ ହେଉଛନ୍ତି ଚତୁର୍ଭୁଜା। ମା’ଙ୍କ ଦକ୍ଷିଣ ଉପର ହସ୍ତରେ ଗଦା, ତଳ ହସ୍ତ ଆଶୀର୍ବାଦ ମୁଦ୍ରା, ବାମ ଉପର ହସ୍ତରେ ତ୍ରିଶୂଳ ଓ ତଳ ହସ୍ତ ଅଭୟ ମୁଦ୍ରା(ମାଳି ଜପ)ରେ ରହିଛି। ମା’ ପଦ୍ମାସନା ଭଙ୍ଗୀ ସହ ହସ ହସ ମୁଖରେ ବିରାଜମାନ କରିଛନ୍ତି। ବଉଳମାଳା ପଥରରେ ନିର୍ମିତ ମା’ଙ୍କ ଅଢେଇ ଫୁଟ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ଏଠାରେ ପୂଜା ପାଉଛି।

ଦକ୍ଷିଣକାଳୀ

ଦକ୍ଷିଣକାଳୀ

ପୁରୀର କାଳିକାଦେବୀ ସାହିରେ ମା’ ଦକ୍ଷିଣ କାଳୀଙ୍କ ମନ୍ଦିର ଅବସ୍ଥିତ। କିମ୍ବଦନ୍ତୀରୁ ଜଣାଯାଏ ମା’ ଦକ୍ଷିଣକାଳୀ ଶ୍ରୀମନ୍ଦିରରେ ପ୍ରତିଷ୍ଠିତ ହୋଇ ପୂଜା ପାଉଥିଲେ। ପରବର୍ତ୍ତୀ ସମୟରେ ତତ୍କାଳୀନ ଗଜପତି ମହାରାଜାଙ୍କ ଦ୍ୱାରା କାଳିକାଦେବୀ ସାହିରେ ମା’ ପ୍ରତିଷ୍ଠିତ ହୋଇ ପୂଜା ପାଇଆସୁଛନ୍ତି। ଶାଣୀୟ ପଥରରେ ନିର୍ମିତ ମା’ଙ୍କ ମୂର୍ତ୍ତିର ଉଚ୍ଚତା ପ୍ରାୟ ୨ ଫୁଟ। ଶ୍ରୀମନ୍ଦିର ରତ୍ନସିଂହାସନ ଉଚ୍ଚତା ସହ ମା’ଙ୍କ ସିଂହାସନର ଉଚ୍ଚତା ସମାନ। ଚତୁର୍ଭୁଜା ମା’ ଦକ୍ଷିଣକାଳୀ ଉପର ଦକ୍ଷିଣ ଭୁଜରେ ଖଡ୍‌ଗ, ତଳ ଭୁଜରେ ଖର୍ପର ଏବଂ ବାମ ଉପର ଭୁଜରେ ଜପମାଳି ଏବଂ ତଳ ଭୁଜରେ କଟାମୁଣ୍ଡ ଧାରଣ କରିଛନ୍ତି।

ଆଲାମଚଣ୍ଡୀ

ଆଲାମଚଣ୍ଡୀ

ଶ୍ରୀକ୍ଷେତ୍ରର ପ୍ରବେଶ ଦ୍ୱାର ଅଠରନଳା ସମୀପରେ ଦେବୀ ଆଲାମଚଣ୍ଡୀ ବା ଦେବୀ ଆଲମ୍ବା ବିରାଜମାନ କରିଛନ୍ତି। ଗଙ୍ଗବଂଶର ମହାରାଜା ଅନଙ୍ଗଭୀମ ଦେବଙ୍କ ରାଜତ୍ୱ କାଳରେ ତ୍ରୟୋଦଶ ଶତାବ୍ଦୀରେ ମନ୍ଦିରଟି ନିର୍ମିତ ହୋଇଥିଲା। ଦେବୀଙ୍କ ମନ୍ଦିର ତିନିଭାଗରେ ବିଭକ୍ତ ଯଥା ବିମାନ, ଜଗମୋହନ ଓ ମୁଖଶାଳା। ବିମାନଟି ପ୍ରାୟ ୩୦ ଫୁଟ ଉଚ୍ଚତା ହୋଇଥିବା ବେଳେ ଜଗମୋହନ ଓ ମୁଖଶାଳାର ଉଚ୍ଚତା ଯଥାକ୍ରମେ ୨୦ ଫୁଟ ଓ ୧୫ ଫୁଟ। ବିମାନର ମଧ୍ୟଭାଗରେ ଦେବୀ ଆଲମ୍ବାଙ୍କ ପ୍ରାୟ ଦେଢଫୁଟ ଉଚ୍ଚତାର ଶବାରୁଢା ମୂର୍ତ୍ତି ଦଣ୍ଡାୟମାନ। ଦେବୀ ଚତୁର୍ଭୁଜା, ନୃମୁଣ୍ଡମାଳିନୀ, ତ୍ରିନୟନା, ଅଙ୍କୁଶ ତ୍ରିଶୂଳ ଏବଂ ପାନପାତ୍ର ଧାରିଣୀ ଅଟନ୍ତି।

Model This Week

ପ୍ରଭାତ